

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଉଦ୍ୟମ କରାଯିବ । ଗତକାଲି ଦିନିକିଆ ରାୟଗଡା ଜିଲ୍ଲାଗସ୍ତରେ ଆସି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରଥମେ ରାୟଗଡା ସଦର ବ୍ଲକର ଭାକୁରଗୁଡା ସେବାଶ୍ରମ ଗସ୍ତ କରି ସ୍କୁଲ କର୍ତ୍ତୃପକ୍ଷ ହାତକୁ ନେଇଥିବା ବିଭିନ୍ନ ଶିକ୍ଷାଭିତ୍ତିକ ଖସଡାର ଅନୁଧ୍ୟାନ କରିଥିଲେ । ପିଲାଙ୍କ ପାଠପଢ଼ା ଏବଂ ଜ୍ଞାନଗାରିମା ଦେଖି ନିରାଶ ହେଲେ ମନ୍ତ୍ରୀ । ମନ୍ତ୍ରୀ କମ୍ପ୍ୟୁଟରର ମନିଟର, ମାଉସ୍, ସିପିୟୁ ଆଦି ଯନ୍ତ୍ରାଂଶକୁ ଦେଖାଇ ଏସବୁ କଣ ବୋଲି ଜଣେ ସପ୍ତମ ଶ୍ରେଣୀ ଛାତ୍ରକୁ ପ୍ରଶ୍ନ କରିଥିଲେ । ପିଲାଟି ସଠିକ ଉତ୍ତର ଦେଇନପାରିବାରୁ ଉଦବେଗ ପ୍ରକାଶ କଲେ ମନ୍ତ୍ରୀ ପରେ ରାୟଗଡା ସହରର ଉପକଣ୍ଠରେ ଥିବା ପ୍ରେମ୍ ପାହାଡ ବୁଲି ଦେଖିଥିଲେ ମନ୍ତ୍ରୀ । ଉକ୍ତ ପାହାଡ ଏବେ ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ପେଣ୍ଠସ୍ଥଳ ପାଲଟିଥିବା ବେଳେ ଏହାର ଉନ୍ନତି ପାଇଁ ପର୍ଯ୍ୟାୟକ୍ରମେ ଉଦ୍ୟମ କରାଯିବ ବୋଲି କହିଥିଲେ । ସେହିପରି ପୁରୀ, କୋଣାର୍କ ଓ ଚିଲିକାର ପର୍ଯ୍ୟଟନ ବିକାଶ ଉପରେ ଯେମିତି ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି, ସେହିପରି ଅବିଭକ୍ତ କୋରାପୁଟ୍ ଜିଲ୍ଲାରେ ମଧ୍ୟ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ପରେ ସହର ସ୍ଥିତ ଏକଲବ୍ୟ ଆଶ୍ରମ ବିଦ୍ୟାଳୟକୁ ଯାଇ ଦଶମ ଏବଂ ଏକାଦଶ ଶ୍ରେଣିର ପିଲାଙ୍କୁ ପାଠ ପଢ଼ାଇଥିଲେ । ଶେଷରେ ଏହି ଆଶ୍ରମ ସ୍କୁଲର ଛାତ୍ରୀନିବାସ ପରିଦର୍ଶନ କରି ପିଲାଙ୍କ ସହିତ ଏକାଠି ବସି ମଧ୍ୟାନ ଭଜନ ଖାଇଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ

