
ଭୁବନେଶ୍ୱର (ସମୃଦ୍ଧ ଓଡିଶା )ରାଫେଲ୍ ଯୁଦ୍ଧ ବିମାନକୁ ନେଇ ମାନ୍ୟବର ଉଚ୍ଚତମ ନ୍ୟାୟଳୟଙ୍କ ରା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଜାଣିଶୁଣି ମିଥ୍ୟା ତଥ୍ୟ ପ୍ରଦାନ କରି ସର୍ବୋଚ୍ଚ ନ୍ୟାୟଳୟଙ୍କୁ ବିଭ୍ରାନ୍ତ କରିବାର ଯେଉଁ ଅପଚେଷ୍ଟା କରିଥିଲେ ତାହାର ପର୍ଦାଫାଶ ଆଜି ଦେଶବାସୀଙ୍କ ଆଗରେ ହୋଇଛି । ଏ ନେଇ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡ଼ିଆ ସେଲର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ କେନ୍ଦ୍ରସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି । ମିଥ୍ୟା ତଥ୍ୟ ପ୍ରଦାନ କରି ଦେଶର ସର୍ବୋଚ୍ଚ ନ୍ୟାୟଳୟଙ୍କ ରାୟକୁ ବିଭ୍ରାନ୍ତ କରିବାର ଯେଉଁ ଅପଚେଷ୍ଟା କରାଯାଇଛି ତାହା ସ୍ୱାଧୀନୋତ୍ୱର ଭାରତ ବର୍ଷର ଇତିହାସରରେ ବିରଳ ଏବଂ ଏ ଭୁଲ ପାଇଁ ପ୍ରଧାନମନ୍ତ୍ରୀ ଗଙ୍ଗାସ୍ନାନ କରି ନିଜ ପାପର ପ୍ରାୟଶ୍ଚିତ କରନ୍ତୁ ବୋଲି କଂଗ୍ରେସ ଆହ୍ୱାନ ଦେଇଛି ।ଆଜି ଭୁବନେଶ୍ୱରରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କରିଥିବା ସାମ୍ବାଦିକ ସମ୍ମିଳନୀରେ ଉତ୍ଥାପନ କରିଥିବା ବିଷୟକୁ ସଂପୂର୍ଣ୍ଣରୂପେ ଖାରଜ କରି ଶ୍ରୀ ନାୟକ କହିଥିଲେ ଯେ ଲଢ଼ାଖୁ ଯୁଦ୍ଧ ବିମାନ କିଣିବା ପ୍ରକ୍ରିୟା ୨୦୦୭ ନୁହେଁ ବରଂ ୨୦୦୧ ମସିହାରେ ଆରମ୍ଭ ହୋଇଥିଲା, ଯାହାକୁ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଆରମ୍ଭ କରିଥିଲେ ଏବଂ ଡକ୍ଟର ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଜାନୁଆରୀ ୨୦୧୨ ମସିହାରେ ଡାସଲ୍ଟ୍ ଆଭିଏସନ୍ କମ୍ପାନୀ ସର୍ବନିମ୍ନ ଟେଣ୍ଡର ଧାରକ ଭାବରେ ଉତୀର୍ଣ୍ଣ ହୋଇଥିଲା । କିନ୍ତୁ ନିର୍ବାଚନ ଯୋଗୁଁ ଯୁଦ୍ଧ ବିମାନ କିଣିବାର ପ୍ରକ୍ରିୟା ବିଳମ୍ବିତ ହୋଇଥିଲା । ମୂଳତଃ ୧୨୬ଟି ଯୁଦ୍ଧବିମାନ କିଣିବାକୁ ନିଷ୍ପତି ହୋଇଥିଲା ଏବଂ ତନ୍ମଧ୍ୟରୁ ୧୮ଟି ସିଧାସଳଖ କିଣାଯିବାକୁ ଥିବାବେଳେ ୧୦୮ଟି ଯୁଦ୍ଧ ବିମାନ ଭାରତରେ ହିନ୍ଦୁସ୍ଥାନ ଏରୋନୋଟିକ୍ସ ସହଭାଗିତାରେ ନିର୍ମାଣ କରିବାର ପ୍ରସ୍ତାବ ରହିଥିଲା । କିନ୍ତୁ କ’ଣ ପାଇଁ ମୂଳ ରାଜିନାମାକୁ ବଦଳକରି ୧୨୬ ଯାଗାରେ ୩୬ଟି ଯୁଦ୍ଧବିମାନ କିଣିବାକୁ ମୋଦି ସରକାର ନିଷ୍ପତି ନେଲେ ସେ କଥା ଅଦ୍ୟାବଧି ରହସ୍ୟ ଘେରରେ ରହିଛି । ରାଫେଲ ଯୁଦ୍ଧ ବିମାନର ଦାମ ମୂଳତଃ ୫୨୬ କୋଟି ଥିବା ବେଳେ ବର୍ତମାନ ଏହାକୁ ୧୬୭୦ କୋଟିକୁ ବୃଦ୍ଧି କରାଯିବା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏକ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ରାଫେଲ୍ ଯୁଦ୍ଧ ବିମାନ କିଣିବାର ପ୍ରକ୍ରିୟାକୁ ଯାଂଚ କରିବାକୁ କଂଗ୍ରେସ ସମେତ ଅନ୍ୟ ବିରୋଧି ଦଳଙ୍କ ଦାବୀକୁ କେନ୍ଦ୍ରସରକାର କାହିଁକି ଗ୍ରହଣ କରୁନାହାନ୍ତି? ଆଜିବି କେତୋଟି ଅସମାହିତ ପ୍ରଶ୍ନ ଯଥା: ରାଫେଲ ଯୁଦ୍ଧ ବିମାନର ତିନିଗୁଣା ଦରବୃଦ୍ଧି, ୧୨୬ ଯୁଦ୍ଧ ବିମାନ ପରିବର୍ତେ ମାତ୍ର ୩୬ଟି ବିମାନ କିଣିବାକୁ ପରିବର୍ତିତ ନିଷ୍ପତି ଓ ସୁପ୍ରିମକୋର୍ଟଙ୍କ ପାଖରେ ମିଥ୍ୟା ତଥ୍ୟ ପ୍ରଦାନ କରି ମାନ୍ୟବର ନ୍ୟାୟଳୟଙ୍କୁ ବିଭ୍ରନ୍ତ କରିବାର ଅପଚେଷ୍ଟା ପ୍ରଭୃତିର ଉତର ଦାବି କରିଛି କଂଗ୍ରେସ । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଶ୍ରୀ ଅଶୋକ ସାମଲ, ମନୋଜ ମହାପାତ୍ର, ହିଂମାଶୁ ଲେଙ୍କା, ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର, ଦୀପକ ମହାପାତ୍ର, ଓମପ୍ରକାଶ ସାହୁ, ପ୍ରଦୀପ ମହାପାତ୍ର ଉପସ୍ଥିତ ଥିଲେ । ରିପୋର୍ଟ : ଆକାଶ ମିଶ୍ର

