ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଆଜି ସମାଜ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ବିଶିଷ୍ଟ ଭେଷଜବିତ୍ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି । ଏହାସହ ଶ୍ରୀ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ପ୍ରତ୍ୟେକ ମଣିଷ ଭିତରେ ଅନନ୍ତ ପ୍ରତିଭା ବିଦ୍ୟମାନ ରହିଛି । ଆମେ ତାକୁ କାର୍ଯ୍ୟକାରୀ କରିପାରିଲେ ସମାଜରେ ଶ୍ରେଷ୍ଠ ମଣିଷ ହୋଇପାରିବା ବୋଲି ପରାମର୍ଶ ଦେଇଥିଲେ । ସ୍ଥାନୀୟ ଆମ୍ବପୁଆସ୍ଥିତ ରାମକୃଷ୍ଣ ସାରଦା ସେବା ସଂଘ ଆଶ୍ରମରେ ରହୁଥିବା ଅନାଥ ଅନ୍ତେବାସୀଙ୍କ ଗହଣରେ ଅତିଥିବୃନ୍ଦ ପବିତ୍ର ଦୀପାବଳି ଉତ୍ସବ ପାଳନ କରିଛନ୍ତି । ଏ ସମ୍ପର୍କରେ ଆୟୋଜିତ ଏକ ସଭା ଚିତ୍ତରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ ଫୋରମ ଫର ଗଞ୍ଜାମର ଆବାହକ ତଥା ଶିକ୍ଷାବିତ ସୁଧିର କୁମାର ରାଉତ, ଜାତୀୟ ସାମ୍ବାଦିକ ୟୁନିଅନର ଓଡ଼ିଶା ଶାଖା ସଭାପତି ରବି ରଥ, ହଳଦିଆପଦରସ୍ଥିତ ସଂକଳ୍ପ ଡେବୋଡ଼ିଂ ସ୍କୁଲର ସଭାପତି ଇ. ତେଜେଶ୍ୱର ରାଓ, ଅଜିତ କୁମାର ମହାପାତ୍ର, ଶ୍ରୀମତୀ ସୁଜାତା ମଜନଦୁଦାର, ଅନିଲ କୁମାର ବିଷୋୟୀ, ଗୋପାଳ କୃଷ୍ଣ ଡ଼ାକୁଆ, ପି.କେ. ମୁନି, ଗଞ୍ଜାମ ଚ୍ୟାମ୍ବର ଅଫ କମର୍ସର ଜେ. ସୁରେଶ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରମାନଙ୍କୁ ଉଦବୋଧନ ଦେଇଥିଲେ । ପ୍ରଥମେ ସଂଗଠନର ସମ୍ପାଦକ ପଦ୍ମନାଭ ମହାରଣା ଅନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ମେଧା ପ୍ରତିଯୋଗିତାର କୃତି ଛାତ୍ରମାନଙ୍କୁ ବିଭିନ୍ନ ଉପହାର ଓ ପୁରସ୍କାର ପ୍ରଦାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।