ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ଦୁଇ ବରିଷ୍ଠ ବିଜେପି ନେତା ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର ଓ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ନୋଟିସ କରିଥିଲା ପୋଲିସ । ଯାହାକୁ ନେଇ ସାରା ରାଜ୍ୟରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରି ଦେଇଥିଲା । ଛତ୍ରପୁର ଥାନା ପୋଲିସ ଭୃଗୁ ବକ୍ସି ପାତ୍ରଙ୍କୁ ଫେବୃଆରି ୯ ଓ ଗୋଲକ ମହାପାତ୍ରଙ୍କୁ ଫେବୃଆରି ୭ ତାରିଖରେ ଥାନାରେ ହଜାର ପାଇଁ ନୋଟିସ ଦିଆଯାଇଥିବା ଛତ୍ରପୁର ଏସଡିପିଓ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ସିବିଆଇ ରାଜ୍ୟର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ନୋଟିସ କରିଥିବା ବେଳେ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ କେନ୍ଦ୍ରର ଏଭଳି ଷଡଯନ୍ତ୍ର ବୋଲି ଅଭିଯୋଗ ହୋଇଛି । ଏହାକୁ ଆଖିଆଗରେ ରଖି ରାଜ୍ୟ ସରକାର ବି ଏଭଳି ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ବହୁ ଚର୍ଚ୍ଚିତ ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ଛନ୍ଦି ହେବାକୁ ଯାଉଛନ୍ତି । ଗଂଜାମ ପୋଲିସ ବିଜେପିର ଦୁଇ ବରିଷ୍ଠ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସି ପାତ୍ରଙ୍କୁ ନୋଟିସ କରିଥିବା ବେଳେ ଆଉ କିଛି ଟାଣୁଆ ନେତା ଏହି ମାମଲାରେ ଟାଣି ହେବେ ବୋଲି ଚର୍ଚ୍ଚା ଚାଲିଛି । ଏପରିକି ସିବିଆଇ ଯଦି ଅଧିକ କଠୋର ହୁଏ, ତେବେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧୀଙ୍କୁ ସୁରକ୍ଷା ଦେବାକୁ ଯାଇ ଦଳର ଜଣେ ବଡ଼ ମୁଣ୍ଡଙ୍କୁ ପୋଲିସ ଜାଲରେ ଛନ୍ଦି ଦିଆଯାଇପାରେ ବୋଲି ମଧ୍ୟ ଆଲୋଚନା ସରଗରମ ହୋଇଛି । ତେବେ ଦେଖାଯାଉ ଆଗକୁ କୁଆଡ଼ର ପାଣି କୁଆଡେ ଗଡୁଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା