ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସନ୍ନିକଟ ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟର ମଙ୍ଗଳପୁରର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ କୃଷିବା ବେଗମ, ବରିଷ୍ଠ କିରାଣୀ ପଦ୍ମନାଭ ସାହୁ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ବିଚିତ୍ରାନନ୍ଦ ଦାସ ଚାକିରିରୁ ଅବସର ନେଉଥିବାରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଆୟୋଜିତ କରାଯାଇଥିଲା । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦ୍ଧବ ମୋହନ ପତି ସଭାପତି, ମଙ୍ଗଳପୁର କ୍ଲଷ୍ଟରର ସିଆରସି ଇଚ୍ଛାବତୀ ରାଉତ, ଲୋକ ବିକାଶ ସଂଗଠନକୁ ସମ୍ପାଦକ ସେକ ଅବଦୁଲ ସଫିକ, ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଥମେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଦାୟ ସଂଗୀତ ଗାନ କରାଯାଇଥିଲା । ପରେ ପରେ ପୁଷ୍ପ ଗୁଚ୍ଛ, ଉପଢୌକନ ପ୍ରଦାନ କରାଯାଇ ମାନପତ୍ର ପାଠ କରାଯାଇଥିଲା । ଛାତ୍ରଛାତ୍ରୀମାନେ ନିଜର ପ୍ରାୟ ଶିକ୍ଷୟତ୍ରୀ ତଥା କର୍ମଚାରୀ ଗୁଣଗାନ କରି ଭାବ ବିହ୍ଵଳ ହୋଇପଡ଼ିଥିଲେ । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ବେଗମଙ୍କ ଛାତ୍ର ବତ୍ସଳ ଗୁଣ, କର୍ମନିଷ୍ଠା, ସାଙ୍ଗଠନିକ ଦକ୍ଷତା, ବିଦ୍ୟାଳୟ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଅତିଥି, ଶିକ୍ଷକ ଶିକ୍ଷୟତ୍ରୀ, ଉପସ୍ଥିତ ମଙ୍ଗଳପୁରର ଗ୍ରାମର ଶିକ୍ଷାବିତ ଓ ବୁଦ୍ଧିଜୀବୀମାନେ ଆଲୋକପାତ କରିଥିଲେ । କର୍ମଚାରୀ ଶ୍ରୀଯୁକ୍ତ ସାହୁ ଓ ଶ୍ରୀଯୁକ୍ତ ଦାସଙ୍କର କାର୍ଯ୍ୟଦକ୍ଷତାକୁ ଖୁବ ପ୍ରଶଂସା କରାଯାଇଥିଲା । ଅବସର ପରବର୍ତ୍ତୀ ଜୀବନ ଈଶ୍ୱରଙ୍କ କୃପାରୁ କୁସୁମିତ ହେଉ ଏହା କାମନା କରି ଏକ ଅଶ୍ରୁଳ ଭାବ ବିହ୍ଵଳ ପରିବେଶରେ ସଭାକାର୍ଯ୍ୟ ଶେଷ କରାଯାଇଥିଲା । ଶିକ୍ଷୟତ୍ରୀ ଶ୍ରୀମତୀ ତସଲିମା ରୋଜାଲିନ ସଂଚାଳକ ଦାୟିତ୍ୱ ତୁଲାଇଥିବା ବେଳେ ଶ୍ରୀମତୀ ମୃଣ୍ମୟୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀମତୀ ପୁଷ୍ପରାଣୀ ମହାନ୍ତି, ରୋଜାଲିନ ନାୟକ ଓ ଅସୀମାରାଣୀ ଆଚାର୍ଯ୍ୟ ମାନପତ୍ର ପାଠ କରିଥିଲେ । ଶିକ୍ଷକ ଧ୍ରୁବଚରଣ ଗଡ଼ନାୟକ, ଅକ୍ଷୟ କୁମାର ମେଳା, ନିରଞ୍ଜନ ଦାସ, ଗିରିଶ ଚନ୍ଦ୍ର ଦାସ, ପ୍ରଶାନ୍ତ ସାହୁ, ଶ୍ରୀମତୀ ଚାରୁଲତା ଦଳେଇ, ଶ୍ରୀମତୀ ମମତା ରାଣୀ ମିଶ୍ର ଓ ଶ୍ରୀମତୀ ଅନୁପମା ସାହୁ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି