ଶଲ୍ୟ ଚିକିତ୍ସା ଗ୍ରହଣ କରୁଥିବା ରୋଗୀଙ୍କ ରକ୍ତଶର୍କରା ନିୟନ୍ତ୍ରଣ ସମ୍ବନ୍ଧୀୟ ଆଲୋଚନା ଚକ୍ର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶଲ୍ୟ ଚିକିତ୍ସା ଗ୍ରହଣ କରୁଥିବା ପ୍ରାୟତଃ ୨୦ରୁ ୩୦ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଉଚ୍ଚ ରକ୍ତ ଶର୍କରା ଦେଖା ଦେଇଥାଏ । ହୃଦୟ ରୋଗ ପାଇଁ ଶଲ୍ୟ ଚିକିତ୍ସା ଲାଭ କରୁଥିବା ପ୍ରାୟତଃ ୮୦ ପ୍ରତିଶତ ରୋଗୀଙ୍କର ରକ୍ତ ଶର୍କରା ବଢିଥାଏ । ମଧୁମେହ ଯୋଗୁଁ ଏହି ରୋଗୀମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେବାସହ ଭୂତାଣୁ ସଂକ୍ରମିତ କ୍ଷତ, ହ୍ରାସ ପାଇଥିବା ଉପସମ ଶକ୍ତି, ରକ୍ତ ଜମାଟ ବାନ୍ଧିବା ସମ୍ଭାବନା ଏବଂ ଦୀର୍ଘ ଦିନ ଧରି ଡ଼ାକ୍ତରଖାନାରେ ରହଣୀ ଆଦି ସମସ୍ୟା ଦେଖାଦେଇଥାଏ । ତେଣୁ ପ୍ରତ୍ୟେକ ଡ଼ାଏବେଟିସ୍ ରୋଗୀ ଯେକୌଣସି ଶଲ୍ୟ ଚିକିତ୍ସା ପୂର୍ବରୁ ସଠିକ୍ ଚିକିତ୍ସା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରଣରେ ରଖିବା ନିମନ୍ତେ ଆବଶ୍ୟକ । ଏହି ବିଷୟ ଉପରେ ଆଲୋଚନା କରିବା ପାଇଁ ସିଲକ୍ ସିଟି ସର୍ଜନସ କ୍ଲବ ଏବଂ ଏମକେସିଜି ମେଡ଼ିକାଲ କଲେଜର ସ୍ନାତକୋତର ଶଲ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ସ୍ଥିତ ଖ୍ରୀଷ୍ଟିଆନ ହସପିଟାଲ ପ୍ରାଙ୍ଗଣରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଖ୍ରୀଷ୍ଟିଆନ ହସ୍ପିଟାଲ ଶଲ୍ୟ ବିଭାଗୀୟ ମୁଖ୍ୟ ଡା. ମିନାଲ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ଡ଼ାଏବେଟିସ ଏଣ୍ଡ୍ ଏଣ୍ଡୋକେୟାର କ୍ଲିନିକର ମଧୁମେହ ରୋଗ ବିଶେଷଜ୍ଞ ଡା. ସୁନିଲ କୁମାର କୋଟା ମୁଖ୍ୟ ପ୍ରବକ୍ତା ଭାବେ ଯୋଗ ଦେଇଥିଲେ । ଡା. ଶିବ ପ୍ରସାଦ ପଟ୍ଟନାୟକଙ୍କ ପ୍ରାରମ୍ଭିକ ପରିଚୟ ପ୍ରଦାନ ପରେ ଡା. କୋଟା ଶଲ୍ୟ ଚିକିତ୍ସା ସମୟରେ ରକ୍ତ ଶର୍କରା ନିୟନ୍ତ୍ରଣ ସମ୍ବନ୍ଧୀୟ ନିଜ ଉପସ୍ଥାପନ ପ୍ରସ୍ତୁତ କରିଥିଲେ । ଅସ୍ତ୍ରୋପଚାର ପୂର୍ବରୁ ପ୍ରକ୍ରିୟା ସମୟରେ ଏବଂ ପରବର୍ତୀ ଅବସ୍ଥାରେ ରକ୍ତ ଶର୍କରା ନିୟନ୍ତ୍ରଣ ପଦ୍ଧତି ଉପରେ ଗୁରୁତ୍ୱାରୋପ କରାଯାଇ କ୍ଷୁଦ୍ର ଧରଣର ଶଲ୍ୟ ଚିକିତ୍ସା ତଥା ନିୟନ୍ତ୍ରିତ ରକ୍ତ ଶର୍କରା ଥିବା ରୋଗୀଙ୍କ କ୍ଷେତ୍ରରେ ବଟିକା କିମ୍ବା ବେଳେ ବେଳେ ଇନସୁଲିନ୍ ବ୍ୟବହାର କରାଯାଇଥାଏ ବୋଲି କହିଥିଲେ । ବୃହତ ଧରଣର ଶଲ୍ୟ ଚିକିତ୍ସା ଏବଂ ଅତ୍ୟଧିକ ରକ୍ତ ଶର୍କରା ଥିବା ରୋଗୀଙ୍କ କ୍ଷେତ୍ରରେ କେବଳ ଇନସୁଲିନ୍ ହିଁ ଦିଆଯାଇଥାଏ । ଡା. କୋଟା ଉପସ୍ଥିତ ସ୍ରୋତାମାନଙ୍କୁ ଏହି କ୍ଷେତ୍ରରେ ପ୍ରାରମ୍ଭିକ ଇନସୁଲିନ୍ ର ମାତ୍ରା ନିର୍ଦ୍ଧାରଣ, ବାରମ୍ବାର ରକ୍ତଶର୍କରା ନିରୁପଣ ଏବଂ ତଦୁପରି ଇନସୁଲିନ୍ ପରିମାଣ ପରିବର୍ତନ ଉପରେ ଅବଗତ କରାଇଥିଲେ । ଅଧିକାଂଶ କ୍ଷେତ୍ରରେ ଏହି ଇନସୁଲିନ ଚର୍ମ ତଳେ ଦିଆଯିବା ବେଳେ କିଛିଟା ସମୟରେ ଧମନୀ ଦ୍ୱାରା ଇନସୁଲିନ ଦିଆଯାଇଥାଏ । ଯଦ୍ୱାରା ରକ୍ତ ଶର୍କରା ଯଥାଶୀଘ୍ର ନିୟନ୍ତ୍ରଣରେ ଆସିଥାଏ ।ଏମକେସିଜି ମେଡ଼ିକାଲ କଲେଜ ଶଲ୍ୟ ଚିକିତ୍ସା ବିଭାଗ ତଥା ବ୍ରହ୍ମପୁର ସ୍ଥିତ ଅନ୍ୟାନ୍ୟ ଘରୋଇ ଏବଂ ସରକାରୀ ହସପିଟାଲର ପ୍ରାୟତଃ ୮୦ ଡାକ୍ତର ଏହି ଅଧିବେଶନରେ ଅଂଶ ଗ୍ରହଣ କରି ଡା. କୋଟାଙ୍କ ଠାରୁ ନିଜ ପ୍ରଶ୍ନର ଉତ୍ତର ଲାଭ କରିଥିଲେ । ଏହାପରେ ଶଲ୍ୟ ଚିକିତ୍ସା ବିଭାଗୀୟ ପୂର୍ବତନ ମୁଖ୍ୟ ଡା. ରାଜା ରାଓ ଡା. କୋଟାଙ୍କୁ ସମ୍ବର୍ଦ୍ଧନା କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଶେଷରେ ଡା. ଅମ୍ବୁଜା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା