



ରାଉରକେଲା (ସମୃଦ୍ଧଓଡିଶା)ପୃଥିବୀ ହେଉଛି ସକଳ ସୃଜନତାର ଆଦ୍ୟ ଜନନୀ ତଥା ପୃଥିବୀ ଚିରକାଳ କାବ୍ୟମୟ। ସାହିତ୍ୟ ସଂଘ ସହ ସମ୍ପୃକ୍ତ ରହିଲେ ମାନସିକ ଅବସାଦ ଦୂର ହେବା ସଂଗେସଂଗେ ଶବ୍ଦାଭାବ ରୋଗ ରୁ ମୁକ୍ତି ମିଳିଥାଏ ବୋଲି ଅତିଥି ମାନେ ପ୍ରଥମ ରାଉରକେଲା ସାହିତ୍ୟ ଉତ୍ସବ ରେ ମତ ବ୍ୟକ୍ତ କରିଥିଲେ। ଛେଣ୍ଡ ଗୋପବନ୍ଧୁ ପାଠାଗାର ଠାରେ ଲେଖାଲେଖି ପ୍ରକାଶନ ର ମୁଖ୍ୟ ପ୍ରଦୀପ୍ତ କୁମାର ବେହୁରିଆଙ୍କ ଆବାହକତ୍ଵ ରେ ଆୟୋଜିତ ପ୍ରଥମ ରାଉରକେଲା ସାହିତ୍ୟ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ପରେଶ କୁମାର ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବେ କବି ରାଜୀବ ପାଣି ଯୋଗଦେଇ ଉପରୋକ୍ତ ମତ ପ୍ରକାଶ କରିଥିଲେ। ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ସାହିତ୍ୟ ଲେଖିବା ପାଇଁ ସମୟସୀମା ନଥାଏ। ଲେଖକଙ୍କୁ ମାନ୍ୟତା ଦିଏ ପାଠକ। ସେହିପରି ପରଷ୍ପରକୁ ଗାଳିଦେଇ ବିଭ୍ରାନ୍ତ କରିବା ସତସଙ୍ଗ ଗୁରୁଙ୍କ କାମ ହୋଇଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ପାଣି ତାଙ୍କ ବକ୍ତବ୍ୟରେ କହିଲେ ଯେ ପୃଥିବୀକୁ ଯେବେଠାରୁ ମଣିଷ ଆସିଲେଣି ସେବେଠାରୁ ସାହିତ୍ୟ ତା ପାଖାପାଖି ଅଛି। ନିଜର ସୃଜନ ବଳରେ ମଣିଷ ପାହାଚ ଚଢି ଚାଲିଛି। ଯେ କୈାଣସି ସର୍ଜନକଳା ମୃତ୍ୟୁ ସହ ଜୀବନର, ଶାନ୍ତ ସହ ଅଶାନ୍ତର, ପ୍ରକୃତି ସହ ସମ୍ପର୍କୀତ ହୋଇଥାଏ। ଲେଖକ ତା’ର ଲେଖା ମାଧ୍ୟମରେ ତାର ଚେତନା କୁ ଲେଖେ। ଏହା ସହ ତୈଜସ,ବୈଶ୍ବାନର ଓ ସୁସୁପ୍ତିର ସ୍ବର ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଶଶଧର ପଣ୍ଡା କହିଲେ ଯେ ରାଉରକେଲା ର ସାହିତ୍ୟାନୁଷ୍ଠାନ ଓଡିଶାକୁ ତାର ଅନନ୍ୟ ଅବଦାନ ଦେଇଛି। ପ୍ରାରମ୍ଭରେ ଆବାହକ ଶ୍ରୀ ବେହୁରିଆ ଅନୁଷ୍ଠାନର ଆଭିମୁଖ୍ୟ, ଇସ୍ପାତ ନଗରୀ ସହ ତାଙ୍କର ସମ୍ପର୍କ, ରାଉରକେଲା ସାହିତ୍ୟ କିପରି ଭାଷା ସାହିତ୍ୟକୁ ସ୍ବତନ୍ତ୍ର ଅବଦାନ ସେ ସମ୍ପର୍କରେ ଆଲୋଚନା କରିବା ସହ ମଞ୍ଚ ସଂଯୋଜନା କରିଥିଲେ। ଅନ୍ୟତମ ଅତିଥି ସୁଶାନ୍ତ କୁମାର ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଶେଷରେ ଅନ୍ୟତମ କାର୍ଯ୍ୟକର୍ତ୍ତା ହୃଷିକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଶାରଦୀୟ ବିଶେଷାଙ୍କ ରାଉରକେଲା ସାହିତ୍ୟ ପତ୍ରକୁ ଅତିଥିମାନେ ଉନ୍ମଚିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷୟିତ୍ରୀ ନିରୁପମା ନାୟକ ସହଯୋଗ କରିଥିଲେ। ସମ୍ବର୍ଦ୍ଧନା ପର୍ବରେ ରାଜୀବ ପାଣି, କୁଞ୍ଜବିହାରୀ ରାଉତ, ଆର୍ତ୍ତତ୍ରାଣ ମହାପାତ୍ର, ସୁଶାନ୍ତ କୁମାର ନାୟକ, ବିଜୟ କୁମାର ସାହୁ, ଶଶଧର ପଣ୍ଡା ଓ ହୃଷିକେଶ ସାହୁ ପ୍ରମୁଖଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇ ଲେଖାଲେଖି ରାଉରକେଲା ସାହିତ୍ୟ ଉତ୍ସବ ସମ୍ମାନରେ ସମ୍ମାନିତ କରାଯାଇଥିଲା। କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ବିଜୟ କୁମାର ସାହୁ ସଭାପତିତ୍ବ କରିଥିବା ବେଳେ ସୁସ୍ମିତା ମହାପାତ୍ର ଓ ପ୍ରଣତୀ ବେହେରା ସଂଯୋଜନା କରିଥିଲେ। ଏଥିରେ ଡ଼ଃ ଅଶ୍ବିନୀ ରାୟ, କୁଞ୍ଜବିହାରୀ ରାଉତ, ରଶ୍ମି ସାହୁ, ଅଶୋକ ପଟ୍ଟନାୟକ, ସୁଶାନ୍ତ ନାୟକ, ବଳରାମ ରାଉଳ, ଆର୍ତ୍ତତ୍ରାଣ ମହାପାତ୍ର, ନିରୁପମା ନାୟକ, ପ୍ରଶାନ୍ତ କୁମାର ପତି, ତାରିଣୀ ଚରଣ ସାହୁ, ସଞ୍ଜୀବ ଭୋଇ, ସୁଚିତ୍ରା ଲେଙ୍କା,ତ୍ରିନାଥ ସିଂହ, ତ୍ରିଲୋଚନ ସ୍ବାଇଁ ଓ ସଂଯୋଜକ ଦ୍ବୟଙ୍କ ସହ ସଭାପତି କବିତା ପାଠ କରିଥିଲେ। ଶେଷରେ ରଶ୍ମି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ସାହିତ୍ୟିକ, କବି, ସଂଗଠକ ଯୋଗଦେଇଥିଲେ।
ରିପୋର୍ଟ :ସସ୍ମିତା ପ୍ରଧାନ