ଲିଖିତ ପ୍ରତିଶୃତି ପରେ ପୁର୍ତ୍ତବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ ଅନଶନ ହଟିଲା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ବର୍ଷ ଧରି ଜଳେଶ୍ୱର ବ୍ଲକ ଅଂଚଳର ୪ଟି ପଞ୍ଚାୟତର ବର୍ଷା ପାଣି ଓ ନାମ୍ପୋରୁ ବର୍ଷା ପାଣି ନିଷ୍କାସନ ଲାଗି ବିଭିନ୍ନ ସମୟରେ ହୋଇ ଆସୁଥିବା ଆନ୍ଦୋଳନ ପୁଣି ଗତ ସୋମବାର ଆରମ୍ଭ ହୋଇଥିଲା । କିନ୍ତୁ ଆଜି ଦ୍ୱିପ୍ରହରରେ ପୁର୍ତ୍ତବିଭାଗ ଉଚ୍ଚକର୍ମକତ୍ତା ଅନଶନ ସ୍ଥାନକୁ ଆସି ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ସମୟ ଆଲୋଚନା ଓ ଲିଖିତ ପ୍ରତିଶୃତି ପାଇବାପରେ ଦିନ ୨ଟାରେ ତାହା ପ୍ରତ୍ୟାହୃତ ହୋଇଛି । କିନ୍ତୁ ପ୍ରତିଶୃତି ଅନୁଯାୟୀ ଅଗଷ୍ଟ ୫ ତାରିଖ ସୁଦ୍ଧା ଜଳ ନିଷ୍କାସନ ଲାଗି କଂକ୍ରିଟ ରାସ୍ତାର କାର୍ଯ୍ୟ ଆରମ୍ଭ ନ ହେଲେ ୬ ତାରିଖାରୁ ପୁଣି ଆନ୍ଦୋଳନ ହେବ ବୋଲି ଆନ୍ଦୋଳନକାରମାନେ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ପୂର୍ବରୁ ଆନ୍ଦୋଳନ ସଂପର୍କରେ ବିଭିନ୍ନ କର୍ମକର୍ତ୍ତାଙ୍କୁ ଲିଖିତ ଭାବେ ଦର୍ଶାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଦୂରର କଥା, ବର୍ଷା ସମୟରେ ମଧ୍ୟ ଆନ୍ଦୋଳନକାରୀମାନେ ବସିବାକୁ ସ୍ଥାନ ନ ପାଇ ବର୍ଷାରେ ବସି ଭିଜିଥିଲେ । ପୁଣି ରାତିରେ ଅନଶନକାରୀମାନେ ଘନ ଅନ୍ଧାରରେ ସେମାନଙ୍କ ଆନ୍ଦୋଳନ ଅବ୍ୟାହତ ରଖିଥିଲେ । ଆନ୍ଦୋଳନକାରୀଙ୍କ ମଧ୍ୟରେ ଜଣେ ମହିଳା ନିର୍ବାଚିତ ପ୍ରତିନିଧି ଓ ୫ବର୍ଷର ପିଲାଟିଏ ଥିଲାବେଳେ ଜଳେଶ୍ୱର ତହସିଲଦାର ଆନ୍ଦୋଳନକାରୀଙ୍କ ସହିତ ୨ଥର କଥାବାର୍ତ୍ତା ହୋଇଥିଲେ ଓ ଜିଲାପାଳଙ୍କୁ ଜଣାଇଥିଲେ । ଆଜି ସକାଳେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଇଂ ଆଲୋକ ମହାନ୍ତି ଘଟଣାସ୍ଥଳରେ ପହଞ୍ଚିଥିଲେ । ସକାଳେ ହାଇକୋର୍ଟର ବରିଷ୍ଠ ଆଇନ୍‌ଜିବୀ ରାମଚନ୍ଦ୍ର ଜେନା, ଶରତ ପରିଡା, ଡ. ଅଜିତ୍ ମହାନ୍ତି, ସାମ୍ବାଦିକ ଅବନୀ ଚାନ୍ଦ ପ୍ରମୁଖ ଉଚ୍ଚ ପଦସ୍ଥ କର୍ମକର୍ତ୍ତିଙ୍କ ସହ ଫୋନ୍‌ ଯୋଗେ ବାରମ୍ବାର ଆଲୋଚନା କରିଥିଲେ । ଫଳରେ ଦିନ ୧୧ଟାରେ ଇଂ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଆସନ୍ତା ୫ତାରିଖରେ ଠିକାଦାର ୨୫ ଲକ୍ଷ ଟଙ୍କା ବ୍ୟୟବରାଦରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ । ଅନଶନକାରୀଙ୍କୁ ସେ ଓଆର୍‌ଏସ୍ ପିଆଇ ଅନଶନ ଭଂଗ କରିଥିଲେ । ଅପରାହ୍ନରେ ଶ୍ରୀ ମହାନ୍ତି ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ ପଣ୍ଡା, ଜେଇ ନିହାର ରଂଜନ ବେହେରା ଘଟଣାସ୍ଥଳକୁ ଯାଇ କାର୍ଯ୍ୟ ଶୁଭାରମ୍ଭ କରିଥିବା ଜଣାଯାିଛି । ଏଥିରେ ନାମ୍ପୋ ଗାଁ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ କରିଥିଲେ ।

ରିପୋର୍ଟ : ଭୂପତି ପରିଡା