ରାୟଗଡାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଗତକାଲି ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହୋଇଯାଇଛି । ରାୟଗଡା ଦୁର୍ନୀତି ନିବାରଣ ବିଭାଗର ଡିଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତି ଗୁହା ପୁନମ ତାପସ କୁମାର, ଏସପି ରାହୁଲ ପି.ଆର., ରାୟଗଡା ବିଧାୟକ ଲାଲବିହାରୀ ହିମିରିକା ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ଅଧ୍ୟାପକ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସମାଜରେ ଦୁର୍ନୀତିକୁ ରୋକିବାକୁ ହେଲେ ସମସ୍ତଙ୍କୁ ନିଜ ଭିତରେ ପରିବର୍ତ୍ତନ ଆଣିବାକୁ ପଡିବ ବୋଲି କହିଥିଲେ । ସେହିପରି ଡିଏସପି ଶ୍ରୀ ବିଶ୍ୱାଳ ମଧ୍ୟ ସରକାରୀସ୍ତରରେ ବୃଦ୍ଧି ପାଉଥିବା ଦୁର୍ନୀତି ପାଇଁ ବହୁ ସରକାରୀ ବାବୁମାନେ ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ବା କେତେବେଳେ ଲାଞ୍ଚ ନେଉଥିବା ବେଳେ ଧରା ପଡୁଛନ୍ତି ତେଣୁ ଏହାର ମୂଳ ଉତ୍ପୋଟନ ପାଇଁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସଚେତନତା ଓ ନିବାରଣ ନେଇ ଉଦ୍ୟମ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି । ଏହି ଅବସରରେ ଜିଲ୍ଲାରେ ଵିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ୧୮ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ସମସ୍ତ ବିଭାଗର ଅଧିକାରୀମାନଙ୍କ ସହ ଛାତ୍ରଛାତ୍ରୀ, ଭିଜିଲାନ୍ସ ଏସ.ଆଇ.କଳାବତୀ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ:ତୁଷାର ରଞ୍ଜନ ସାହୁ