


ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାକକ୍ଷରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଖରିଫ ଋତୁରେ ଧାନ ସଂଗ୍ରହ ସକାଶେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଗୁହାପୁନମ ତାପସ କୁମାର ଚାଷୀ ସହ ମିଲରଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ସହ ରାୟଗଡ଼ା ଜିଲ୍ଲାରେ କୃଷକଙ୍କ ନାମ ପଞ୍ଜିକରଣ ସକାଶେ ବିଭିନ୍ନ ସମସ୍ୟା ହେଉଥିବାରୁ ରାୟଗଡ଼ା ଜିଲ୍ଲାର ୧୧ଟି ପଞ୍ଚାୟତ ସିଧାସଳଖ କୃଷକଙ୍କ ନାମ ପଞ୍ଜିକରଣ କରିବା ସକାଶେ ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ଧାନ କ୍ରୟ କରିବା ଓ ଧାନ ବିକ୍ରି ବିଷୟରେ ଆଲୋଚନା ହୋଇଥିଲା । ସେହିପରି ଧାନ କ୍ରୟ ଓ ବିକ୍ରୟର ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବାର ନିୟମ ରହିବା ସହ ବସ୍ତା ଖର୍ଚ୍ଚ ମିଲ୍ ମାଲିକମାନେ ବହନ କରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଗୁହାପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାୟଗଡା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଲାଲ୍ବିହାରୀ ହିମିରିକା, ବିଷମକଟକ ବିଧାୟକ ଜଗନ୍ନାଥ ସାରକା, ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧୀର ଦାସ, ରାୟଗଡ଼ା ଉପଜିଲ୍ଲାପାଳ ପ୍ରବୀର କୁମାର ନାୟକ, ଗୁଣପୁର ଉପଜିଲ୍ଲାପାଳ ବି.ବି ସିଦ୍ଧେଶ୍ୱର ଅଂଶ ଗ୍ରହଣ କରିଥିବାବେଳେ ରାୟଗଡା ଜିଲ୍ଲାର ମିଲ୍ ମାଲିକମାନେ ଓ କୃଷକଙ୍କ ସହ ଲ୍ୟାମ୍ପ୍ସ ଅଧିକାରୀ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ପୁରୁଷୋତ୍ତମ ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ



