ରାୟଗଡ଼ା(ସମୃଦ୍ଧ ଓଡିଶା )ଗରିବ ନିରାଶ୍ରୟ ଲୋକଙ୍କୁ ରାତିରେ ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ରାତିରେ ଆହାର ଯୋଜନା ଆରମ୍ଭ କରିଥିଲେ । ଆଉ ନିୟମ ଥିଲା ରାତି ୯ଟା ପର୍ଯ୍ୟନ୍ତ ଲୋକଙ୍କୁ ୫ଟଙ୍କାରେ ଖାଦ୍ୟ ମିଳିବ । କିନ୍ତୁ ରାୟଗଡ଼ାରେ ଏହି ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ରାତି ୯ଟା ବଦଳରେ ସନ୍ଧ୍ୟା ୮ଟାରୁ ଆହାର କେନ୍ଦ୍ର ବନ୍ଦ ହୋଇଯାଉଥିବା ଅଭିଯୋଗ ହୋଇଛି ।ରାୟଗଡ଼ା ସହର ଜିସିଡି ହାଇସ୍କୁଲ ନିକଟରେ ଥିବା ଆହାର କେନ୍ଦ୍ରରେ ରାଜ୍ୟ ସରକାରଙ୍କ ଘୋଷଣା ପରେ ରାତିରେ ଆହାର କେନ୍ଦ୍ର ଖୋଲାଯାଇଥିଲା। ହେଲେ ଆରମ୍ଭରୁ ଏଠାକାର ଅବସ୍ଥା କହିଲେ ନସରେ। ଜାନୁୟାରୀ ୧୦ତାରିଖ ରାତି ପ୍ରାୟ ୮ଟା ସମୟରେ କିଛି ଶ୍ରମିକ ରାତ୍ର ଭୋଜନ ପାଇଁ ଆହାର କେନ୍ଦ୍ରକୁ ଯାଇଥିଲେ। ତେବେ ୮ଟାରୁ ଆହାର କେନ୍ଦ୍ର ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି। ଏମିତିକି ଶ୍ରମିକମାନେ ବାରମ୍ବାର ଡାକିଥିଲେ ମଧ୍ୟ କେହି ଶୁଣିନଥିବା ଅଭିଯୋଗ ହୋଇଛି । ରାୟଗଡ଼ା ଆହାର କେନ୍ଦ୍ରରେ ପ୍ରତିଦିନ ଦିନରେ ୧୦୦୦ ଓ ରାତିରେ ୨୦୦ ଲୋକଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଉଛି। ଦିନରେ ୧୧ଟାରୁ ୩ଟା ଓ ରାତିରେ ୭ଟାରୁ ୯ଟା ପର୍ଯ୍ୟନ୍ତ ଖାଦ୍ୟ ଦେବାର ନିୟମ ରହିଛି। ହେଲେ ନିୟମ ସତ୍ତ୍ୱେ ୮ଟାରୁ କିଭଳି ତାଲା ପଡ଼ିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଆହାର କେନ୍ଦ୍ରର ମ୍ୟାନେଜରଙ୍କୁ ପଚାରିବାରୁ ଟାର୍ଗେଟ୍ ପୁରଣ ହୋଇଯାଇଥିବା ସେ କହିଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ