ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଏବଂ ଏସ୍ଆଇଟି ତଦନ୍ତ ଦାବିରେ ପ୍ରତିବାଦ ଓ ବିକ୍ଷୋଭ…

ଜଳେଶ୍ଵର (ସମୃଦ୍ଧ ଓଡିଶା) କଳାହାଣ୍ଡି ଜିଲ୍ଲାର ସନସାଇନ୍ ଶିକ୍ଷାନୁଷ୍ଠାନର ମାଲିକ ଗୋବିନ୍ଦ ସାହୁ ମମିତା ମେହେରଙ୍କୁ ଜଘନ୍ୟ ଭାବରେ ହତ୍ୟା କରି ପୋଡ଼ି ମାଟି ତଳେ ପୋତି ଦେବା ଘଟଣା ସାରା ରାଜ୍ୟବାସୀଙ୍କୁ ଚକିତ କରିଛି । ଶିକ୍ଷାନୁଷ୍ଠାନରେ ଚାଲିଥିବା ଯୌନ କେଳେକାରିଙ୍କୁ ମମିତା ପ୍ରତିବାଦ କରିବାରୁ ତାଙ୍କୁ ରାସ୍ତାରୁ ହଟାଇ ଦିଆଯାଇଛି । ଏହି ଘଟଣାରେ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଜଡ଼ିତ ଅଛନ୍ତି ବୋଲି ଅଭିଯୋଗ ଆସିଛି । ଜଣେ ହତ୍ୟାକାରୀ କିଭଳି ଭାବରେ ଥାନାରୁ ପଳାଇବା ଏବଂ ହତ୍ୟା କରି ସାରିଲା ପରେ ଫୋନ୍ ରେ କାହା ସହିତ କଥା ହେବା ଘଟଣାରୁ ମନ୍ତ୍ରୀଙ୍କ ସଂପୃକ୍ତି ସ୍ପଷ୍ଟ ହୋଇଛି । ଗୋଟିଏ ଶିକ୍ଷାନୁଷ୍ଠାନକୁ ରାଜ୍ୟର ୩ ଜଣ ମନ୍ତ୍ରୀ ହେଲିକପ୍ଟରରେ ଯିବା ଓ ଗୋବିନ୍ଦ ସାହୁ ନବୀନ ନିବାସ ଯିବା ପ୍ରଭୃତି କାର୍ଯ୍ୟ ସନ୍ଦେହ ଘେରରେ ରହୁଛି । ଅତୀତରେ ପରି, ଇତିଶ୍ରୀ, ବେବିନା ପ୍ରଭୃତି ଘଟଣା ରେ ଯେଉଁଠି ରାଜନୈତିକ ସଂପୃକ୍ତି ରହିଛି ତାହାର ପର୍ଦ୍ଦାଫାଶ ଆଜି ଯାଏଁ ହୋଇନାହିଁ । ନବିନ ବାବୁଙ୍କ ଶାସନରେ ଚୋରି, ରାହାଯାନି, ଧର୍ଷଣ, ଡକାୟତି ବଢ଼ି ବଢ଼ି ଚାଲିଛି । ଏଣୁ ମମିତା ଘଟଣା ରେ ନିରପେକ୍ଷ ତଦନ୍ତ ପାଇଁ ତୁରନ୍ତ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ ସହିତ ହାଇକୋର୍ଟ ତତ୍ୟାବଧାନରେ ଏସଆଇଟି ତଦନ୍ତ କରିବା, ସମସ୍ତ ଦୋଷୀଙ୍କୁ କଠିନରୁ କଠିନ ଦଣ୍ଡ ଦେବା ସହ ମମିତା ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦାବିରେ ଜଳେଶ୍ଵର ସିପିଆଇ (ଏମ୍) ତରଫରୁ ବିକ୍ଷୋଭ ଓ ସଭା ଆଜି ସଂଧ୍ୟା ୫ ଟାରେ ଜଳେଶ୍ଵର ବସ୍ ଷ୍ଟାଣ୍ଡ ଓ ଷ୍ଟେସନ ଛକରେ ଅନୁଷ୍ଠିତ ହୋଇଛି । ପ୍ରଥମେ ଏକ ପଟୁଆର ସହର ପରିକ୍ରମା କରିସାରିଲା ପରେ ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ବରେ ଶିତାଂସୁ ସେନାପତି, ଜିତାଂଶୁ ନନ୍ଦୀ, ଦିଲ୍ଲୀପ ପରିଡ଼ା, ପଲ୍ଟୁ ଦାସ, ଯତିନ ଜେନା, ଗଣେଶ ପାତ୍ର, ପ୍ରକାଶ ଦେ, ସବିତା ଭୂୟାଁ, ଶେଖ ଜମିରଊଦ୍ଦିନ, ଜଗନ୍ନାଥ ପରିଡ଼ା, ରାଜକୁମାର ଆଚାର୍ଯ୍ୟ, ଶୁଲତାନ ବିବି, ଅଂକିତା ବିବି ପ୍ରମୁଖ ବକ୍ତବ୍ୟ ରଖି ରାଜ୍ୟ ସରକାରଙ୍କୁ ତିବ୍ର ସମାଲୋଚନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା