

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଫାଟକ ନିକଟରେ ଆଜି ସକାଳେ ଏକ ଟ୍ୟାଙ୍କର ର ବ୍ରେକ୍ ଫେଲ ହୋଇଯିବାରୁ ରେଳ ଲାଇନ ଉପରେ ଫସି ରହିଛି । ଫଳରେ ମୁନିଗୁଡା ରାୟଗଡ଼ା ମଧ୍ୟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟ୍ୟାଙ୍କରଟି ବିଶାଖାପାଟଣାରୁ ଆଲୁମିନିୟମ ପାଉଡର ବୋଝେଇ କରି ଝାରସୁଗୁଡ଼ା ଅଭିମୁଖେ ଯିବାବେଳେ ହଠାତ୍ ମୁନିଗୁଡ଼ା ରେଳଫାଟକ ନିକଟରେ ବ୍ରେକ୍ ଫେଲ ହୋଇଯାଇଥିଲା । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବହୁ ଧନଜୀବନ ଅଳ୍ପକେ ରକ୍ଷା ପାଇଯାଇଛି । ବ୍ରେକ ଫେଲ ହୋଇଥିବା ଜାଣି ଡ୍ରାଇଭର ଗାଡ଼ିକୁ ବାଧ୍ୟ ହୋଇ ରେଳ ଲାଇନ ଆଡ଼କୁ ବୁଲାଇ ଦେଇଥିଲେ । ଫଳରେ ନିକଟରେ ଥିବା ବସ୍ଷ୍ଟାଣ୍ଡ ଓ ଉଠା ଦୋକାନୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଡ୍ରାଇଭରଙ୍କ ଏପରି ସାହସିକତା କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରୁଥିବାବେଳେ ଶୀଘ୍ର ରେଳ ଲାଇନରୁ ଟ୍ରେଲରଟିକୁ ହଟାଇବାକୁ ରେଳ କର୍ମଚାରୀଙ୍କୁ ଅନୁରାଧ କରିଥିଲେ । ଅନ୍ୟପଟେ ଏହି ଘଟଣାରେ ଡ୍ରାଇଭର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିବାବେଳେ ମୁନିଗୁଡ଼ା ରେଳ ଷ୍ଟେଶନରେ ଗାନ୍ଧୀ ଧାମ ପୁରୀ ଏକ୍ସପ୍ରେସ ବହୁ ସମୟ ଧରି ଅଟକି ରହିଥିଲା । ଘଟଣା ପରେ ମୁନିଗୁଡ଼ା ରେଳ ବାଇ ପୋଲିସ ସହ କର୍ମଚାରୀ ପହଞ୍ଚି ତଦନ୍ତ କରିଥିବା ବେଳେ ବର୍ତମାନ ଉକ୍ତ ଲାଇନରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ
