ରାୟଗଡା (ସମୃଦ୍ଧ ଓଡିଶା) ଚିକିତ୍ସା ଅବହେଳାରୁ ଜଣେ ରୋଗୀର ମୃତ୍ୟୁକୁ ନେଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ଶ୍ୱାସରୁଦ୍ଧ ହୋଇ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଠିକ୍ ସମୟରେ ଇସିଜି କରାନଯିବା ଯୋଗୁଁ ମୃତ୍ୟୁ ଘଟିଥିବା ବେଳେ ରୋଗୀଙ୍କ ସଂପର୍କିୟ ମାନେ ହସ୍ପିଟାଲରେ ପାଟିତୁଣ୍ଡ କରିଛନ୍ତି । ଶେଷରେ ପୋଲିସ ହସ୍ପିଟାଲରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ତିତି ଶାନ୍ତ ହୋଇଥିଲା । ଆଜି ସକାଳ ୧୦ଟା ବେଳେ ରାୟଗଡା ସହରର ରଶ୍ମିରଞ୍ଜନ ଖଟୁଆ ନାମକ ଜଣେ ବ୍ୟକ୍ତିଙ୍କୁ ଛାତିବଥା ହୋଇ ଶ୍ୱାସ ପ୍ରଶ୍ୱାସରେ କଷ୍ଟହେବାରୁ ତାକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା କରୁଥିବା ଡାକ୍ତର ରୋଗୀଙ୍କ ଇସିଜି କରିବା ପାଇଁ କହିଥିଲେ । ହେଲେ ଇସିଜି ଦାୟିତ୍ୱରେ ଥିବା କର୍ମଚାରୀ ଦିନ ୨ଟା ବେଳେ ଇସିଜି ହେବ ବୋଲି କହିଥିଲେ । ଏନେଇ ରେଗାୀଙ୍କ ସଂପର୍କୀୟ ହସ୍ପିଟାଲ କତ୍ତୃର୍ପକ୍ଷଙ୍କୁ ଜଣାଇଲେ ମଧ୍ୟ କିଛି କରାଯାଇ ନଥିବା ବେଳେ ଦିନ ପ୍ରାୟ ଗୋଟାଏ ବେଳେ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଏଖବର ପାଇ ରୋଗୀଙ୍କ ସମ୍ପର୍କିୟ ଓ ସାଙ୍ଗସାଥୀ ଡାକ୍ତରଖାନା ଆସି ପ୍ରବଳ ପାଟିତୁଣ୍ଡ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ୨ଜଣ ହସ୍ପିଟାଲ କର୍ମଚାରୀଙ୍କୁ ନେଇ ଅଟକ ରଖିଛି । ତେବେ ଏନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଚନ୍ତି ସିଡିଏମ୍ଓ ଡ଼ଃ ଆର୍ତ୍ତବନ୍ଧୁ ନାୟକ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ