ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଶନିବାର ସୁଦ୍ଧା ଓଡିଶାକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସୂଚନା ଯେ ସପ୍ତାହେ ପୂର୍ବରୁ ମୌସୁମୀ କେରଳ ଛୁଇଁଥିଲା ତଥାପି ଓଡିଶାକୁ ଛୁଇଁ ନଥିଲା । ଆଜି ଓଡ଼ିଶା ଛୁଇଁବାକୁ ମୌସୁମୀ ଆହୁରି ୨ରୁ ୩ ଦିନ ସମୟ ଲାଗିବ ବୋଲି ଆକଳନ କରି ସୂଚନା ଦେଇଛି ପାଣିପାଗ ବିଭାଗ । କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇସାରିଛି । ଆସନ୍ତାକାଲିଠୁ ବର୍ଷାର ପରିମାଣ ଆହୁରି ବଢ଼ିବ । ଯାହାର ପ୍ରଭାବ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଉପକୂଳ ଜିଲ୍ଲାରେ ବର୍ଷାର ପ୍ରଭାବ ବେଶି ରହିବ । ଯାହା ଫଳରେ ମାଲକାନଗିରି, କୋରାପୁଟ, ପୁରୀ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି ।