ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରୁ ବ୍ରହ୍ମପୁରକୁ ରାଧା ଖଇନି ରପ୍ତାନି ହେଉଥିବା ଏକ ଡାଲା ଅଟୋକୁ ବ୍ରହ୍ମପୁର ଉପଜିଲ୍ଲାପାଳ ଦତ୍ତାତ୍ରେୟ ବି ସିନେଧ ଜବତ କରିବା ସହ ଏହା କେଉଁଠାରୁ ପ୍ରସ୍ତୁତ ହେଉଛି ତାହାର ଠିକଣା ପଚାରି ବୁଝିଥିଲେ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ବ୍ଲକର ତହସିଲଦାର ନୀଳମାଧଵ ଭୋଇଙ୍କ ନେତୃତ୍ୱରେ ଶ୍ରୀରାମ ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୟପାଟଣା ଗ୍ରାମରେ ଥିବା ରାଧା ଖଇନି କାରଖାନା ଉପରେ ଅଚାନକ ଚଢ଼ାଉ କରାଯିବା ସହ କାରଖାନାରେ ବ୍ୟବହାର ହେଉଥିବା ଖଇନିର ଜରି, ମାପ ଓଜନ ଓ ବିଭିନ୍ନ ନଥିପତ୍ର ଯାଞ୍ଚ କରାଯାଇଥିଲା । ଖଇନି କାରଖାନା ନିମନ୍ତେ ସ୍ୱୀକୃତି ପ୍ରମାଣ ପତ୍ର ରହିଛି । କିନ୍ତୁ ମାପ ଓଜନ ପାଇଁ ବ୍ୟବହାର ହେଉଥିବା ମପାଯନ୍ତ୍ର ଅଣ ସ୍ୱୀକୃତି ପ୍ରାପ୍ତ କମ୍ପାନୀର ହୋଇଥିବା ଓ ଜରିରେ ନିଜ କାରଖାନାର ଠିକଣା ଏବଂ ଅନ୍ୟାନ୍ୟ ବିଷୟ ସଠିକ ନ ଥିବା ନେଇ କାରଖାନାର ମାଲିକ ନାରାୟଣ ସାହୁଙ୍କ ଠାରୁ ୪୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏହି ଚଢ଼ାଉରେ ଛତ୍ରପୁର ତହସିଲଦାର ଶ୍ରୀ ଭୋଇଙ୍କ ସହ ମାପ ଓଜନ ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲର ବିନୟ କୁମାର ଦାଶ, ବରିଷ୍ଠ ନିରୀକ୍ଷକ ସବିତା ପଣ୍ଡା ପ୍ରମୁଖ ରାଧା ଖଇନି କାରଖାନା ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା