ରାୟଗଡା (ସମୃଦ୍ଧ ଓଡିଶା) ଜାତୀର ପିତା ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ରାୟଗଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସର୍ବୋଦୟ ମଣ୍ଡଳ ମିଳିତ ଅନୁକୂଲ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟବକ୍ତାଗଣ ଯୋଗଦେଇ ବାପୁଙ୍କ ଆଦର୍ଶରେ ବିଶ୍ୱବାସୀ ଅନୁପ୍ରାଣିତ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ରୂପେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନୀୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଏନ ଭସ୍କାର ରାଓ, ବିଜୁ ସ୍ୱସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧିର ଦାସ, ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଉପଜିଲ୍ଲାପାଳ ପ୍ରତାପଚନ୍ଦ୍ର ପ୍ରଧାନଙ୍କ ସମେତ ଜିଲ୍ଲା ସର୍ବୋଦୟ ମଣ୍ଡଳ ସଭାପତି ଜୟରାମ ଜେନା, ବିଶିଷ୍ଟ ଗାନ୍ଧୀବାଦୀ ନେତା ଶାନ୍ତି ଅପା, ବିଶିଷ୍ଟ ଶିକ୍ଷାବିତ ଡଃ ଦୁଷ୍ମନ୍ତ କୁମାର ମହାନ୍ତି, ସମାଜସେବୀ ବାଦଲ ତା ଏବଂ ଅନ୍ୟ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ସହର ଗଜପତି ଛକରୁ ଏକ ଶୋଭାଯାତ୍ର ବାହାରି ବସଷ୍ଟାଣ୍ଡ ଛକ ଦେଇ ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନରେ ପହଞ୍ଚିଥିଲା । ଉକ୍ତ ଶୋଭାଯାତ୍ରରେ ସହର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷାର୍ଥୀ ହାତରେ ଫ୍ଲାକାର୍ଡ ଧରି ମାହାତ୍ମାଙ୍କ ଜୀବନୀରୁ ଉଦ୍ବୃତତ ଉକ୍ତିକୁ ପ୍ରଦର୍ଶନ କରି ସ୍ଲୋଗନ ଦେଇ ସହର ପରିକ୍ରମା କରିଥିଲେ । ଉଦ୍ୟାନରେ ପ୍ରତିଷ୍ଠିତ ପୁଣ୍ୟାତ୍ମା ଉକ୍ରମଣି ପଣ୍ଡିତ ଗୋପବନ୍ଧୁ ଦାସ, ଜାତିର ଜନକ ମାହାତ୍ମା ଗାନ୍ଧୀ ଓ ସନ୍ଥ ଭିନୋବା ଭାବେଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ ହୋଇଥିଲା । ସଭାରେ ସର୍ବଧର୍ମ ପ୍ରାର୍ଥନା ହୋଇଥିଲା । ମୁଖ୍ୟ ଅତିଥି ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ଶ୍ରୀ ସାରକା ବକ୍ତବ୍ୟ ଦେଇ ମହାତ୍ମାଙ୍କ ଜୀବନୀରେ ଯୁବପିଢି ଅନୁପ୍ରାଣିତ ହେଲେ ସମାଜ ବିକାଶ ଦିଗରେ ଆଗ୍ରସର ହେବ ବୋଲି ମତବ୍ୟକ୍ତ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ବେହେରା ଯୋଗଦେଇ ମାହାତ୍ମାଙ୍କ ସତ୍ୟ, ଅହିଂସା ଓ ସ୍ୱାବଲମ୍ବି ମାର୍ଗକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ସର୍ବୋଦୟ ମଣ୍ଡଳ ସଭାପତି ଜୟରାମ ଜେନା ଉଦବୋଧନ ଦେଇ ଦେଶର ସର୍ବଶ୍ରେଷ୍ଠ ନାଗରକ ମାହାତ୍ମା ଗାନ୍ଧୀ ଥିଲେ ବୋଲି ମତ ପୋଷଣ କରିଛନ୍ତି । ସାରା ବିଶ୍ୱ ଆଜିର ଦିନକୁ ବିଶ୍ୱ ଅହିଂସା ଦିବସ ରୂପେ ପାଳନ କରୁଥିବା ବିଶିଷ୍ଟ ଶିକ୍ଷାବିତ ଡଃ ମହାନ୍ତି ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କୃତୀ ବିଦ୍ୟାର୍ଥଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । ପଦ୍ମପୁର ବ୍ଲକ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ପୁରଷ୍କୃତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରତାପଚନ୍ଦ୍ର ବେହେରା, ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଟୁକୁ ବାର ମଞ୍ଚାସୀନ ଥିଲେ । ସହରସ୍ଥ ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ ଏବଂ ଏନସିସିର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ