ଶାନ୍ତି ଶୃଙ୍ଖଳାର ସହ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସମସ୍ତ ଦଳର ପ୍ରାର୍ଥୀଙ୍କ ଭାଗ୍ୟ ଫଳ ଇଭିଏମ ମେସିନରେ ବନ୍ଦ ହୋଇଯାଇଛି ଯାହାର ଫଳାଫଳ ମଇ ୨୩ରେ ପ୍ରକାଶ କରାଯିବ । ଗତକାଲି ରାଜ୍ୟରେ ମୋଟ ୪ ଟି ଲୋକସଭା ଆସନ ବ୍ରହ୍ମପୁର, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ୨୮ ଟି ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ ହୋଇଯାଇଛି । ସେହିପରି ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ଦିଗପହଣ୍ଡି ଓ ଚିକିଟି ଏବଂ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ଆସନ ନିମନ୍ତେ ହୋଇଥିଲା ମତଦାନ । ଏହି ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ୧୦,୭୨,୨୪୨ ଭୋଟର ରହିଥିବା ଜଣାପଡ଼ିଛି । ଗତକାଲି ଭୋର୍ ସାଢ଼େ ୫ ଟାରୁ ୭ ଟା ପର୍ଯ୍ୟନ୍ତ ପଲିଟିକାଲ ଏଜେଣ୍ଟଙ୍କ ଉପସ୍ଥିତିରେ ମକପୋଲ ଅନୁଷ୍ଠିତ କରାଯାଇଥିଲା । ଏହାପରେ ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିଲା । ସେହିଭଳି ଭିନ୍ନକ୍ଷମମାନଙ୍କ ପାଇଁ ହୁଇଲ୍ ଚେୟାର ବ୍ୟବସ୍ଥା କରାଯାଇଥିଲା । ୫ ବର୍ଷରେ ଥରେ ନିଜ ମତସାବ୍ୟସ୍ତ କରିବାର ସୁଯୋଗ ପାଇଥିବାରୁ ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବା ପାଇଁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ମୋଟାମୋଟି ଭାବେ ସମସ୍ତ ବୁଥ୍ ରେ ଶାନ୍ତିଶୃଙ୍ଖଳାରେ ଭୋଟ ଗ୍ରହଣ ହୋଇଯାଇଛି । ଗତ ନିର୍ବାଚନରେ ଭୋଟର ଇଭିଏମ୍ ମେସିନରେ ଭୋଟ ଦେଇଥିବା ବେଳେ ଚଳିତବର୍ଷ ପ୍ରଥମ ଥର ପାଇଁ ଭିଭିପାଟ ମେସିନ ବ୍ୟବହାର କରାଯାଇଛି । ତେବେ କିଛି ବୁଥରେ ଇଭିଏମ୍ ଏବଂ ଭିଭିପାଟ ମେସିନରେ ତୃଟି ଯୋଗୁଁ ମତଦାନରେ ସମାନ୍ୟ ବିଳମ୍ବରେ ହୋଇଥିଲା । ଅନ୍ୟପକ୍ଷରେ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନ କିଭଳି ହୋଇପାରିବ ସେ ନେଇ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ସେହିପରି ବ୍ରହ୍ମପୁର ପୋଲିସ୍ ଓ ଗଞ୍ଜାମ ପୋଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ବ୍ରହ୍ମପୁର ଲୋକସଭା ଅଧିନସ୍ଥ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ଦିଗପହଣ୍ଡି ଓ ଚିକିଟି ନିର୍ବାଚନ ମଣ୍ଡଳୀରେ ମୋଟ ୧୧୧୭ ଟି ବୁଥରେ ଭୋଟ ଗ୍ରହଣ ହେଉଥିବା ବେଳେ ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ୮୮୬ ଟି ବୁଥ୍ ଏବଂ ଗଞ୍ଜାମ ପୋଲିସ ଜିଲ୍ଲାରେ ୨୪୪ ଟି ବୁଥ୍ ରହିଛି । ଏଥିମଧ୍ୟରେ ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ୧୪୮ ଟି ସମ୍ବେଦନଶୀଳ ବୁଥ୍ ରହିଥିବା ବେଳେ ଗଞ୍ଜାମ ପୋଲିସ୍ ଜିଲ୍ଲାରେ ୬୪ ଟି ସମ୍ବେଦନଶୀଳ ବୁଥ୍ ରହିଛି । ଯାହାଫଳରେ ପୋଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ସିସିଟିଭି, ଷ୍ଟିଲଫୋଟ, ଭିଡ଼ିଓଗ୍ରାଫି, ୱେବ୍କାଷ୍ଟିଙ୍ଗ୍ ଓ ମାଇକ୍ରୋ ଅବଜର୍ଭର ବ୍ୟବସ୍ଥା କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା