ରାୟଗଡା ଜିଲ୍ଲାପ୍ରଶାସନର ସହାୟତା ଯୋଗୁଁ ମିତା ସୁସ୍ଥ ହୋଇ ଫେରିଲା …

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ପ୍ରଶାସନ ଦେଇଥିଲା ପ୍ରତିଶ୍ରୁତି  ମିତା ଶବରକୁ ଚିକିତ୍ସା କରାଇ ସୁସ୍ଥ କରିବ । ପ୍ରଶାସନ ପକ୍ଷରୁ ଦେଇଥିବା ପ୍ରତିଶ୍ରୁତିକୁ ସଠିକ ଭାବେ ତୁଲାଇବାରେ ସଫଳ ହୋଇଛି । ୪ମାସର ଚିକିତ୍ସା ପାଇ ସୁସ୍ଥ ହୋଇ ମିତା ଫେରିଛନ୍ତି । ଅସ୍ୱାଭାବିକ ରୂପେ ବଢ଼ି ଚାଲିଥିବା ହାତର ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଶୁକ୍ରବାର ନିଜ ଗାଁ ପେରପାଙ୍ଗୁକୁ ଫେରିଛନ୍ତି । ଖୁବଶୀଘ୍ର କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ କରଯିବ ବୋଲି ଜିଲାପାଳ ଗୁହା ପୁନମ ତାପସ କୁମାର ମତବ୍ୟକ୍ତ କିରିଥିବା ବେଳେ ମିତାର ବଢ଼ି ଚାଲିଥିବା ହାତ ସମ୍ପର୍କରେ ନଜରକୁ ଆଣିଥିବାରୁ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି । ରାୟଗଡା ଜିଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ପେରପାଙ୍ଗୁ ଗାଁର ଝିଅ ମିତା ଶବର । ଝିଅଟି ସହାୟତା ପାଇଁ ଜିଲା ପ୍ରଶସନର ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସିବା ପରେ ସେ ନାବାଳିକାର ଯନ୍ତ୍ରଣାକୁ ଜିଲାପାଳ ଗୁହା ପୁନମ ତାପସ କୁମାର ହୃଦୟଙ୍ଗମ କରିଥିଲେ । ତାରି କଷ୍ଟକୁ ବୁଝିପାରି ସେ ଝିଅଟିକୁ କଥା ଦେଇଥିଲେ ଯେ ତାକୁ ସୁସ୍ଥ କରାଯିବ । କଥା ପ୍ରକାରେ ତକ୍ରାଳୀନ ସିଡିଏମଓ ଚନ୍ଦ୍ରିକା ପ୍ରସାଦ ଦାସଙ୍କୁ ମିତାର ଚିକିତ୍ସା ବିଷୟରେ ବୁଝାସୁଝା କରିବା ପାଇଁ ନିର୍ଦେଶ ଦେଇଥିଲେ । ତେବେ ନିର୍ଦ୍ଦେଶ ପ୍ରକାରେ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଉଦ୍ୟମରେ ଗତ ଅଗଷ୍ଟ ୫ତାରିଖରେ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଡାକ୍ତରଙ୍କୁ ସାଥିରେ କଟକ ସ୍ଥିତ ଏସସିବି ଚିକିତ୍ସାଳୟକୁ ପଠାଯାଇଥିଲା । ସେଠରେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଖି ମିତାର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପରେ ହାତକୁ ନ କାଟି ଚିକିତ୍ସା କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ସମ୍ଭବ ହେବାର ଆଶା କ୍ଷୀଣ ଦେଖାଦେବାରୁ ପ୍ଲାଷ୍ଟିକ ସର୍ଜରି ବିଭାଗର ଡାକ୍ତରଙ୍କ ଏକ ଟିମ ଅସ୍ତ୍ରୋପଚାର କରିବାକୁ ସ୍ଥିର କରିଥିଲେ । ନଭେମ୍ବର ୯ତାରିଖରେ ପ୍ରଥମ ଅସ୍ତ୍ରୋପଚାର କରାଯାଇଥିଲା, ଯାହାକି ସଫଳ ହୋଇଥିଲା । ତାର ଏକମାସ ପରେ ପୁର୍ନବାର ଆଉ ଏକ ଅସ୍ତ୍ରୋପଚାର କରଯାଇଥିଲା । ୨ଟି ଅସ୍ତ୍ରୋପଚାର ପରେ ମିତା ସୁସ୍ଥ ଥିବା ଡାକ୍ତର ଅନୁଭବ କରିବା ପରେ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ଦିଆଯାଇଥିବା ଡିପିଏମ ରାଜେଶ୍ୱର ପଟ୍ଟନାୟକ କହିଛନ୍ତି । ପରବର୍ତ୍ତୀ ସମୟରେ ମିତାକୁ ଏକ କୃତ୍ରିମ ଅଙ୍ଗଦେଇ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ କରାଯିବ ବୋଲି ଜିଲାପାଳ କହିଛନ୍ତି । ଅପରପକ୍ଷରେ ମିତାକୁ ସରକାରଙ୍କ ବିଭିନ୍ନ ଯୋଜନା କ୍ରମରେ ତାଙ୍କୁ ଭତ୍ତା ଏବଂ ଜୀବନ ଜୀବିକା ନିର୍ବାହ ପାଇଁ ସହାୟତା ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଥିଲେ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ