ଫୁଲନଖରା (ସମୃଦ୍ଧଓଡିଶା) ଫୁଲନଖରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ରାଷ୍ଟ୍ରୀୟ ଶିକ୍ଷା ମୈତ୍ରୀ ସଂଗଠନ, ଓଡ଼ିଶା ପକ୍ଷରୁ ୨୧ତମ ପ୍ରାଦେଶିକ ବାର୍ଷିକ କ୍ରୀଡା ପ୍ରତିଯୋଗିତା ନିକଟସ୍ଥ ବମ୍ପକୁଦ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ସାଗରିଳା ବିଶ୍ଵାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ କ୍ରୀଡାବିତ୍ ସ୍ୱାଧୀନ ଚେତା ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଠାରୁ ପ୍ୟାରେଡ୍ ଅଭିଭାଦନ ଗ୍ରହଣ କରିବା ସହିତ କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡା ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ । ଶୈଶବାବସ୍ଥାରୁ ଶିକ୍ଷାର ଭୂମିକା ଯେତିକି ଗୁରୁତ୍ବପୂର୍ଣ ଏକ ପୂର୍ଣାଙ୍ଗ ସୁସ୍ଥ ଜୀବନ ପାଇଁ କ୍ରୀଡାର ଆବଶ୍ୟକତା ମଧ୍ୟ ସେତିକି ଗୁରୁତ୍ଵପର୍ଶ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ରାଷ୍ଟ୍ରୀୟ ଶିକ୍ଷା ମୈତ୍ରୀ ସଂଗଠନର ପ୍ରାନ୍ତ ନିରୀକ୍ଷକ ପ୍ରଦୀପ କୁମାର ଦାଶ, ବିଦ୍ୟାଳୟର ଉପଦେଷ୍ଟା କାନନ ବିହାରୀ ନାୟକ ଯୋଗ ଦେଇଥିଲେ । କଟକ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର ଆଦି ଜିଲ୍ଲାରୁ ଆସିଥିବା ୧୨ଟି ବିଦ୍ୟାଳୟର ୧୬୦ଜଣ ଛାତ୍ରଛାତ୍ରୀ ଦୌଡ, ପୁଚି, ଦଉଡି ଡିଆଁ, ଲମ୍ବ ତିଆ, ସଟପୁଟ୍ ଥ୍ରୋ, କବାଡି, ଖୋ-ଖୋ ଆଦି ଖେଳରେ ଅଂଶଗ୍ରହଣ କରିଥିଲେ । ଦିବସବ୍ୟାପୀ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ସଂଗୀତା ଦାଶଙ୍କ ପୌରହିତ୍ୟରେ ଅବସରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ପ୍ରବୋଧ କୁମାର ମହାପାତ୍ର ମୁଖ୍ୟ ଅତିଥି ଓ ଏସ୍ୟୁଜେ କଟକ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଶରତ କୁମାର ପରିଜା ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଯାଜପୁର ଜିଲ୍ଲା ତୋରନ୍ଦାର ଶ୍ରୀପୁରୁଷୋତ୍ତମ ବିଦ୍ୟା ମନ୍ଦିରର ଛାତ୍ର ଅମୃତ ସାଗର ସେନାପତି ଚମ୍ପିୟନ ଟ୍ରଫି ହାସଲ କରିଥିଲେ । କ୍ରୀଡା ଶିକ୍ଷକ ଦୀନବନ୍ଧୁ ଦଳାଇ, ମାମାଲି ଦାସ ଖେଳ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁମା ଗୁରୁଜୀ ସହଯୋଗ କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର