ରୋହିତ ପୂଜାରୀ ମନ୍ତ୍ରିମଣ୍ଡଳରୁ ଆଉଟ : ମୁଖ୍ୟମନ୍ତ୍ରୀଙ୍କ ଗୁଡ଼ ବୁକରୁ କାହିଁକି ଗଲେ ପୂଜାରୀ ?

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଯୁବନେତା ମନ୍ତ୍ରୀ ରୋହିତ ପୂଜାରୀ ମନ୍ତ୍ରିମଣ୍ଡଳରୁ ଆଜି ହଠାତ ଆଉଟ, ହେଲେ ମୁଖ୍ୟମନ୍ତ୍ରୀଙ୍କ ଗୁଡ଼ ବୁକରୁ କାହିଁକି କଟିଲେ ପୂଜାରୀ ସେ ନେଇ ରାଜନୈତିକ ସରଗରମ ଆରମ୍ଭ ହୋଇଯାଇଛି । ମାତ୍ର ବର୍ଷେ ପୂର୍ବରୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଆଜି ମନ୍ତ୍ରୀ ପଦରୁ ହଠାତ ହଟା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି । ପୂଜାରୀଙ୍କ ସ୍ଥାନରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆ ଯାଇଛି । ଗତ ଦୁଇଦିନ ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ପୂଜାରୀଙ୍କର ବ୍ୟକ୍ତିଗତ ସଚିବ ତଥା ବରିଷ୍ଠ ଓଏଏସ୍ ସୁଧାକର ନାଏକଙ୍କୁ ସରକାର ପ୍ରତ୍ୟାହାର କରିନେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରୁ ପୂଜାରୀଙ୍କୁ ବାଦ୍ ଦେବା ପାଇଁ କରିଥିବା ସୁପାରିଶକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଇତିମଧ୍ୟରେ ଅନୁମୋଦନ କରିବା ସହ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିଭାଗର ବାର୍ଷିକ ସମୀକ୍ଷା ଆଧାରରେ ରୋହିତ ପୂଜାରୀଙ୍କ ବିଭାଗ ଉଚ୍ଚଶିକ୍ଷା ବିଭାଗର ପ୍ରଦର୍ଶନ ସବୁଠୁ ଖରାପ ଥିବାରୁ ତାଙ୍କୁ ମନ୍ତ୍ରୀ ପଦରୁ ହଟା ଯାଇଛି। ମାତ୍ର ପୂଜାରୀ ପ୍ରଥମଥର ପାଇଁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ ଓ ଗତବର୍ଷ ଜୁନ୍ ୫ତାରିଖରେ ବିଭାଗର ଦାୟିତ୍ୱ ନେଇଥିଲେ।ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିଭାଗର ସମୀକ୍ଷା ଚଳିତବର୍ଷ ମେ’ ୨୫ତାରିଖରେ କରିବା ସମୟରେ ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।  କିନ୍ତୁ ଅଚାନକ ପୂଜାରୀଙ୍କୁ ବାଦ୍ ଦେବା ପାଇଁ ବିଭାଗର କାର୍ଯ୍ୟର ସମୀକ୍ଷା ଆଳ  ଦିଆଯିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ, ମେ’ ୨୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଯାଇଥିଲେ। ସେଠାରେ କିଛି ଅସନ୍ତୋଷ ଖବର ପାଇଥିଲେ । ସେଠୁ ଫେରିବା ପରେ ହିଁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବା ନିଷ୍ପତ୍ତି ନିଆ ଯାଇ ସାରିଥିଲା । ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଚଳ ଶୁଭାରମ୍ଭ ଓ ସେଠାରେ ଓଡ଼ିଶା ଦିବସ ପାଳନ କାର୍ଯ୍ୟକ୍ରମରେ ପୂଜାରୀ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗ ଦେବା ଚୂଡ଼ାନ୍ତ ସରିଥିବାରୁ ସେ ସିଙ୍ଗାପୁରରୁ ଫେରିବାକୁ ଅପେକ୍ଷା କରାଯାଇଥିଲା । ପୂଜାରୀ ଓଡ଼ିଶା ଫେରିବା ପରଦିନ ହିଁ ତାଙ୍କର ବ୍ୟକ୍ତିଗତ ସଚିବ ସୁଧାକର ନାଏକଙ୍କୁ ଜୁନ୍ ୭ତାରିଖ ଅପରାହ୍ନରୁ ପ୍ରତ୍ୟାହାର କରି ନିଆ ଯାଇ ଥିଲା ଏବଂ ନାଏକଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ରିପୋର୍ଟ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପୂଜାରୀ ଗତ ଜୁନ୍ ୩ରୁ ୬ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ଗସ୍ତରେ ଯାଇ ସେଠାରେ ଥିବା ଓଡ଼ିଆ ସମାଜକୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଫେରିବାର ୨୪ଘଣ୍ଟା ନ ପୁରୁଣୁ ତାଙ୍କୁ ମନ୍ତ୍ରୀ ପଦରୁ ବାଦ୍ ଦେବା ପାଇଁ ରାଜଭବନକୁ ସୁପାରିଶ କରା ଯାଇ ସାରିଥିଲା । ସମ୍ବଲପୁରରେ ବିଜେଡି ସଂଗଠନ ଭଲ ସ୍ଥିତିରେ ନ ଥିବା, ୬୦ବର୍ଷରୁ ଅଧିକ ବ୍ୟକ୍ତି ନିର୍ବାଚନ ନ ଲଢ଼ିବା ପାଇଁ ରୋହିତଙ୍କ ବୟାନ ଦେବା ଏବଂ ବିଶେଷ କରି ରୋହିତ ଏବେ ବିଜେପି କ୍ୟାମ୍ପ ସହ ଯୋଗାଯୋଗରେ ଥିବାର ଚର୍ଚ୍ଚା ପରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ନିଷ୍ପତ୍ତି ନିଆ ଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଉଲ୍ଲେଖ ଯୋଗ୍ୟ, ଗତ ମେ’ ୨୨ତାରିଖରେ ନବୀନ ନିଜ ମନ୍ତ୍ରିମଣ୍ଡଳରେ ୩ଜଣ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ଦେଇଥିଲେ । ସେତେବେଳେ ୨ଜଣ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରୋହିତଙ୍କ ପଦ ସୁରକ୍ଷିତ ଥିଲା । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀପଦ ଚାଲିଯିବାରୁ ଖୋଲାଖୋଲି ଭୋ ଭୋ ହୋଇ ଲୋକଙ୍କ ସମ୍ମୁଖରେ କାନ୍ଦୁଥିବା ବେଳେ କୋହ ଚାପି ସମୀର ରଞ୍ଜନ ଦାଶ କାନ୍ଦୁଛନ୍ତି । ଦେଖିବା ରୋହିତ ପୂଜାରୀ କେମିତି କାନ୍ଦୁଛନ୍ତି ?

ଲେଖକ : ପ୍ରସନ କୁମାର ପଟ୍ଟନାୟକ