ଲଗାତର ଭାବେ ବିଜୟୀ ହୋଇ ଆସିଥିବା ଜୁଏଲ ଓରାମଙ୍କୁ ମନ୍ତ୍ରୀପଦ ନ ଦେବା ବିଜେପିକୁ ମହଙ୍ଗା ପଡିବ ?…..

ସମ୍ବଲପୁର(ସମୃଦ୍ଧ ଓଡ଼ିଶା)ଲଗାତର ଭାବେ ବିଜୟୀ ହୋଇ ଆସୁଥିବା ସୁନ୍ଦରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ ଦୀର୍ଘଦିନ ପରେ ନିଜ ମନର ବ୍ୟଥାକୁ ସାର୍ବଜନୀନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରି ମଣ୍ଡଳରେ ମନ୍ତ୍ରୀ ପଦ ନ ମିଳିବାନେଇ ତାଙ୍କୁ ଓ ତାଙ୍କ ସହଧର୍ମଣିଙ୍କୁ ଗଭୀର ଆଘାତ ଲାଗିଛି ଓ ସେଇଥିପାଇଁ ସେ ତାଙ୍କ ପତ୍ନୀଙ୍କ ପରାମର୍ଶରେ ମୋଦି ସରକାରର ଶପଥ ଗ୍ରହଣ ସମାରୋହକୁ ଯିବା ପାଇଁ ଇଚ୍ଛା ପ୍ରକାଶ କଲେ ନାହିଁ ବୋଲି କହିଛନ୍ତି । ଓଡ଼ିଶାରେ ଆଦିବାସୀଙ୍କ ଚେହେରା ଭାବେ ପରିଚିତ ପାଞ୍ଚଥରର ସାଂସଦ ଶ୍ରୀ ଓରାମଙ୍କୁ ରାଉରକେଲାରେ ନାଗରିକ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ସେ ଏହା ପ୍ରକାଶ କରିଛନ୍ତି। ଶ୍ରୀ ଓରାମ କହିଛନ୍ତି ଯେ, ତାଙ୍କୁ ମନ୍ତ୍ରୀ କରା ନ ଯିବା ତାଙ୍କୁ ବେଶ୍ ବାଧିଥିଲା । ସେ ବି ଜଣେ ରକ୍ତ ମାଂସଧାରୀ ମଣିଷ। ତାଙ୍କୁ ଅନେକ ନେତା ମଧ୍ୟ କହିଥିଲେ ତାଙ୍କୁ ମନ୍ତ୍ରୀ ପଦ ନିଶ୍ଚୟ ମିଳିବ ବୋଲି ଆଲୋଚନା ଚାଲିଛି। ସବୁ ଗଣମାଧ୍ୟମରେ ବି ତାଙ୍କୁ ମନ୍ତ୍ରୀ ପଦ ମିଳିବା ବୋଲି ନେଇ ଚର୍ଚ୍ଚା ହୋଇ ଥିଲା । ତାଙ୍କୁ ମଧ୍ୟ ଲାଗୁଥିଲା ଯେ ସେ ପୁଣି ମନ୍ତ୍ରୀ ପଦ ପାଇବେ। କିନ୍ତୁ ମନ୍ତ୍ରୀ ପଦ ମିଳିଲାନି। ସେ ତାଙ୍କ ପତ୍ନୀଙ୍କ ସହ ଦିଲ୍ଲୀ ଯାଇଥିଲେ। ଶପଥ ସମାରୋହକୁ ଆମେ ଯିବା କି ନାହିଁ ବୋଲି ପତ୍ନୀଙ୍କୁ ପଚାରିଥିଲି। କିନ୍ତୁ ସେ ଦେହ ଭଲ ଲାଗୁନି କହି ଯିବାକୁ ଇଚ୍ଛା କଲେନି। ତେଣୁ ସେ ବି ଶପଥ ଗ୍ରହଣ ସମାରୋହକୁ ଗଲେନି ବୋଲି ଶ୍ରୀ ଓରାମ ଖୋଲାଖୋଲି ନିଜ ହୃଦୟର କଥା କହିଛନ୍ତି । ସୂଚନାଯୋଗ୍ୟ, ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବା ଶ୍ରୀ ଓରାମ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବି ଏହି ମନ୍ତ୍ରଣାଳୟ ଦାୟିତ୍ୱରେ ରହିଥିଲେ। ଚଳିତ ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶାରେ ୮ଟି ଆସନ ଜିତିଥିବାରୁ ଶ୍ରୀ ଓରାମ ପୁଣି ଥରେ ମନ୍ତ୍ରୀ ପଦ ପାଇଁ ହକଦାର ଥିଲେ। ମାତ୍ର ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ମୋଦିଙ୍କ ମନ୍ତ୍ରି ପରିଷଦରେ ସ୍ଥାନ ମିଳିଛି। ମେ’ ୩୦ତାରିଖରେ ମୋଦି ସରକାର ଶପଥ ନେଇଛନ୍ତି। ହେଲେ ଓଡ଼ିଶାରେ କାହିଁକି ସାରାଦେଶରେ ବିଜେପିର ସତ୍ତା ଯେତେବେଳେ ନ ଥିଲା ସେତେବେଳୁ ଅର୍ଥାତ ୧୯୯୧ମସିହାରୁ ରାଜ୍ୟରେ ବିଜେପି ଦଳର ନେତା ଏକ ମାତ୍ର ବିଧାୟକ ରୂପେ ବିଜୟୀ ହୋଇଥିଲେ ।ତାପରେ ସାଂସଦ। ରାଜ୍ୟ ସଭାପତି।ବିଜେପି କହିଲେ ଜୁଏଲ ଓରାମଙ୍କୁ ବୁଝାଏ ।ପୂର୍ବରୁ ଅନୁଧ୍ୟାନ କଲେ ଓଡ଼ିଶାରେ ବିଜେପି ଆଜି ବଞ୍ଚି ରହିଛି କେବଳ ଜୁଏଲଙ୍କ ପାଇଁ ବୋଲି ଗଳି କନ୍ଦିରେ ସାଧାରଣ ଲୋକ କହିବେ। ତାଙ୍କୁ ମନ୍ତ୍ରୀ ପଦରୁ ପ୍ରତ୍ୟାଖାନ କରିବା ବିଜେପିକୁ ମହଙ୍ଗା ପଡିବ ବୋଲି ପର୍ୟବେକ୍ଷକମାନଙ୍କ ମତ ରହିଛି । ଅନ୍ୟପକ୍ଷରେ ଜୁଏଲ ଜଣେ ଆଦିବାସୀ ନେତା,ସ୍ୱାଭିମାନୀ, ନିଷ୍ଠାପର,ଉପକାରୀନେତା ହିସାବରେ ରାଜ୍ୟର ପୁରପଲ୍ଲୀରେ ସମସ୍ତଙ୍କ ସେ ପ୍ରିୟପାତ୍ର ଅଟନ୍ତି। ତାଙ୍କୁ କୌଣସିମତେ ପରାଜୟ କରିବା ସହଜ ନୁହଁ ।ପ୍ରତିଦ୍ବନ୍ଦୀ ଦଳର ଯେତେବଡ ହାୱା ଥିଲେ ମଧ୍ୟ ସେ ବିପୁଳ ଭୋଟରେ ବିଜୟୀ ହୋଇ ଆସୁଛନ୍ତି । ଏଭଳି ନେତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ଅଣଦେଖା କରିବା ବିଜେପି ପାଇଁ ମହଙ୍ଗା ପଡିଲା ବୋଲି ବୁଦ୍ଧିଜୀବୀ ମହଲ ମଧ୍ୟ ଅଭିଯୋଗ କରୁଛନ୍ତି ।

ରିପୋର୍ଟ : ସୁଧୀର ପଟ୍ଟନାୟକ