ଲୋକସେବକ ମଣ୍ଡଳ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଲାଲା ଲଜପତ ରାୟଙ୍କ ୧୫୪ତମ ଜନ୍ମ ଜୟନ୍ତୀ ଅବସରରେ ଲୋକସେବକ ମଣ୍ଡଳ ବ୍ରହ୍ମପୁର କେନ୍ଦ୍ର ପକ୍ଷରୁ ଗତ ସୋମବାର କର୍ପୋରେସନ ରୋଡ ସ୍ଥିତ ଗୋପବନ୍ଧୁ ଭବନ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୧୨୬ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୩୦ ଜଣଙ୍କ ମାଗଣା ପରଳ ଚିକିତ୍ସା ପାଇଁ ଚିକିତ୍ସାଳୟକୁ ପଠାଯାଇଥିଲା । ୧୭ଜଣ ରୋଗୀଙ୍କୁ ଶିବିରରେ ଚଷମା ପ୍ରଦାନ କରାଯାଇଥିବା ବେଳେ ୩୪ ଜଣଙ୍କ ଚକ୍ଷୁରେ ବିଭିନ୍ନ ସମସ୍ୟା ଥିବା ଚିହ୍ନଟ ହୋଇପାରିଥିଲା । ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଅନୁକୁଲ୍ୟରେ ଗୋପବନ୍ଧୁ ଭବନଠାରେ ଏହି ଆୟୋଜିତ ଶିବିରରେ କର୍ପୋରେସନ ରୋଡ଼ ଓ ଏହାର ଆଖପାଖ ଅଞ୍ଚଳ ସମେତ ବ୍ରହ୍ମପୁରର ବିଭିନ୍ନ ସ୍ଥାନକୁ ଲୋକମାନେ ଆସି ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ । ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଭିଜିଲାନ୍ସ ଅତିରିକ୍ତ ଏସପି ଶାନ୍ତନୁ ପାଢି ଓ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଅଧ୍ୟକ୍ଷ ସୁବାସ ମହାରଣା ଅତିଥି ଭାବେ ଯୋଗଦେଇ ଲାଲାଜୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶିବିରକୁ ଉଦଘାଟନ କରିଥିଲେ । ଶଙ୍କର ଚକ୍ଷୁ ଚିକିତ୍ସାଳୟର ଶିବିର ପରିଚାଳକ ନଳିନୀକାନ୍ତ ରାଉତଙ୍କ ନେତୃତ୍ୱରେ ୫ ଜଣିଆ ଦଳ ରୋଗୀଙ୍କ ପରୀକ୍ଷା ନିରୀକ୍ଷା କରିଥିଲେ । ଶିବିରକୁ ଆସିଥିବା ରୋଗୀଙ୍କ ନାମ ପଞ୍ଜିକରଣ ପରେ ସେମାନଙ୍କ ଭିଜନ ଟେଷ୍ଟ କରାଯାଇଥିଲା । କିଛି ରୋଗୀଙ୍କ ରକ୍ତଚାପ ଓ ମଧୁମେହ ପରୀକ୍ଷା ହୋଇଥିଲା । ଶଙ୍କର ଚକ୍ଷୁ ଚିକିତ୍ସାଳୟର ଚିଫ ଭିଜନ କେୟାର ଟେକନିସିଆନ ଆଶୁତୋଷ ପୃଷ୍ଟି ଓ ଚକ୍ଷୁ ଟେକନିସିଆନ କୁମାରୀ ଗୋମତୀ, କୁମାରୀ ଫିରିଜା, ଏନ. ମୁନ୍ନା ରୋଗୀଙ୍କ ପରୀକ୍ଷା କରାଇଥିଲେ । ପରୀକ୍ଷା ପରେ ପରଳ ଥିବା ବ୍ୟକ୍ତିଙ୍କ ମାଗଣା ଚିକିତ୍ସା ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଥିଲା । କାର୍ଯ୍ୟକ୍ରମରେ ପାଇକାରୀ ଭଣ୍ଡାର ସଭାପତି ସୁଧୀର ରାଉତ, ଜିଲ୍ଲା ଇକୋ କ୍ଲବ ସଂଯୋଜକ ଶଙ୍କର ନାରାୟଣ ବେଜ, ଲୋକସେବକ ମଣ୍ଡଳର ଆସୋସିଏଟ ଡ଼. ଶଙ୍କର ମାଝୀ ଓ ହରିକୃଷ୍ଣ କୋଠିଆ, ଅଧ୍ୟାପକ ଡ଼. ରମେଶ ପ୍ରଧାନ, ପୂର୍ବତନ ସେନା ଅଧିକାରୀ ଅଶୋକ ସାମନ୍ତ, ସମାଜସେବୀ ପଲବ ଦାସ, ଅବସରପ୍ରାପ୍ତ ଅଧ୍ୟାପକ ଡ଼. ଅମୁଲ୍ୟ ତ୍ରିପାଠୀ, ପୂର୍ବତନ ସରକାରୀ ଅଧିକାରୀ ରବୀନ୍ଦ୍ର ସାହୁ, ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ, ଶରତ ଚନ୍ଦ୍ର ପଣ୍ଡା, ସୁପ୍ରଭା ବେହେରା, ଶରିତା ପଣ୍ଡା, ସହସମ୍ପାଦକ ସୁଦର୍ଶନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ପରିଵଶ ପ୍ରେମୀ ବନମାଳୀ ପ୍ରଧାନ, ରମେଶ ପଣ୍ଡା, ଅବଦୁଲ ସତାର, ଶଙ୍କର ବିଷୋୟୀ, ଗୁଲାମ ରସୁଲ, ସେକ ଇକବାଲ, ମନୋରଞ୍ଜନ ସାହୁ, ଏସକେ ସବୀରଙ୍କ ସମେତ ବ୍ରହ୍ମପୁର ‘ସମାଜ’ କାର୍ଯ୍ୟାଳୟର କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା