ରାୟଗଡ଼ା ପୁରୁଣା ବସଷ୍ଟାଣ୍ଡ ନିକଟରେ ବାଣ ବିସ୍ଫୋରଣ:ଶିକ୍ଷୟତ୍ରୀ ଆହତ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ସ୍ଥିତ ପୁରୁଣା ବସଷ୍ଟାଣ୍ଡ ନିକଟରେ ଏକ ଘରେ ବାଣ ବିସ୍ଫୋରଣ ଘଟିବାରୁ ବୁଧବାର ଅପରାହ୍ନରେ ଜଣେ ଶିକ୍ଷୟତ୍ରୀ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ରାଜସ୍ୱ ବିଭାଗରେ ଗଦାଧର ପାତ୍ର କିରାଣୀ ଚାକିରି କରନ୍ତି । ସେ ପରିବାର ସହିତ ରାୟଗଡ଼ା ପୁରୁଣା ବସଷ୍ଟାଣ୍ଡ ନିକଟରେ ସରକାରୀ ଘରେ ବସବାସ କରନ୍ତି । ଗତକାଲି ଅପରାହ୍ନ ୪ଟା ୩୦ରେ ବାଣ ବିସ୍ଫୋରଣ ହେଇଥିଲା ସେହି ସମୟରେ ତାଙ୍କ ସ୍ତ୍ରୀ ମହେଶ୍ୱରୀ ପାତ୍ର ଏକା ଥିଲେ । ସେ କିଛି ସମୟ ପୂର୍ବରୁ ସ୍କୁଲରୁ ଫେରିଥିଲେ। ଅଚାନକ ବିସ୍ଫୋରଣ ଘଟିବାରୁ ମହେଶ୍ୱରୀ ଆହତର ସମ୍ମୁଖୀନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ପାଇଁ ପୁଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚିଥିଲେ । ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁ ଲିଭାଇଛନ୍ତି । ପୋଲିସ କହିଛି, ବିସ୍ଫୋରଣର ମାତ୍ରା ଭୟଙ୍କର ଥିଲା । ଫଳରେ ଘରର ଆଜବେଷ୍ଟସ ଛାତ ଉଡି ଯାଇଥିଲା । ନିକଟରେ ଥିବା ଏକ ଗଛ ମଧ୍ୟ ଜଳି ଯାଇଛି । ଗଦାଧର ପାତ୍ରଙ୍କୁ ଘଟଣା ସଂପର୍କରେ ଅବଗତ କରାଯାଇଛି । ସହରର ଏକ୍ସ ବୋର୍ଡ ୟୁପି ସ୍କୁଲର ଶିକ୍ଷୟିତ୍ରୀ ମହେଶ୍ୱରୀ ପାତ୍ର କହିବା ଅନୁସାରେ ଆଗକୁ ଦୀପାବଳି ଥିବାରୁ ତାଙ୍କ ପୁଅ କିଛି ହାତ ତିଆରି ବାଣ ରଖିଥିଲା । ଆଜି ସେ ଘର କବାଟ ଖୋଲିବା ବେଳକୁ ବାଣ ଅଚାନକ ବିସ୍ଫୋରଣ ଘଟିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ରିପୋର୍ଟ:ତୁଷାର ରଞ୍ଜନ ସାହୁ