ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର(ସମୃଦ୍ଧଓଡିଶା)ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଘଡ଼ ଘଡ଼ି ସହ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ଆଜି ପୁରୀ ଜିଲାର ସମସ୍ତ ସ୍କୁଲକୁ  ଜିଲାପାଳ ଛୁଟି କରିଛନ୍ତି । କୋଣାର୍କ ମନ୍ଦିର ପରିସରରେ ବର୍ଷା ଜଳ ଜମି ରହିଥିବା ଯୋଗୁଁ ଯାତ୍ରୀ ଯାତାୟାତ ବନ୍ଦ ରହିଛି । ଲଘୁଚାପ କ୍ରମଶଃ ଦୁର୍ବଳ ହେଉଛି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘଡଘଡି ସହ ବର୍ଷା ହେବା ନେଇ ୨୧ଟି ଜିଲ୍ଳା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ଅନୁଗୁଳ, ଢ଼େଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା ଓ ବଲାଙ୍ଗିର ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲା ତାଳଚେରଠାରେ ସର୍ବାଧିକ ୧୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି ।

ରିପୋର୍ଟ : ରଜତ ମହାପାତ୍ର