

ଛତ୍ରପୁର (ସମୃଦ୍ଧ ଓଡିଶା) ଦେଶର ନିର୍ମାଣରେ ଶିକ୍ଷକ ସମାଜର ଏକ ବଳିଷ୍ଠ ଭୂମିକା ରହିଛି । ବର୍ତ୍ତମାନର କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଶିକ୍ଷକମାନେ କୋଭିଡ ଯୋଦ୍ଧା ଭାବରେ ସମାଜର ସେବା କରିବା ସହ ଯେଉଁଭଳି ଭାବେ ଶିକ୍ଷାଦାନ ପାଇଁ ଅହରହ ପ୍ରଚେଷ୍ଟାରତ ତାହା ପ୍ରଶଂଶନୀୟ । ଏଣୁ ରୋଟାରୀ ଇଣ୍ଟରନ୍ୟାସନାଲ ପକ୍ଷରୁ ଚଳିତ ବର୍ଷ ଶିକ୍ଷକମାନଙ୍କୁ ଦେଶ ନିର୍ମାତା ଭାବେ ସମ୍ମାନିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ରୋଟାରୀ କ୍ଳବ ପକ୍ଷରୁ ଛତ୍ରପୁର ବ୍ଳକରେ କାର୍ଯ୍ୟରତ ୫ ଜଣ ଶିକ୍ଷକଙ୍କୁ “ଦେଶ ନିର୍ମାତା” ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଳକ ଶିକ୍ଷାଧିକାରୀ ଅବିନାଶ ଶତପଥୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକ ମାନଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଟାଙ୍ଗଣାପଲ୍ଲୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭାଗିରଥୀ ମିଶ୍ର, କରାପଲ୍ଲୀ ଉପ୍ରା ବିଦ୍ୟାଳୟର ବିଭୁଦତ୍ତ ଶତପଥୀ, ଛତ୍ରପୁର ଏନଏସିର ବାରାକ୍ସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରୀକାନ୍ତ ନନ୍ଦ, ନରେନ୍ଦ୍ରପୁର ସିଆରସିସି ଅଶୋକ ଶତପଥୀ ଓ କାଳିପଲ୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପି ଦମୟନ୍ତୀ ରେଡ୍ଡୀଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା । ରୋଟାରୀ କ୍ଳବର ପ୍ରଫୁଲ୍ଲ ପଟନାୟକ ଦିବସର ତାତ୍ପର୍ଯ୍ୟ କହିଥିବା ବେଳେ ରୋଟାରୀ କ୍ଳବର ଏମ ଧନଞ୍ଜୟ ରେଡୀ, ସୁରଜିତ ସାମନ୍ତରାୟ, ପ୍ରସନ୍ନ ପତି, ବିଘ୍ନେଶ୍ୱର ରଥ, ଧିରେନ୍ଦ୍ରନାଥ ପଣ୍ଡା ଓ ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ ସମ୍ବର୍ଦ୍ଧିତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପରିଚୟ ପ୍ରଦାନ କରିଥିଲେ । ରୋଟାରୀ କ୍ଳବର କେ ବାସୁଦେବ ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ରୋଟାରୀ ଭଳି ଏକ ଆନ୍ତର୍ଜାତିକ ସଂସ୍ଥା ପକ୍ଷରୁ ଏଭଳି ସମ୍ବର୍ଦ୍ଧନା ପାଇଁ ଶିକ୍ଷକମାନେ ଖୁସି ଓ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



