ରାୟଗଡାରେ ତିତଲିର ତାଣ୍ଡବ ଲୀଳା:ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ,ରେଳ ଚଳାଚଳ ବି ଠପ,ବିପଦ ସଂକେତ ଉପରେ ବଂଶଧାରା

ରାୟଗଡ଼ା (ତୁଷାର ରଞ୍ଜନ ସାହୁ): ସାମୁଦ୍ରିକ ଝଡ ତିତଲିର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି ଓଡିଶା । ତିତଲି ପଶ୍ଚିମବଙ୍ଗ ମୁହାଁ ହୋଇ ସ୍ଥଳଭାଗକୁ ଛୁଇଁବାପରେ ଉଗ୍ର ରୁପ ନେଇଥିଲା । ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ଏହାର ପ୍ରଭାବ ରାୟଗଡା ଜିଲ୍ଲାରେ ମଧ୍ୟ ଅନୁଭୂତ ହୋଇଛି। ଘଣ୍ଟାକୁ ପ୍ରାୟ ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବା ଫଳରେ ବଡ ବଡ ଗଛ ଧରାଶାୟୀ ହୋଇ ଯାଇଛି । ତିତଲି ଭୟ ଲୋକଙ୍କୁ ଖୁବ ଡରାଇଥିବା ବେଳେ ବର୍ଷା ପବନ ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖିନ ହୁଅନ୍ତି । ବିଦ୍ୟୁତ ସରବରାହ ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ରାସ୍ତା ଉପରେ ବଡ଼ ବଡ଼ ଗଛ ପଡି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଯାତାୟତ ନେଇ ଲୋକେ ହଇରାଣ ହୋଇଥିବା ବେଳେ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାର ପ୍ରଭାବରେ ଗତ ବୁଧବାର ସନ୍ଧ୍ୟାରୁ ଏଠାରେ ପାଗ କୋହଲା ରହିଥିଲା । ବିଳମ୍ବିତ ରାତିରେ ଏହାର ପ୍ରଭାବ ଧୀରେ ଧୀରେ ବଢ଼ିବାରେ ଲାଗିଥିଲା । ଝଡ ସ୍ଥଳଭାଗର ଯେତେ ନିକଟତର ହେଉଥିଲା ଜିଲରେ ପବନର ବେଗ ବଢ଼ିବାରେ ଲାଗିଥିଲା । ରାତି ପ୍ରାୟ ୨ଟା ବେଳକୁ ୫୦ରୁ ୬୦କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ସହ ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା । ଝିପିଝିପି ବର୍ଷା ସାଙ୍ଗକୁ ପବନ ଯୋଗୁଁ ଲୋକେ ଆତଙ୍କିତ ହୋଇ ପଡିଥିଲେ । ପୂର୍ବ ବାତ୍ୟାଗୁଡିକ ସମୟରେ ଜିଲାରେ କେବଳ ବର୍ଷା ହୋଇଥିବା ବେଳେ ତିତଲି ଲୋକଙ୍କୁ ଅଧିକ ଭୟଭୀତ କରିଥିଲା । ପ୍ରବଳ ବେଗରେ ପବନକୁ ଦେଖି ଲୋକେ ରାତି ପାହିବାର ଘଡିଏ ପୂର୍ବରୁ ରାସ୍ତା ଘାଟରେ ଠିଆ ହୋଇ ପବନର ଗତି ବିଧିକୁ ଅନୁଧ୍ୟାନ କରୁଥିଲେ । କୌଣସି ଅଘଟଣକୁ ଏଡାଇବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ସାରା ଜିଲାରେ ସରବରାହ ବିଚ୍ଛିନ୍ନ କରି ଦିଆଯାଇଥିଲା । ସକାଳ ବେଳକୁ ପବନର ବେଗ ବଢ଼ି ଯାଇଥିଲା । କେବଳ ସହର ଭିତରେ ୨୫ କିଲୋମିଟର ଦୀର୍ଘରୁ ଅଧିକ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା । ତେବେ ବର୍ଷା ଓ ପବନ ଜାରି ରହିଥିବା ବେଳେ ଏହାର ମରାମତି କାମ ଆରମ୍ଭ ହୋଇପାରୁ ନଥିଲା । ରାୟଗଡା-କୋରାପୁଟ ରସ୍ତାର ଗୁମ୍ମା ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ଅଗ୍ନିଶମ ବିଭାଗ ଓ ପୁଲସ ବାହିନୀ ପହଞ୍ଚି ରାସ୍ତାରୁ ଗଛ କାଟି ସଫା କରିଥିଲେ । ପବନ ଯୋଗୁଁ ଚାଷ ଜମିରେ ବ୍ୟାପକ ଫସଲ ମଧ୍ୟ ନଷ୍ଟ ହୋଇଛି । କୋଲନରା ପଦ୍ମପୁର, ବିଷମକଟକ ଆଦି ସ୍ଥାନରେ ଜମିରେ ଠିଆ ହୋଇଥିବା ଧାନ ଗଛ ପବନରେ ତଳେ ପଡି ଯାଇଥିବା ବେଳେ ବର୍ଷା ଯୋଗୁଁ ଏଗୁଡିକ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି । ଜିଲା ପ୍ରସାଶନ ପକ୍ଷରୁ ପରିସ୍ଥିତିକୁ ନଜର ରଖା ଯାଇଥିଲା । ଜିଲାପାଳ ଗୁହା ପୁନମ ତାପସକୁମାର ନିଜେ ଅବସ୍ଥା ତଦାରଖ କରିବା ସହ ଜିଲାର ସମସ୍ତ ଅଂଚଳ ବିଷୟରେ ପଚାରି ବୁଝିଥିଲେ । ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକର ବିଡିଓମାନଙ୍କୁ ନିଜ ଅଂଚଳରେ ନଜର ରଖିବା ସହ ଗୁଡାରି, ଗୁଣପୁର ଓ ବଂଶଧାରା ନଦୀ ଉପରେ ନଜର ରଖିବାକୁ କୁହାଯାଇଥିଲା । ପରିସ୍ଥିତିକୁ ଦେଖି ବଂଶଧାରା ନଦୀ ତଟରେ ରହୁଥିବା ବସ୍ତି ବାସିନ୍ଦାମାନଙ୍କୁ ମଧ୍ୟ ସ୍ତାନାନ୍ତରଣ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି । ସହରରେ ବିଦ୍ୟୁତ ନଥିବାବେଳେ ପାନୀୟ ଜଳର ସମସ୍ୟା ଦେଖା ଦେଇଛି । ସହରବାସୀ ବିନା ପାଣିରେ ଦିନ ତମାମ ରହିଥିବା ଜଣାପଡିଛି । ରାୟଗଡା ବ୍ରହ୍ମପୁର ରାସ୍ତାର ମୁକୁନ୍ଦପୁର ଘାଟିରେ ପଥର ଅତଡା ଖସିବା ସହ କେନ୍ଦୁଗୁଡାଠାରେ ଘଛ ଭାଙ୍ଗବା ଯୋଗୁଁ କିଛି ସମୟ ସକାଶେ ରାସ୍ତା ବନ୍ଦ ରହିଥିଲା । ଅଗ୍ନିଶମ ବିଭାଗ ପହଂଚି ଗଛ କାଟି ସଫା କରିଥିଲେ । ଆସନ୍ତା କାଲି ମଧ୍ୟ ତିତଲି ପ୍ରଭାବ ଏଠାରେ ଲାଗି ରହିବ ବୋଲି କୁହାଯାଇଛି ।ଅନ୍ୟପକ୍ଷରେ  ରାୟଗଡା ଜିଲ୍ଲାର ଗୁଣପୁର ବ୍ଲକ ଅଞ୍ଚଳରେ ବାତ୍ୟା ତିତ୍‌ଲିର ପ୍ରଭାବ ପଡିଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତିତ୍‌ଲି ପ୍ରଭାବରେ ଗତକାଲି ମଧ୍ୟ ରାତ୍ରରୁ ପ୍ରବଳ ପବନ ବୋହିବା ସହ ବର୍ଷା ଲାଗି ରହିବା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବାରୁ ଗଜପତି ଜିଲ୍ଲା ଓ ପଡୋଶୀ ଆନ୍ଧ୍ରପ୍ରଦେଶ ସହ ଯୋଗାଯୋଗ ଠପ୍‌ ହୋଇଯାଇଛି। ପ୍ରବଳ ପବନରେ ଅନେକ ଝୁମ୍ପୁଡି ଘର ନଷ୍ଟ ହୋଇଯାଇଛି। ପ୍ରଶାସନ ପକ୍ଷରୁ କିଛି ଲୋକଙ୍କୁ ସ୍ଥାନୀୟ ଟାଉନ ହଲ ଓ କଲ୍ୟାଣ ମଣ୍ତପରେ ଲୋକଙ୍କୁ ଥଇଥାନ କରାଯାଇଛିି। ଅନ୍ୟପଟେ ୨୪ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିବାରୁ ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ଯୋଗୁଁ ଗୁଣପୁର ବ˚ଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆଜି ରାତି ୯ଟା ସୁଦ୍ଧା ଗୁଣପୁର ବଂଶଧାରା ନଦୀରେ ୮୪.୭୭ମିଟର ଓ ଗୁଡାରୀ ବଂଶଧାରା ନଦୀରେ ୭୬ମିଟର ଜଳ ପ୍ରବାହିତ ହେଉଥିବା ବନ୍ୟା ନିୟନ୍ତ୍ରଣ ଦାୟିତ୍ବରେ ଥିବା ଅଧିକାରୀ ମାଝୀ ଖାଡଙ୍ଗା ସୂଚନା ଦେଇଛନ୍ତି। ଉପର ମୁଣ୍ତରେ ବର୍ଷା ଜାରି ରହିଥିବାରୁ ଜଳସ୍ତର ବୃଦ୍ଧି ପାଇବା ସମ୍ଭାବନା ରହିଛି ବୋଲି ସିଡବ୍ଲୁସି ପକ୍ଷରୁ ସୂଚନା ମିଳିଛି। ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା ରହିଥବାରୁ ଉଦ୍ଧାର କାର୍ଯ୍ୟ ପାଇଁ କୋରାପୁଟରୁ ଓଡ୍ରାଫ୍ ଟିମ୍ ଗୁଣପୁରରେ ପହଞ୍ଚିଥିବା ଜଣାପଡିଛି।ତିତ୍‌ଲି ପ୍ରଭାବରେ ଗତକାଲି ରାତି ୭ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ଗୁଣପୁର ଅଞ୍ଚଳରେ ଝିପିଝିପି ବର୍ଷା ସହ ପବନ ଜାରି ରହିଥିଲା। ମଧ୍ୟ ରାତ୍ରରେ ହଠାତ୍‌ ବର୍ଷା ଓ ପବନ ବୃଦ୍ଧି ପାଇବା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ଯୋଗୁଁ ଗଜପତି ଜିଲ୍ଲା ଓ ପଡୋଶୀ ଆନ୍ଧ୍ରପ୍ରଦେଶ ସହ ଯାତାୟାତ ଠପ୍‌ ହୋଇଯାଇଛି। ପ୍ରବଳ ପବନ ଯୋଗୁଁ ଗୁଣପୁର ବ୍ଲକର ପୁଟାସି˚, ଶଗଡା, ରେଗେଡା, ଚାଲକାମ୍ବା, ଗାଦିଆଖଳା, କୁଜେନ୍ଦ୍ରୀ ଭଳି ପଞ୍ଚାୟତ ସମେତ ଗୁଣପୁରର ଅନେକ ଝୁମ୍ପୁଡି ଘର ନଷ୍ଟ ହୋଇଯାଇଛି। ସେହିପର ଧାନ ଓ କପା ଗଛ ଗୁଡିକ ଧରାଶାୟୀ ହୋଇପଡିଛି। ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କିଛି ଲୋକଙ୍କୁ ଗୁଣପୁର ସ୍ଥିତ ଟାଉନ ହଲ ଓ ବିଜୁ କଲ୍ୟାଣ ମଣ୍ତପରେ ଥଇଥାନ କରାଯାଇ ଖାଦ୍ୟ ପ୍ରଦାନ କରାଯାଇଛି। କିନ୍ତୁ ଏଭଳି ଜରୁରି ସମୟରେ ଗତ କିଛି ବର୍ଷ ତଳେ ବିକ୍ରମପୁର ଛକରେ ପୂର୍ତ ବିଭାଗ ପକ୍ଷରୁ ନିର୍ମିତ ବାତ୍ୟା ଆଶ୍ରୟ ସ୍ଥଳ କାମରେ ନଲାଗିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତିତ୍‌ଲି ପ୍ରଭାବରେ ଡମ୍ବସରା ପଞ୍ଚାୟତ ଅନ୍ତର୍ଗତ ଭୁଲୁଶୁଣ୍ଡା ଗ୍ରାମର ୬୦ରୁ ଊର୍ଧ୍ବ ଗୋରୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଉପଜିଲ୍ଲାପାଳ ଅମ୍ରିତ ଋତୁରାଜ ଦିନ ତମାମ ବିଭିନ୍ନ ଅଞ୍ଚଳ ଗସ୍ତ କରି ପରସ୍ଥିତି ଉପରେ ନଜର ରଖିଛନ୍ତି। ରାୟଗଡା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ମଧୢ ଗୁଣପୁର ଅଞ୍ଚଳର ପରିଦର୍ଶନ କରି ସ୍ଥିତି ପରଖିଥିଲେ। ତିତ୍‌ଲି ପ୍ରଭାବରେ ଗୁଣପୁର ବ୍ଲକ ସଦର ମହକୁମାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଗତକାଲି ଠାରୁ ବିଦ୍ୟୁତ ସେବା ବନ୍ଦ ରହିଥିବାରୁ ଲୋକେ ପାନୀୟ ଜଳ ପାଇଁ ବହୁ ହଇରାଣ ହେଉଛନ୍ତି। ଖବର ଲେଖା ହେବା ସୁଦ୍ଧା ବର୍ଷା ଜାରି ରହିଛି। ବର୍ତମାନ ସୁଦ୍ଧା ଗୁଣପୁର ଅଞ୍ଚଳରେ ୭୫ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନ୍ୟପଟେ ତିତ୍‌ଲିର ମୁକାବିଲା ନିମନ୍ତେ ଉପଜିଲ୍ଲାପାଳ ସ˚ଧୢାରେ ଜରୁରିକାଳୀନ ବୈଠକ ଡକାଇଛନ୍ତି।ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଜିଲ୍ଲାର ଅମ୍ବାଦଳା ଏବଂ ଦହିଖାଳ ରେଳ ଲାଇନ୍‌ରେ ଗଛ ପଡ଼ି ଯିବା ଫଳରେ ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ଫଳରେ ମୁନିଗୁଡ଼ା ଷ୍ଟେସନ୍‌ରେ ସନ୍ତ୍ରାକାଛି-ଚେନ୍ନାଇ ଏକ୍ସପ୍ରେସ୍ ଅଟକି ରହିଛି।ସେହିପରି ଅମ୍ବାଦଳାଠାରେ ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସ୍, ବିଷମକଟକରେ ତିରୁପତି-ବିଲାସପୁର ଏକ୍ସପ୍ରେସ୍ ଅଟକି ରହିଛି।  ରେଳ ଟ୍ରାକ୍‌କୁ ସଫା କରିବା କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି।

 ମୁନିଗୁଡ଼ା ଷ୍ଟେସନ୍‌ରେ ସନ୍ତ୍ରାକାଛି-ଚେନ୍ନାଇ ଏକ୍ସପ୍ରେସ୍ ଅଟକି ରହିଛି