
ଛତ୍ରପୁର (ସମୃଦ୍ଧ ଓଡିଶା) ଗତ ବୁଧବାର ଦିନ ଲୀନା କୁମାରୀ ଖେସ୍ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ପୂର୍ବରୁ ସେ ସୁନ୍ଦରଗଡ ଜିଲ୍ଲାରେ ଡେପୁଟିକଲେକ୍ଟର ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଥିଲେ । ପଦୋନ୍ନତି ପାଇ ଗଞ୍ଜାମ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଛନ୍ତି ଶ୍ରୀମତୀ ଖେସ୍ । ଏହାସହ ଜିଲ୍ଲାର କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମରେ ଆଉ ଜଣେ ଯୋଦ୍ଧା ଭାବେ ସାମିଲ୍ ହୋଇଛନ୍ତି । ୧୯୯୭ ବ୍ୟାଚର ଏହି ଓଏଏସ ଅଫିସର ୧୯୯୯ ମସିହାରେ ସୁନ୍ଦରଗଡ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରବର୍ତ୍ତି ସମୟରେ ସେ ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାରେ ତହସିଲଦାର ଏବଂ ସମ୍ବଲପୁର ଜିଲ୍ଲାର ଧନକେଉଡା ବ୍ଲକରେ ୬ମାସ ବିଡିଓ ଭାବେ କାର୍ଯ୍ୟ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ମୁକାବିଲା କାର୍ଯ୍ୟକ୍ରମରେ ସେ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି । ପୂର୍ବରୁ ଏଠାରେ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା କବୀନ୍ଦ୍ର କୁମାର ସାହୁଙ୍କ ପଦୋନ୍ନତି ହୋଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ ସଚିବ ଭାବେ ବଦଳି ହୋଇଥିବା ଜଣାଯାଇଛି । ସେ ୨୪.୧୧.୨୦୧୭ ଠାରୁ ୧୧.୫.୨୦୨୧ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ସୂଚାରୁ ଭାବେ ତୁଲାଇ ଆସିଥିଲେ ବୋଲି କୁହାଯାଇଛି ।