
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ୯ ନଂ ୱାର୍ଡ ଶାନ୍ତିଆ ଗ୍ରାମବାସୀଙ୍କ ଏକ ନିଆରା ପଦକ୍ଷେପ ଫଳରେ ଆଜି ଦୀର୍ଘ ୧ କିମି ରାସ୍ତା ନିର୍ମାଣକାର୍ଯ୍ୟ ସଂପୂର୍ଣ୍ଣ ହେବାପରେ ଗ୍ରାମବାସୀଙ୍କ ପକ୍ଷରୁ ଲୋକାର୍ପିତ କରାଯାଇଛି । ଶାନ୍ତିଆ ଗ୍ରାମର ଅନତି ଦୂରରେ ଦକ୍ଷିଣପୂର୍ବ ରେଳପଥ ଓ ୬୦ନଂ ଜାତୀୟ ରାଜପଥ ରହିଛି । ମାତ୍ର ଏହି ରେଳପଥକୁ ପାରି ହୋଇ ଆରପାରିକୁ ଯିବାକୁ ଥିବା ଏକ ରାସ୍ତାରେ ଜଗୁଆଳି ବିହିନ ଲେଭେଲକ୍ରସିଂ ଉଠିଯିବାର ସୂଚନା ପାଇ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହେବାପରେ ସେଠାରେ ଏକ ଜଗୁଆଳି ଲେଭେଲକ୍ରସିଂର ବ୍ୟବସ୍ଥା କରାଯାଇଛି । ପରବର୍ତ୍ତୀ ସମୟରେ ୬୦ନଂ ଜାତୀୟ ରାଜପଥର ଉଭୟପାଶ୍ୱର୍ରେ ଥିବା ଚାଷଜମି ଗୁଡିକୁ ଯିବାପାଇଁ ଗ୍ରାମବାସୀମାନେ ଦୀର୍ଘ୩ କିମି ବୁଲି ନୂଆବଜାର ହୋଇ ସେଠାକୁ ଯାଇଥାନ୍ତି । ଏପରି ଦୁର୍ଦ୍ଦଶାରୁ ରକ୍ଷା ପାଇବାପାଇଁ ଗ୍ରାମକମିଟି ମୁଖ୍ୟ ସିତାଂଶୁ ସେନାପତି ଓ ଗ୍ରାମର କେତେଜଣ ବୟୋଜ୍ୟଷ୍ଠ ବ୍ୟକ୍ତି ଆଜକୁ ୩ବର୍ଷ ତଳେ ଉଦ୍ୟମ ଆରମ୍ଭ କରିଥିଲେ । ନେସ୍କୋର ପୂର୍ବତନ ନିର୍ବାହୀ ଅଧିକାରୀ ଇଂ ଅକ୍ଷୟ କୁମାର କରଙ୍କ ଆର୍ଥୀକ ସହଯୋଗ ଓ ଜମିଦାନ କରିବାପରେ ଏହି ରାସ୍ତାନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସେହିପରି ପୂର୍ବତନ ନଗରପାଳ ପ୍ରବୀର କୁମାର ପ୍ରଧାନ ନିଜଜମି ଦାନ କରିବାଫଳରେ ଗ୍ରାମବାସୀମାନେ ରାସ୍ତାନିର୍ମାଣ କରିବାକୁ ସକ୍ଷମ ହୋଇଥିଲେ । ଆଜି ନବବର୍ଷ ଅବସରରେ ଏକ ବିଶାଳ ଶୋଭାଯାତ୍ରା ଚଣ୍ଢଡି ମନ୍ଦିରଠାରୁ ବାହାରି ନୂତନରାସ୍ତା ନିର୍ମାଣ କାର୍ଯ୍ୟ ସ୍ଥାନରେ ପହଞ୍ଚିବାପରେ ଇଂ ଅକ୍ଷୟ କୁମାର କର ଫିତାକାଟି ଆନୁଷ୍ଠାନିକଭାବେ ଏହି ରାସ୍ତାକୁ ଲୋକର୍ପିତ କରିଥିଲେ । ଏହି ଅବସରରେ ଗ୍ରାମ୍ୟମୁଖ୍ୟ ସୀତାଂଶୁ ସେନାପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଇଂ ଅକ୍ଷୟ କୁମାର କର ମୁଖ୍ୟ ଅତିଥି, ପ୍ରବିର କୁମାର ପ୍ରଧାନ, ସମାଜସେବୀ ଅରୁଣ କୁମାର ବେଜ, ଭୁପତି ଅଣ୍ଡିଆ, କାର୍ତ୍ତିକ ଚନ୍ଦ୍ର ଗିରି, ଚିତ୍ତରଞ୍ଜନ ସାହୁ, ପୌରନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ବିନା ସରକାରୀ ଅନୁଦାନରେ ଗ୍ରାମବାସୀଙ୍କ ସମୁହ ଶ୍ରମ ଓ ଅର୍ଥବିନିଯୋଗରେ ଏପରି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ ନିତ୍ୟାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା