ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ପୌର ପ୍ରଶାସନ ପକ୍ଷରୁ ରାସ୍ତାକଡ଼ ବୁଲା ବିକ୍ରେତାଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି । ସ୍ଥାନୀୟ ରାଣିଗୁଡା ଫାର୍ମସ୍ଥିତ ବିଜୁ କଲ୍ୟଣ ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାୟଗଡା ସହରାଞ୍ଚଳର ୬୦ରୁ ଊଦ୍ଧ୍ୱର୍ ରାସ୍ତା ପାଶ୍ୱର୍ ବିକ୍ରେତାଙ୍କୁ ପୌରପାଳିକା ଅଧିକାରୀ ତାଲିମ ପ୍ରଦାନ କରିଥିବା ଜଣାଯାଇଛି । ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଅଞ୍ଚଳିକ ଏସବିଆଇ ବ୍ୟାଙ୍କ ଶାଖା ପରିଚାଳକ ପ୍ରଭାକର ରାଓ ଓ ୟୁନିୟନ ବ୍ୟାଙ୍କ ଶାଖା ପରିଚାଳକ ଆଲୋକ କୁମାର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପୌର ପ୍ରଶାସନ ପକ୍ଷରୁ ରାଣିଗୁଡା ଫାର୍ମସ୍ଥିତ ୧୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମିତ ଭେଡିଙ୍ଗ ଜୋନ ଉଦ୍ଘାଟିତ ହୋଇଯାଇଛି । ସର୍ବେକ୍ଷଣ ଅନୁଯାୟୀ ରାୟଗଡା ପୌରାଞ୍ଚଳରେ ମୋଟ ୯୧୭ଜଣ ରାସ୍ତାକଡ଼ ବୁଲା ବିକ୍ରେତା ପଞ୍ଜୀକୃତ ହୋଇଥିବା ଜଣାପଡିଛି । ତେଣୁ ଆଗାମୀ ଦିନରେ ଉକ୍ତ ବ୍ୟବସାୟୀଙ୍କ ସହରାଞ୍ଚଳ ଜୀବୀକା ମିଶନ ମାଧ୍ୟମରେ ଥଇଥାନ ବ୍ୟବସ୍ତା କରାଯାଉଥିବା ପୌରପାଳିକା ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସହରର ବିଭିନ୍ନ ଖାଲି ସ୍ଥାନକୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିସହ ଉକ୍ତ ସ୍ଥାନର ସମୂର୍ଣ୍ଣ ବିବରଣୀ ତାଲିକା ପ୍ରସ୍ତୁତ କରି ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କୁ ପଠାଯାଇଛି । ତେବେ ଅନୁମତି ମିଳିଲେ ଖୁବଶୀଘ୍ର ଉକ୍ତ ଭେଣ୍ଡିଂ ଜୋନ ନିର୍ମାଣ କରି ରାସ୍ତାକଡ ବୁଲା ବିକାଳିଙ୍କୁ ଥଇଥାନ କରାଯିବ ବୋଲି ପୌର ପ୍ରଶାସନ କାର୍ଯ୍ୟନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ସମାପିକା ପାତ୍ର, ଦେବସ୍ମିତା ପାଣିଗ୍ରାହୀ, କ୍ରିଷ୍ଣାରାଜୁ ବେହେରା ପ୍ରମୁଖ ପୌର ପ୍ରଶାସନ କର୍ମଚାରୀ ଉପସ୍ଥିତ ଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ