କ୍ରମାନୁଗତିକ ପରିବର୍ତ୍ତନ ସହିତ ଭବିଷ୍ୟଦ୍ରଷ୍ଟା ବିଚାର
ଓ କାର୍ଯ୍ୟଶୈଳୀ ଉପରେ ନିର୍ଭର ରାଷ୍ଟ୍ରର ପ୍ରଗତି !
ଅଯୌକ୍ତିକ, ଅସାମଞ୍ଜସ୍ୟ ପ୍ରବଚନ କ୍ଷିଣ ଆଶାୟୀ କରିପାରେ,
କିନ୍ତୁ ବାସ୍ତବତାର ରୂପ ନେବା ଅସମ୍ଭବ !!
ପୁରାତନ ପ୍ରସ୍ତର ଯୁଗରୁ ସମୟାନୁକ୍ରମ ପରିବର୍ତ୍ତିତ ଆଜିର ଯେଉଁ ସଭ୍ୟ ସମାଜ ଦେଖିବାକୁ ମିଳୁଛି ତାହାର ବ୍ୟବସ୍ଥାପିତ ରୂପରେଖ ଉପରେ ସାଧାରଣ ମଣିଷଙ୍କ ପର୍ଯ୍ୟାପ୍ତ ଜ୍ଞାନ ନଥାଇ ମଧ୍ୟ ସବୁ ଜାଣିବାର ଅଭିନୟ କରୁଥିବା କାରଣରୁ ବହୁ ଦଶନ୍ଧି ଧରି ସୀମିତ ବର୍ଗର ଗୋଷ୍ଠୀଙ୍କ ଦ୍ୱାରା ସମଗ୍ର ସମାଜ ପରିଚାଳିତ, ପ୍ରତାରିତ ହୋଇ ଆସୁଥିବା ସମସ୍ତେ ଜାଣନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଆସ୍ଥା, ଆଗ୍ରହ ରହିନଥିବା ପ୍ରକାଶ କରନ୍ତି ଅନେକ ବ୍ୟକ୍ତି । ବାସ୍ତବରେ କେଉଁ ଜ୍ଞାନର ଅଭାବ ହେତୁ ସାମାଜିକ ଅଭାବନୀୟତା ଦେଖା ଯାଉଅଛି ତାହାରି ଉପରେ ଗବେଷଣାତ୍ମକ ଆଲୋଚନା ପରିବେଷଣ ହେଉନଥିବା ହେତୁ ସାଧାରଣ ଜନତା ସଠିକ ଆକଳନ କରିବାରେ ଅସମର୍ଥ ହେଉଛନ୍ତି । ଆମ ସାମାଜିକ ବ୍ୟବସ୍ଥାର ମୂଳ ଆଧାର ଏବଂ ତାହାର ଉତ୍ତରୋତ୍ତର ବିକାଶ ବାଧିତ ହେବାର ମୁଖ୍ୟ କାରଣ ଗୁଡିକ ଉପରେ ଗୋଟିଏ ବିଶ୍ଲେଷଣାତ୍ମକ ଅନୁଶୀଳନ କରି ଦେଖିବା……ବାଲ୍ୟ ସମୟର ସାମୁହିକ ଜ୍ଞାନ ଉପରେ ଆଧାରିତ ଶିକ୍ଷା ସମାପ୍ତି କରିବା ପରେ କିଶୋର, କିଶୋରୀଙ୍କୁ ଯେଉଁ ଧାରାରେ ଶିକ୍ଷା ଦିଆଯିବା ବ୍ୟବସ୍ଥା ଆବହମାନ କାଳରୁ ପ୍ରଚଳିତ ଅଛି ସେଥି ମଧ୍ୟରେ ମୁଖ୍ୟତଃ କଳା, ବିଜ୍ଞାନ ଓ ବାଣିଜ୍ୟ, ତିନୋଟି ଶ୍ରେଣୀଭୁକ୍ତ ପାଠ୍ୟକ୍ରମ ରହିଥାଏ । ଏହି ତିନୋଟି ଶ୍ରେଣୀର ପାଠ୍ୟକ୍ରମ କେବଳ ସାମାଜିକ ପରିଚାଳନା, ଉତ୍ତରୋତ୍ତର ପ୍ରଗତିର ପଥ ପ୍ରଦର୍ଶକ ହେଉଥିବା ବେଳେ ଭିନ୍ନ ଭିନ୍ନ ରୁଚି ରଖିଥିବା ଛାତ୍ର, ଛାତ୍ରୀ ସମ୍ପୃକ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ବିଭିନ୍ନ ସାମାଜିକ କ୍ଷେତ୍ରରେ ସହାୟକ ହୋଇପାରିବେ ବୋଲି ଏହି ବ୍ୟବସ୍ଥା କରାଯାଇ ଅଛି । ବ୍ୟବସ୍ଥାପିତ ଏହି ତିନୋଟି ପାଠ୍ୟକ୍ରମ ମଧ୍ୟରେ ବିଜ୍ଞାନକୁ ପ୍ରାଥମିକତା ଦିଆଯାଉଥିବା ବେଳେ ବାଣିଜ୍ୟ ଦ୍ୱିତୀୟରେ ରହି କଳାକୁ ତୃତୀୟ ସ୍ଥାନିତ କରାଯାଇ ଥିବା ବିଷୟ ସମସ୍ତଙ୍କୁ ଗୋଚର । ଏହାର କାରଣ ହେଉଛି ବିଜ୍ଞାନ ଏବଂ ବାଣିଜ୍ୟ ରାଷ୍ଟ୍ରର ପ୍ରଗତିରେ ପ୍ରାଧାନ୍ୟତା ରଖୁଥିବା ବେଳେ କଳା ପାଠ୍ୟକ୍ରମରେ ରହିଥିବା ବିଷୟ ଗୁଡିକ ସାମାଜିକ ପରିଚାଳନାରେ ବିଶେଷ ସହାୟକ ହୋଇଥାଏ । ତେଣୁ ଏହି ପାଠ୍ୟକ୍ରମ ଗୁଡିକୁ ନେଇ ଆମ ସାମାଜିକ ବ୍ୟବସ୍ଥା କେଉଁ ଦିଗରେ ପରିଚାଳିତ କରାଗଲେ ରାଷ୍ଟ୍ରର ପ୍ରକୃତ ଉନ୍ନତ୍ତି ସମ୍ଭବ ହୋଇପାରିବ ଏବଂ ବର୍ତ୍ତମାନର ପ୍ରଚଳିତ ସ୍ଥିତି ଉପରେ ଦୃଷ୍ଟିପାତ କଲେ ଜାଣିହେବ ଯେ…..ବୈଜ୍ଞାନିକ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟାର ପ୍ରଖରତା ଅତ୍ୟାଧୁନିକ ପ୍ରେରଣା, ସୌଖିନ ଜୀବନ ଶୈଳୀ ଦେଇ ପାରୁଥିବା କାରଣରୁ ପୃଥିବୀ ପୃଷ୍ଠରେ ମଣିଷ ଆଜି ଅତି ଉଚ୍ଚକୋଟୀର ପ୍ରାଣୀ ଭାବେ ପରିଚିତ । ଏକ ନିଷ୍କର୍ଷରୁ ସଦ୍ୟ ପ୍ରମାଣିତ ହୁଏଯେ ଆଜି ସମୟରେ ଯେତେଗୁଡ଼ିଏ ବୈଜ୍ଞାନିକ କୌଶଳ, ପଦାର୍ଥ ଏବଂ ଯନ୍ତ୍ର ସବୁ ଭାରତ ବର୍ଷରେ ବ୍ୟବହୃତ ହେଉଛି ସେଗୁଡିକ ମଧ୍ୟରୁ କୌଣସି ଗୋଟିଏ ହେଲେ ଆମ ଦେଶରେ ଉଦ୍ଭାବନ/ଅବିସ୍କୃତ ହୋଇ ନାହିଁ ଯାହା କେବଳ ପାଶ୍ଚାତ୍ୟର ଦେୟ ମାତ୍ର ! ଅନୁରୂପ ବାଣିଜ୍ୟ କ୍ଷେତ୍ରର ଅନୁଭୂତି ଏବଂ କୌଶଳ ଗୁଡିକ ମଧ୍ୟ ପାଶ୍ଚାତ୍ୟ ଦେଶ କିମ୍ବା ସେମାନଙ୍କ ବଂଶଜ ମାନଙ୍କ ପ୍ରୟୋଗାତ୍ମକ ଅଭିଜ୍ଞତାରୁ ଉଦ୍ଧୃତ ଯାହା ଭାରତୀୟ ମାନଙ୍କ ନିଜସ୍ୱ ବିକଶିତ ଅନୁଭୁତିରୁ ଆସିନାହିଁ । କଳା କ୍ଷେତ୍ରରେ ନିର୍ଦ୍ଧାରିତ କେତେକ ପାଠ୍ୟକ୍ରମ ମଧ୍ୟରୁ କେବଳ ସାହିତ୍ୟ ଏବଂ ଇତିହାସ ବ୍ୟତୀତ ଅନ୍ୟାନ୍ୟ ପାଠ୍ୟକ୍ରମ ଗୁଡିକ ମଧ୍ୟ ସବୁ ବୈଦେଶିକ ବିଚାରଧାରାରେ ଅଭିଲିଖିତ ! ଅର୍ଥାତ କହିବାକୁ ଗଲେ କେବଳ ସାହିତ୍ୟ ଏବଂ ଇତିହାସ ବ୍ୟତୀତ ଅନ୍ୟାନ୍ୟ କୌଣସି କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ କୌଣସି ପାଠ୍ୟକ୍ରମ କିମ୍ବା ଜ୍ଞାନ ବିକାଶ ଧାରା ହେଉକି ପ୍ରୟୋଗାତ୍ମକ କୌଶଳ ଭାରତ ବର୍ଷରେ ଉଦ୍ଭାବନ/ଅବିସ୍କୃତ ହୋଇନାହିଁ କିମ୍ବା ଆଜି ସମୟରେ ମଧ୍ୟ କରିବା ଭଳି କୌଣସି ଅନୁସନ୍ଧିତ୍ସୁ ପରିବେଶ ଦିଶୁନାହିଁ ! ଅଧିକନ୍ତୁ ମନୋରଞ୍ଜନ, ନାଟକ, ନୃତ୍ୟ, ବ୍ୟଙ୍ଗ, ପରିହାସ, ଐତିହାସିକ ଆଲୋଚନା, ସମାଲୋଚନା, ଅନ୍ଧ ଭକ୍ତି, ସାମ୍ପ୍ରଦାୟୀକତା, ଗୋଷ୍ଠବଦ୍ଧ/ଦଳୀୟ ବିଚାର, ବିଯୁକ୍ତାତ୍ମକ ଭାବଧାରା ଭଳି ଅନେକ ପରିପାର୍ଶ୍ଵିକ ଶୈଖିକ ବିଚାରରେ ଧୁରନ୍ଧର ଆମେ ଭାରତୀୟ ବୋଲି କହିବାରେ କୌଣସି ଅଯୈାକ୍ତିକତା ନାହିଁ । ଏମିତି ହେବାର ମୂଳ ବିଷୟ କେଉଁଠି ରହିଛି କେହି ଭାବନ୍ତି ନାହିଁ କି ଭାବିଲେ ମଧ୍ୟ କିଛି ବୁଝନ୍ତି ନାହିଁ । ଅଧିକନ୍ତୁ ସେହି ଭଳି କୌଣସି ବିକାଶଶୀଳ କାର୍ଯ୍ୟ କରିବା ପାଇଁ ଭାରତୀୟ ମାନଙ୍କର କ୍ଷମତା ନାହିଁ କି ଆମ ବ୍ୟବସ୍ଥା ତାହାର ପରିପନ୍ଥୀ ହେଉନାହିଁ ବିଚାର କରିବା……ସାହିତ୍ୟକୁ ମାଧ୍ୟମ କରି ଇତିହାସ ରଚନା କରିବା ଆମ ଦେଶର ଚତୁର୍ପାଶ୍ୱର୍ରେ ଏତିକି ବିସ୍ତାରିତ ଦେଖିବାକୁ ମିଳୁଛି ଯାହା ଅନ୍ୟ କୌଣସି ଦେଶରେ ନଥିବ । ରାଷ୍ଟ୍ରୀୟ ପ୍ରଗତିର ମୂଳ ଆଧାର ବୈଜ୍ଞାନିକ ଓ ବାଣିଜ୍ୟିକ ବିକାଶର ସୁଦୃଢ଼ ଉତ୍ସ ନାହିଁ କି ପ୍ରେରଣା ନାହିଁ । ସେଗୁଡିକର ମନୋବୈଜ୍ଞାନିକ ଭାବଧାରା ସମ୍ପନ୍ନ ଭାରତୀୟ ଅନ୍ତର୍ଜ୍ଞାନୀଙ୍କ ବାସସ୍ଥଳ ବୃକ୍ଷ କୋରଡ଼, ପାହାଡ଼ ଗୁମ୍ଫାରେ ! ଇତି ମଧ୍ୟରେ ରାଜନୀତିର ମୂଳ ମନ୍ତ୍ର ଜାଣିନଥିବା ଅଶିକ୍ଷା, ଅଜ୍ଞାନର ଚରମ ଶୀର୍ଷରେ ରହିଥିବା ଅସାମାଜିକ, ଅମାନବୀୟ କାର୍ଯ୍ୟରେ ଲିପ୍ତ ଅଧିକାଂଶ ରାଜନୈତିକ ନେତାଙ୍କ ଦୌରାତ୍ମ୍ୟ ବିଷୟ କହିବା ଆବଶ୍ୟକ ନାହିଁ ! ସବୁବେଳେ ଇତିହାସ ତଥା ପୂର୍ବ ଘଟଣାବଳୀକୁ ଦୋହରାଉଥିବା ଅଜ୍ଞାନ ରାଜନେତା ମାନେହିଁ ଆମ ଦେଶକୁ ଶାସନ କରି ଆସୁଥିବା କାହାକୁ ଅଗୋଚର ?! କେବଳ ପୂର୍ବର ଅଭାବନୀୟତାକୁ ପୃଷ୍ଠପୋଷକ କରୁଥିବା ମଣିଷର ଅଭିବୃଦ୍ଧି ଉପରେ କୌଣସି ଦୃଷ୍ଟାନ୍ତମୂଳକ ପ୍ରଗତି ପରିବର୍ତ୍ତେ ଦୁର୍ଗତି ଅନିବାର୍ଯ୍ୟ ହୁଏ ଯାହା ଭବିଷ୍ୟତରେ ପୁଣି ଆଉ କାହାଦ୍ୱାରା ଚର୍ଚ୍ଚା, ସମାଲୋଚନାର ପରିସରଭୁକ୍ତ ହୋଇଥାଏ ଆମ ଦେଶରେ, ଯାହା ସବୁ ଦେଖି, ଶୁଣି ଆମର ଦେହସୁହା ହୋଇଗଲାଣି । ଶାସନ ବ୍ୟବସ୍ଥାରେ ରହି ଆସୁଥିବା କୌଣସି ରାଜନେତା ପୂର୍ବ ଶାସନ ପ୍ରଣାଳୀକୁ ପ୍ରଶଂସା କରିବା ଆମେ ଆଜି ପର୍ଯ୍ୟନ୍ତ ଶୁଣିନଥିବା ନିଶ୍ଚିତ ପ୍ରମାଣିତ କରୁଛିକି ଆମେ ଯାହାଙ୍କୁ ଦେଶ ଶାସନ ଭାର ଦେଇ ଆସୁଅଛେ ସେମାନେ ସମସ୍ତେ କେବଳ ନିଜସ୍ୱ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗୋଟିଏ ନା’ର ଭିନ୍ନ ନାଉରୀ ଭଳି କାର୍ଯ୍ୟ ନିର୍ବାହ କରୁଥିବା ବେଳେ ସାଧାରଣ ଲୋକଙ୍କୁ ବ୍ୟାପକ ଅଭାବନୀୟତା ମଧ୍ୟରେ ପରିଚାାଳିତ କରି ଆସୁଥିବା କଥା କିଏ ନଜାଣେ ?! ପ୍ରେତ୍ୟେକ ଥର ଆମେ ଆଶାୟୀ ରହିଥାଉ କି ଏହି ଥରର ଶାସକ ଦଳ କିଛି ସୁଧାର କରିବେ । କିନ୍ତୁ ପୁନର୍ବାର ସେହି ବିପରୀତ ଆଲୋଚନା, ସମାଲୋଚନା ଛଡା କିଛି ହେଉନାହିଁ । ଏହା ଜ୍ୱଳନ୍ତ ଅନୁଭୂତି କହୁଛିକି ନିଶ୍ଚିତ ଭାବେ ଆମେ ଏକ ଅସଭ୍ୟ, ହିଂସାତ୍ମକ ସମାଜରେ ବଂଚୁଛେ କେବଳ ବିଶ୍ୱାସରେ ବିଷ ପିଇ ! ଚତୁର, ଚାଟୁକାର ପ୍ରଶଂସା କରି ନିଜର ସ୍ୱାର୍ଥ ହାସଲ କରୁଥିବା ବେଳେ ନିର୍ବୋଧ, ଅଜ୍ଞାନ ସେଗୁଡିକୁ ଶୁଣି ନିଜକୁ ପରୋକ୍ଷରେ ପ୍ରତାରିତ କରିଥାନ୍ତି, ଏହା ଆମ ଦେଶର ଏକ ପାରମ୍ପରିକ ଶିକ୍ଷଣୀୟତାରେ ପରିଣତ ନୀତି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ସାଧାରଣ ଲୋକଙ୍କୁ ଅଜ୍ଞାନ କରି ରଖି ବିଭାଜନ ଏବଂ ଶାସନ- ଡିଭାଇଡ ଏଣ୍ଡ ରୁଲ ବ୍ରିଟିଶ ନୀତି ଅଦ୍ୟାବଧି ବଳବତ୍ତର ରହି ଦିନକୁ ଦିନ ଅଧିକରୁ ଅଧିକ ଘନୀଭୂତ ହେଉଥିବା ପ୍ରକାଶ କରନ୍ତି ବିଜ୍ଞ, ବିଶ୍ଳେଷକ ! କହିବାକୁ ଗଲେ ପାଶ୍ଚାତ୍ୟର ରାଜନୀତି ବିଜ୍ଞାନ, ଆଇନ, କାନୁନରେ ଯୋଡ଼ିଦେଇ ତାକୁ ଯଥେଷ୍ଟ ବିକୃତ କରି ରାଜଅନୀତିରେ ପରିଣତ କରି ଚାଲିଥିବା ବ୍ୟବସ୍ଥା ବିଷୟରେ ସାଧାରଣ ଲୋକେ ସମ୍ପୂର୍ଣ୍ଣ ଅସଚେତନ ! ତେଣୁ ଏହି ଇତିହାସ ଏବଂ ରାଜନୀତିର ପ୍ରଖରତାର ପରିପାଶ୍ୱିକ ପରିବେଶ ମଧ୍ୟରେ ଦିନରୁ ରାତି ପର୍ଯ୍ୟନ୍ତ ନିବିଡ଼ତା ରଖୁଥିବା ଭାରତୀୟ ଆମ ପିଢ଼ିକୁ ପିଢ଼ି ଏକ ପ୍ରକାର ଜନ୍ମଗତ ଚରିତ୍ର ପ୍ରବାହ କରି ତା’କୁ ହିଁ ସର୍ବେସର୍ବା ମନେ କରୁଥିବା ଆମ ରାଷ୍ଟ୍ରର ବିକାଶ ଯେମିତି ହେବା କଥା ହେଉଛି ଯାହା ଆମେ ଦେଖୁଛେ ! ଇତିହାସକୁ ପ୍ରତ୍ୟେକ ସମୟରେ ଦୋହରାଉଥିବା ମଣିଷ କେବେହେଲେ ଭବିଷ୍ୟ ଦ୍ରଷ୍ଟା ହୋଇ ପାରିବେ ନାହିଁ ! ପଛକୁ ଚାହିଁ ପଥ ଅତିକ୍ରମ କରୁଥିବା ପଥିକର ପଥ ସବୁବେଳେ କଣ୍ଟକିତ, କାରଣ ଆଗ ରାସ୍ତା ପରିସ୍କାର କରିବା କ୍ଷମତାକୁ ସଂକୁଚିତ କରିଥାଏ ପୂର୍ବ ନୁଭବର କରାଳତା । ସାଧାରଣ ଲୋକଙ୍କ ପାଇଁ ନିର୍ଦ୍ଧାରିତ ସାମାଜିକ ନୀତିକୁ ବ୍ୟାପକ, ସାର୍ବଜନୀନ ନକରି ସ୍ୱେଚ୍ଛାକୃତ କାର୍ଯ୍ୟଧାରା ଚଳାଉଥିବା ରାଜନେତାଙ୍କ ଦ୍ୱାରା ପରିଚାଳିତ ସମାଜ କେବେହେଲେ ବିକଶିତ ହୋଇପାରିବ ନାହିଁ । ତେଣୁ ଉପସ୍ଥିତ ସମୟର ବ୍ୟବହୃତ ଏହି ଦୁଇଟି ବିଷୟ ମଧ୍ୟ ସାମାଜିକ ଉନ୍ନତ୍ତି ଦିଗରେ କାର୍ଯ୍ୟ ନକରି କେବଳ କ୍ଷୀଣତା ଆଡକୁ ପ୍ରବାହିତ କରୁଥିବା ସାଧାରଣରେ କେହି ଜାଣି ପାରୁନାହାଁନ୍ତି ଯାହା ଆସନ୍ତା ଭବିଷ୍ୟତରେ ପୁଣି ଆଉ କାହାଦ୍ୱାରା ଚର୍ଚ୍ଚିତ, ସମାଲୋଚିତ ହେବ । ଅଧିକନ୍ତୁ ଶିଥିଳ ଯୁକ୍ତାତ୍ମକ ମସ୍ତିଷ୍କ ଯୁକ୍ତ ମଣିଷକୁ ଅହରହ ଅଶାନ୍ତି, ଅସ୍ଥିରତା ପ୍ରବଣ କରି ରଖିବାରେ ଯଥେଷ୍ଟ ସହାୟକ ହେଉଥିବା ଏହି ଅମାନୁଷିକ ବିଚାରଧାରା ଜନିତ ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ଆଜି ସମୟର ଦେଖିବାକୁ ମିଳୁଛି ଆମ ଦେଶ ବ୍ୟାପି । କହିବାକୁ ଗଲେ ଆଜି ସମୟରେ ସମଗ୍ର ଭାରତ ବର୍ଷର ସାଧାରଣ ମଣିଷ ମାନଙ୍କ ମନରେ ତୃତୀୟ ସ୍ତରରେ ରହିଥିବା କେବଳ ଐତିହାସିକ ଏବଂ ରାଜନୈତିକ ଚିନ୍ତାଧାରା ବ୍ୟତୀତ କୌଣସି ଅଗ୍ରଗାମୀ ବାଣିଜ୍ୟିକ, ବୈଜ୍ଞାନିକ ଭବିଷ୍ୟ ଦ୍ରଷ୍ଟା ଉପାଖ୍ୟାନ ସଂଚାରିତ ହଉନାହିଁ । ପିଢ଼ିକୁ ପିଢ଼ି ଏହି ଭାବଧାରରେ ନିମଗ୍ନ ଆମର ବଂଶଜ ସମୂହ କେବଳ ସେହି ଦିଗରେ ହିଁ ନିମଜ୍ଜିତ ରହିଥା’ନ୍ତି । ନିଜସ୍ୱ କ୍ଷମତା ବହିର୍ଭୁତ ବିଦେଶୀ ପାଠ୍ୟକ୍ରମ ଗୁଡିକୁ ମୁଖସ୍ତ କରି କୌଣସି ସାମାଜିକ କ୍ଷେତ୍ରରେ ନିୟୋଜିତ ରୋଜଗାର ପନ୍ଥା ସହିତ କ୍ଷଣସ୍ଥାୟୀ ସାମାଜିକ ମାନ୍ୟତା ଏବଂ ଅଜସ୍ର ଅହଂଭାବର ଅପୂର୍ବ ସମ୍ଭାରରେ ବିଭୂଷିତ ଭାରତୀୟଙ୍କ ବିକାଶ କେବଳ ଆକାଶର ନକ୍ଷତ୍ର ସଦୃଶ୍ୟ ଦଣ୍ଡାୟମାନ ! ମଧ୍ୟବିତ୍ତ ପରିବାରଙ୍କ ଏହି ଭାବଧାରା ସାମାଜିକ ନିମ୍ନ ସ୍ତରର ନିର୍ବୋଧ ଅଶିକ୍ଷିତଙ୍କ ପାଇଁ ପ୍ରେରଣା ଯୋଗାଉଥିବା ବେଳେ ରାଜଅନୈତିକ ନେତାଙ୍କ ଆକର୍ଷଣୀୟ ଉପହାରରେ ବିମଣ୍ଡିତ ଗରିବ, ଦଳିତଙ୍କ ବିଚାରଧାରାର ବିଶ୍ଳେଷଣ କଲେ ଥିବା ମସ୍ତିଷ୍କଟି ଶୂନ୍ୟ ହୋଇଯିବ । କୌଣସି ବାସ୍ତବବାଦୀ ବିକାଶଶୀଳ କାର୍ଯ୍ୟରେ ସୁଯୋଗ ସୃଷ୍ଟି କରିବା, ପ୍ରେରଣା ଦେବା ବଦଳରେ ତାହାର ବିପରୀତେ କେବଳ ଅମାନବୀୟ, ଅସାମଞ୍ଜସ୍ୟ, ବିଗତ ଘଟଣାବଳୀର ଅଭାବନୀୟ ବିଚାରଧାରା ଗୁଡିଏ ବିଭିନ୍ନ ମାଧ୍ୟମରେ ପ୍ରଚାରିତ, ପ୍ରସାରିତ କରି ଅଲୌକିକ, ମିଥ୍ୟା ସଂଭାଷଣରେ ଲୋକଙ୍କ ବିକଶିତ ମସ୍ତିଷ୍କର କ୍ଷମତା, ଦକ୍ଷତାକୁ ସଂକୁଚିତ କରି ଚାଲିଥିବା ବଂଶାନୁକ୍ରମିକ ରାଜଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ନର ରାକ୍ଷସ ଗୁଡିକୁ ସାଧାରଣ ଜନତା ବର୍ଜନ ନ କରିବା ପର୍ଯ୍ୟନ୍ତ ଆମେ କ୍ରୀତଦାସ ଅବସ୍ଥାକୁ ଗତି କରୁଥିବା ଦିଗରୁ ତ୍ରାହି ନାହିଁ ବୋଲି ଆମ ବିଚାରରେ ଆପଣଙ୍କ ଅନୁଭୂତି କ’ଣ…..??
ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଂଜାମ.