କଟକ (ସମୃଦ୍ଧ ଓଡିଶା) ସକାଳୁ ସକାଳୁ କଟକ ଏସସିବି ସରକାରୀ ମେଡିକାଲ କଲେଜରେ ହୋ ହାଲ୍ଲା ସୃଷ୍ଟି ହେଲା । ରୋଗୀଠୁ ଆରମ୍ଭ କରି କିଛି ଲୋକ ଡାକ୍ତର କର୍ମଚାରୀ ସମସ୍ତଙ୍କର ହାଉଯାଉରେ ପ୍ରକମ୍ପିତ ହେଲା ମେଡିକାଲ । କଣ ହେଲା କଣ ହେଲା ବୋଲି ସମସ୍ତେ ମୁଖ୍ୟ ଗେଟ ସମ୍ମୁଖ ଆଡେ ଚାହିଁବା ବେଳେ ଭୋର ୫ ଟା ସମୟରେ ସଦଳ ବେଳେ ଚର୍ଚ୍ଚାର କେନ୍ଦ୍ର ବୁନ୍ଦୁ ହୋଇଥିବା ଭି କେ ପାଣ୍ଡିଆନ ଆସି ପହଞ୍ଚି ଯାଇଛନ୍ତି । କିଛି ଲୋକ କହି ଉଠିଲେ ପାଣ୍ଡିଆନ ଆଉ ଶୋଉ ନାହାନ୍ତି କି । କାରଣ ଭୋର୍ ପାଞ୍ଚଟାରେ ୫ଟି ସଚିବ ଭି. କେ. ପାଣ୍ଡିଆନ୍, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମିହିର୍ଦା, ଏନ୍ଆର୍ଏଚ୍ର ନିର୍ଦେଶିକା ଶାଳିନୀ ପଣ୍ଡିତ କଟକ ସହରସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ପହଞ୍ଚି ସ୍ୱାସ୍ଥ୍ୟସେବା ତଦାରଖ କରିଥିଲେ । ସେଠାରେ ପ୍ରାୟ ଦେଢ଼ ଘଣ୍ଟା ସମୟ ପର୍ଯ୍ୟନ୍ତ ତଦାରଖକାରୀ ଟିମ୍ ବଡ଼ ଡାକ୍ତରଖାନାର ଆଶୁ ଚିକିତ୍ସା ବିଭାଗକୁ ଯାଇ ରୋଗୀମାନଙ୍କୁ ମିଳୁଥିବା ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ ବୁଝାବୁଝି କରିବା ସହ ଏସ୍ସିବିର ଡିନ୍ ଡାକ୍ତର ଜୟଶ୍ରୀ ମହାନ୍ତି, ସୁପରିଣ୍ଟେଣ୍ଡେଣ୍ଟ୍ ପ୍ରଫେସର୍ ସରୋଜକାନ୍ତ ସାହୁ, ପୂର୍ବତନ ସୁପରିଣ୍ଟେଣ୍ଡେଣ୍ଟ୍ ପ୍ରଫେସର ସିବିକେ ମହାନ୍ତି ଏବଂ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନଙ୍କ ସହ ବଡ଼ ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ସହ ବଡ଼ ଡାକ୍ତରଖାନାର ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରସ୍ତୁତ ଏକ ନକ୍ସାକୁ ମଧ୍ୟ ୫ଟି ସଚିବ ଅନୁଧ୍ୟାନ କରିଥିଲେ । ଭୁବନେଶ୍ୱରରେ ହେବାକୁ ଥିବା ବୈଠକରେ ୫ଟି ସଚିବ ଏବଂ ଅନ୍ୟ ଅଧିକାରୀମାନେ ଏସ୍ସିବିର ବିକାଶ ନିମନ୍ତେ ତା’ର ସମସ୍ତ ବିଭାଗର ମୁଖ୍ୟମାନଙ୍କ ସହ ଆଲୋଚନା କରାଯିବ ବୋଲି ଜଣାପଡିଛି ।