
ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେବ। ଏହା ପ୍ରଭାବରେ ୨୫ ତାରିଖ ରାତିରୁ ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିବ। ୨୬ ତାରିଖ ସକାଳ ବେଳକୁ ଲଘୁଚାପ ଯୋଗୁଁ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
ବିଭାଗ ଆକଳନ କରିଛି ଯେ ଲଘୁଚାପର ପ୍ରଭାବ ଉତ୍ତର ଓଡ଼ିଶା ଉପରେ ଅଧିକ ରହିବ। ତେଣୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ବର୍ଷର୍ା ୩ ଦିନ ଧରି ଲାଗିରହିବ। ଉପକୂଳ ଓଡ଼ିଶାର ପୁରୀ, ଖୋର୍ଧା ଜିଲ୍ଲାରେ ମଧ୍ୟ ୨୭ ତାରିଖ ବେଳକୁ ଲଘୁଚାପ ପ୍ରଭାବରେ ବର୍ଷା ହେବା ନେଇ ଆକଳନ କରାଯାଇଛି। ୨୯ ତାରିଖ ବେଳକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ସୋନପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।