ଶାନ୍ତିଆ ଶ୍ରୀନାଥଚନ୍ଦ୍ର ସୀମାନ୍ତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜଳେଶ୍ୱର ମ୍ୟୁନିସୀପାଲଟି ଅଧିନସ୍ଥ ଶ୍ରୀନାଥଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ଦିବସବ୍ୟାପି ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପରିଚାଳନା କମିଟି ସଭାପତି ଅରୁଣ କୁମାର ବେଜ ସଭାପତିତ୍ୱ କରି ପ୍ରତ୍ୟେକ ବିଦ୍ୟାଳୟର ବାର୍ଷିକ ଉତ୍ସବ ତାର ଅତୀତ ଗାରିମାର ପରିଚୟ ଦେଇଥାଏ ବୋଲି କହିଥିଲେ । ଜଳେଶ୍ୱର ବିଇଓ ବିଜୟ କୁମାର ନାଥ ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ ଏବେ ଶିକ୍ଷା ସୀମିତ ନ ରହି ବନ୍ଧୁତା ଓ ଖେଳକୁଦ ପାଇଁ ସରକାର ଗୁରୁତ୍ୱ ଦେଇଥିବା ଏବଂ ପରିଶେଷରେ ଲୁକାୟିତ ପ୍ରତିଭାର ପରିପ୍ରକାଶର ବ୍ୟବସ୍ଥା ସର୍ମ୍ପକରେ କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିୀକ୍ଷକ କାର୍ତ୍ତିକଚନ୍ଦ୍ର ବାରିକ ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ତଥା ଏନ୍ଏସିର ପୂର୍ବତନ ଅଧ୍ୟକ୍ଷ ପ୍ରବୀର କୁମାର ପ୍ରଧାନ ଯୋଗ ଦେଇ ବିଦ୍ୟାଳୟର ପ୍ରତିଭାଧାରି ଛାତ୍ରଛାତ୍ରୀଙ୍କର ପରିପ୍ରକାଶ ତଥା ମେଧାବୃତ୍ତି ଲାଗି ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆହ୍ୱାନ ବୋଲି କହିଥିଲେ । ଅନ୍ୟମାନଙ୍କମ ମଧ୍ୟରେ ସିଆର୍ସିସି ସୁବେଶ କୁମାର ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗେଶ କୁମାର ରାଉଳ, ଗ୍ରାମପରିଚାଳନା କମିଟି ସଭାପତି ସିତାଂଶୁ ସେଖାର ସେନାପତି, ଅବସରପ୍ରାପ୍ତ ଶିକ୍ଷକ ଆଦ୍ୟାଚରଣ ବେହେରା, ଏମଡିଏମ ସଭାନେତ୍ରୀ ବାସନ୍ତି ପରିଡା, ମଧୁସୂଦନ ବ୍ରହ୍ମ, ନଗେନ୍ଦ୍ର କର ପ୍ରମୁଖ ଅତିଥିରୂପେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ସତ୍ୟରଂଜନ ଦାସ ମଞ୍ଚ ଆହ୍ୱାନ କରିଥିବା ବେଳେ ହେମନ୍ତ କୁମାର ଦାସ ବେଦମନ୍ତ୍ର ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷକ ବୁଦ୍ଧେଶ୍ୱର ପାଳ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତାରେ ୨ୟ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟର ଛାତ୍ର ନିର୍ମଳ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା