

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ମାତ୍ର ୩ ମାସରେ ବେଶ ନାଁ କରିଥିବା ରାଜ୍ୟ ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କୁ ବଦଳି କରାଯାଇଛି । ଶର୍ମା ଅଗ୍ନିଶମ ଡିଜି ଥିବା ବେଳେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ମେଡିକାଲ ସବୁର ଆନୁଷଙ୍ଗିକ ବ୍ୟବସ୍ଥା ଥାଇ ମଧ୍ୟ ଫାୟାର ସେଫଟି ସାର୍ଟିଫିକେଟ୍ ଦେଇ ନ ଥିବା ଅଭିଯୋଗ ଯୋଗୁଁ କୁଆଡେ ତୃତୀୟ ମହଲା ଅସନ୍ତୁଷ୍ଟ ବୋଲି ରାଜ୍ୟ ସରକାର ବିକେ ଶର୍ମାଙ୍କୁ ଡିଜିପି ପଦ ସହ ଅଗ୍ନିଶମ ସେବା ନିର୍ଦ୍ଦେଶକ ପଦରୁ ଅପସାରଣ କରି ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି । ପୂର୍ବରୁ ବ୍ରହ୍ମପୁର ଏସପି ରୂପେ କାର୍ଯ୍ୟ କରିଥିବା ୧୯୮୬ ବ୍ୟାଚର ଅଭୟ ନୂଆ ଡିଜିପି ରୁପେ ଦାୟିତ୍ୱ ନେବେ । ସେ ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ଇନଚାର୍ଜ ଡିଜିପି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି । ସେହିଭଳି ଅଗ୍ନିଶମ ସେବା ଓ ହୋମଗାର୍ଡର ନୂଆ ନିର୍ଦ୍ଦେଶକ ଭାବେ ସୁନୀଲ ରାୟଙ୍କୁ ନିଯୁକ୍ତି ଦିଆଯାଇଛି । ୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଅଭୟ ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
