ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୪୮ ଘଣ୍ଟା ଭିତରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ । ଏହା ବାତ୍ୟା ରୂପ ନେଇପାରେ ବୋଲି କୁହାଯାଉଛି । ତେବେ ସମ୍ଭାବ୍ୟ ଲଘୁଚାପ ବା ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ନାହିଁ ବୋଲି କୁହାଯାଉଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଆସନ୍ତା ୪୮ ଘଣ୍ଟା ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ଅଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇପାରେ । ତେବେ ଏହା କେତେ ବାତ୍ୟା ରୂପ ନେବ କି ନାହିଁ, ଏହା କେଉଁ ଉପକୂଳ ଆଡ଼କୁ ଗତି କରିବ, ଏବେଠାରୁ ସେ ନେଇ କୌଣସି ଆକଳନ କରାଯାଇନାହିଁ । ତଥାପି ବର୍ତ୍ତମାନର ଆକଳନରୁ ଜଣାପଡ଼ୁଛି, ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବା ସମ୍ଭାବନା ପରିଲକ୍ଷିତ ହେଉନାହିଁ । ତେବେ ପାଣିପାଗ ବିଭାଗ ଏହାର ଗତିବଧି ଉପରେ ନଜର ରଖିଛି ।
ରିପୋର୍ଟ : ଆକାଶ ମିଶ୍ର