ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ମାସ ୧୮ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାରେ ଅନୁଷ୍ଠିତ ହେବାକୁ ଥିବା ୫୬ତମ ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ବ୍ରହ୍ମପୁରର ସ୍କେଟରମାନେ ଆଜି ଟ୍ରେନ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି । ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ସ୍କେଟରମାନେ ଅଂଶ ଗ୍ରହଣ କରିବେ । ତେବେ ଏଥି ପୂର୍ବରୁ ଚଳିତ ମାସ ୭ ଓ ୮ ତାରିଖରେ ଭୂବନେଶ୍ୱରରେ ଏକ ସ୍ୱତନ୍ତ୍ର ପ୍ରତିଯୋଗୀତା ଚୟନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁରର ତିନି ବାଳକ ଓ ଜଣେ ବାଳିକା ଜାତୀୟ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଚୟନ ହୋଇଥିଲେ । ଜାତୀୟ ପ୍ରତିଯୋଗୀତା ପାଇଁ ତିନୋଟି ବର୍ଗରେ ରୋଲର ସ୍କେଟିଂ ପାଇଁ ମନୋନୀତ ହୋଇଥିବା ବେଳେ ରୋଲର ହକି ପାଇଁ ଜଣେ ଚୟନ ହୋଇଥିଲେ । ଜଗନ୍ନାଥ ବେହେରା ୧୪ ବର୍ଷ ବର୍ଗ, ଶ୍ରଦ୍ଧା ବେହେରା ଓ ପୁନିତ୍ କୁମାର ଗୌଡ଼ ୧୨ ବର୍ଷ ବର୍ଗର ରୋଲର ସ୍କେଟିଂ ପାଇଁ ଚୟନ ହୋଇଥିବା ବେଳେ ରୋଲର ହକି ପାଇଁ ଓଡ଼ିଶା ଦଳରେ ସାମିଲ ହୋଇଛନ୍ତି ଅନୁଭବ ପଣ୍ଡା । ବ୍ରହ୍ମପୁର ସହରର କମାପଲ୍ଲୀଠାରେ ଥିବା ସିଲ୍କି ରୋଲର ସ୍କେଟିଂ ଏକାଡେମୀ (SILKY ROLLER SKATING ACADEMY)ରେ ଏହି ଖେଳାଳୀ ମାନେ ନିଜର ଅଭ୍ୟାସ ଜାରୀ ରଖିଥିଲେ । ଏକାଡେମୀର କୋଚ୍ ସଞ୍ଜୟଙ୍କ ତତ୍ତ୍ୱାବଧାନରେ ଏହି ଖେଳାଳୀ ମାନେ ଜାତୀୟ ସ୍ତରର ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ଲାଗି ସୁଯୋଗ ପାଇଥିବା ବେଳେ ଉତ୍ତମ ପ୍ରଦର୍ଶନ ଓ ସଫଳତା ପାଇବେ ବୋଲି ଉଭୟ ଖେଳାଳୀ ଓ ଏକାଡେମୀ ପକ୍ଷରୁ କୁହାଯାଇଛି । ଆଜି ସକାଳେ ଟ୍ରେନ ଯୋଗେ ଏହି ଖେଳାଳୀମାନେ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଯାତ୍ରା ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ରେଳ ଷ୍ଟେସନରେ ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂସଦର ସମ୍ପାଦକ ତଥା ଗଞ୍ଜାମ ରୋଲର ସ୍କେଟିଂ ସଂଘର ସଭାପତି ଅଶୋକ ସାହୁ ଉପସ୍ଥିତ ରହି ସ୍କେଟରମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଉତ୍ତମ ପ୍ରଦର୍ଶନ କରିବା ପାଇଁ ଶୁଭେଚ୍ଛା ଜଣାଇଥିବା ବେଳେ ବହୁ ସ୍କେଟିଂ ଖେଳାଳୀ ଓ ଅଭିଭାବାକମାନେ ମଧ୍ୟ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା