ଶିକ୍ଷାଧିନିୟମ କଟକଣା ଦିଗପହଣ୍ଡିରେ ବାଟବଣା କୋଚିଂ ସେଣ୍ଟରରେ ପାଠ ପଢାଉଛନ୍ତି ସରକାରୀ ଶିକ୍ଷକ ଓ ଅଧ୍ୟାପକ ଯାଞ୍ଚ ହେଉନି କି କାର୍ଯ୍ୟାନୁଷ୍ଠାନ ହେଉନି….

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ସରକାରୀ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକାମାନଙ୍କ ଉପରେ ଲଗାମ୍ ଲଗାଇବା ସହିତ ବେଆଇନ କୋଚିଂ ସେଣ୍ଟର ମାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ବିଭିନ୍ନ ଆଇନ ପ୍ରଣୟନ କରୁଛନ୍ତି । ହେଲେ ସେସବୁ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି । ଫଳରେ ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ଅଦ୍ୟାବିଧି ଦିଗପହଣ୍ଡି ଏନଏସି ଓ ବ୍ଳକ ଏବଂ ସାନଖେମୁଣ୍ଡି ବ୍ଳକାଞ୍ଚଳରେ ବେଆଇନ ଭାବେ ଅଣ ପଞ୍ଜିକୃତ ଶିକ୍ଷାନୁଷ୍ଠାନ (କୋଚିଂ ସେଣ୍ଟର) ଗୁଡିକ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସରକାରୀ ଶିକ୍ଷକ ଓ ଅଧ୍ୟାପକ ମାନେ ମଧ୍ୟ କୋଚିଂ ସେଣ୍ଟର ଗୁଡିକରେ ନ୍ୟସ୍ତ ରହି ନିଜ ନିଜ ବ୍ୟବସାୟ ଚଳାଉଥିବା ଅଭିଯୋଗ ହୋଇଛି । ଓଡିଶା ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶାଳୟର ପତ୍ରାଙ୍କ ୧୧୯୮୦, ୩୦ା୦୩ା୨୦୧୭ ପ୍ରକାରେ କୌଣସି ସରକାରୀ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ବେସରକାରୀ ଭାବେ କୋଚିଂ ସେଣ୍ଟରରେ ଶିକ୍ଷାଦାନ କାର୍ଯ୍ୟରେ ନିଜକୁ ନ୍ୟସ୍ତ କରିପାରିବେ ନାହିଁ । ପ୍ରମାଣିତ ସାବ୍ୟସ୍ତ ହେଲେ ସେଥି ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତକ୍ରାଳୀନ ଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଏନେଇ ଏକ ନିର୍ଦ୍ଦେଶ ଜାରି କରିଥିଲେ । ସମସ୍ତ ଜିଲା ଶିକ୍ଷାଧିକାରୀ ଏବଂ ଜିଲାପାଳଙ୍କୁ ଏହାରି ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ହୋଇଥିଲା । ହେଲେ ନିର୍ଦ୍ଦେଶାନାମାକୁ ଦୀର୍ଘ ଦିନ ଅତିବାହିତ ହୋଇଯାଇଥିଲେ ହେଁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି । ଉଚ୍ଚଶିକ୍ଷା ବିଭାଗ ନିୟମାନୁସାରେ କୋଚିଂ ସେଣ୍ଟର ଚଲାଇବା ପୂର୍ବରୁ ଏହାକୁ ପଞ୍ଜିକୃତ କରିବା ବାଧ୍ୟତା ରହିଛି । ପଞ୍ଜିକୃତ ହେବା ପୂର୍ବରୁ ଗଭର୍ଣ୍ଣଂ ବଡି ପ୍ରସ୍ତୁତ କରିବା ପରେ ଅନ୍ ଲାଇନ୍ ଡାଟା ବେସ୍ ଅପ୍ଟୁ ଡେଟ୍ କରିବା ପରେ ତାଙ୍କୁ ସରକାରୀ ସ୍ୱୀକୃତି ପ୍ରମାଣ ପତ୍ର ପ୍ରଦାନ କରାଯାଇଥାଏ । ସେହିପରି ସେଠାରେ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯିବାର ବ୍ୟବସ୍ଥା ସହିତ ପ୍ରତ୍ୟେକ କର୍ମଚାରୀଙ୍କ ଦରମା ଫିକ୍ସ କରିବାକୁ ବାଧ୍ୟତା ରହିଛି । ସେହିପରି କୋଚିଂ ସେଣ୍ଟରକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ସହିତ ଗୋଟିଏ ବ୍ୟାଚ୍ରେ ୪୦ ଜଣଙ୍କ ଠାରୁ ଅଧିକା ଯେପରି ରହିବେ ନାହିଁ ସେଥି ନେଇ ଗୁରୂତ୍ୱାରୋପ ଦିଆଯାଇଛି । ଓଡିଶା ରାଜ୍ୟ ଶିକ୍ଷା ଅଧିନିୟମ ୨୦୧୦ ପ୍ରକାରେ ସମସ୍ତ ଅଣ ପଞ୍ଜିକୃତ କୋଚିଂ ସେଣ୍ଟର ମାନଙ୍କୁ ପଞ୍ଜିକୃତ କରିବାକୁ ବାଧ୍ୟତା ରହିଥିବା ବେଳେ ସରକାରୀ ଶିକ୍ଷକ ଓ ଅଧ୍ୟାପିକା ମାନେ କୌଣସି ମୁହୁର୍ତ୍ତରେ ହେଲେ ମଧ୍ୟ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ଘରୋଇ ଶିକ୍ଷାଦାନ କରିବାକୁ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି । ସେହିପରି ସ୍କୁଲ ଓ କଲେଜ ସମୟରେ କୋଚିଂ ସେଣ୍ଟର ମାନଙ୍କରେ କ୍ଳାସ୍ କରିପାରିବେ ନାହିଁ ବୋଲି ବାଧ୍ୟତା ରହିଛି । ହେଲେ ଏହି ନିୟମକୁ ଫୁ କରି ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକାଞ୍ଚଳର ସରକାରୀ ଶିକ୍ଷକ ଶିକ୍ଷୟତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ମାନେ ବେଆଇନ ଭାବେ ବିଭିନ୍ନ ସ୍ଥାନରେ ଘରୋଇ ଟ୍ୟୁସନ୍ ମାନ କରି ଅର୍ଝ ଜୁଲମ କରି କୋଚିଂ ସେଣ୍ଟର ଚଳାଉଥିବା ପରିଲକ୍ଷିତ ହୋଇଛି । ଏହାରି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି । ସମ୍ପ୍ରତ୍ତି ଶିକ୍ଷା ବର୍ଷ ପାଇଁ ଅନ୍ ଲାଇନ୍ ମାଧ୍ୟମରେ ଆଡ୍ମିଶନ ଋତୁ ଆରମ୍ଭ ହୋଇଯାଇଛି । ଏହି ସମୟରେ କୋଚିଂ ସେଣ୍ଟର ମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରଲୋଭନ ଓ ଚାପ ପକାଇ ସରକାରୀ ଶିକ୍ଷକ ଓ ଅଧ୍ୟାପକ ମାନେ ନିଜ ନିଜ କୋଚିଂ ସେଣ୍ଟରକୁ ପିଲାମାନଙ୍କୁ ଆକୃଷ୍ଟ କରୁଥିବା ନଜର୍ ମିଳିଛି ।

ସେମାନଙ୍କ ମୁହଁରୁ…
ଗୋପୀଚାନ୍ଦ ପଣ୍ଡା, ଆଇନ ଛାତ୍ର, ଲିଙ୍ଗରାଜ ମହାବିଦ୍ୟାଳୟ – ସମ୍ପ୍ରତ୍ତି ଯୁକ୍ତ ୨ ବିଜ୍ଞାନରେ ଅଧ୍ୟୟନ ଛାତ୍ରଟିଏ ମାସିକ ଟ୍ୟୁସନ୍ ଫିଜ୍ ୯୫୦ ଟଙ୍କାରୁ ୧୦୦୦ ଟଙ୍କା ଦେଉଥିବା ବେଳେ କଳା ବିଭାଗର ଛାତ୍ର ଟିଏ ମାସକୁ ୩୦୦ରୁ ୫୦୦ ଟଙ୍କା ଦେବାକୁ ପଡୁଛି । ପୂର୍ବରୁ ଏହି ଟ୍ୟୁସନ୍ ଫିଜ୍ ମାନ ଏତେ ପରିମାଣର ନଥିଲା । ବର୍ତ୍ତମାନ ବ୍ୟବସାୟିକା ଉଦ୍ଦେଶ୍ୟ ରଖି ସ୍କୁଲ ଓ କଲେଜର ଶିକ୍ଷକ ମାନେ ଶିକ୍ଷାଦାନ କରୁଥିବା ବେଳେ ଗରୀବ ମେଧାବୀ ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି । ତେବେ ଏ ଦିଗରେ ଜିଲ୍ଲା ଉଚ୍ଚ ଶିକ୍ଷା ବିଭାଗ ଧ୍ୟାନ ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି ।

ବିକାଶ ପଶୁପାଳକ, ଆଇନଜିବୀ, ଦିଗପହଣ୍ଡି – ଦିଗପହଣ୍ଡି ସହର ଓ ବ୍ଳକରେ ରହିଥିବା ସମସ୍ତ କୋଚିଂ ସେଣ୍ଟର ମାନଙ୍କରେ ଶିକ୍ଷାଦାନ କରୁଥିବା ଅଧିକାଂଶ ଶିକ୍ଷକ କୌଣସି ନା କୌଣସି ସରକାରୀ ସ୍କୁଲ ଓ କଲେଜରେ ନିୟମିତ ଶିକ୍ଷାଦାନ କରି ସରକାରଙ୍କ ଠାରୁ ପ୍ରାପ୍ୟ ନେଉଛନ୍ତି । ନିସ୍କର୍ସ ସେବା ଯୋଗାଇଦେବା ଆଳରେ ଶିକ୍ଷାକୁ ବ୍ୟବସାୟିକ କେନ୍ଦ୍ରୀଭୂତ କରିସାରିଲେଣି । କୋଚିଂ ସେଣ୍ଟର ମାନଙ୍କୁ ସରକାରୀ ଶିକ୍ଷକ ଓ ଅଧ୍ୟାପକ ମାନେ ଅଧିକା ଗୁରୂତ୍ୱାରୋପ ଦେଉଥିବା ହେତୁ ସରକାରୀ ସ୍କୁଲ ଓ କଲେଜରେ ପାସ୍ ହାର କମିବା ସହିତ ଶିକ୍ଷାର ମାନ ମଧ୍ୟ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି ।

ସମୀରକାନ୍ତ ତ୍ରିପାଠୀ, ସଭାପତି, ବିଜୁ ଯୁବ ବାହିନୀ, ଦିଗପହଣ୍ଡି – ଦିଗପହଣ୍ଡି ଏନଏସି, ବ୍ଳକ ଓ ସାନଖେମୁଣ୍ଡି ବ୍ଳକାଞ୍ଚଳରେ ଶତାଧିକ ସ୍କୁଲ ରହିଥିବା ବେଳେ ୮ଟି କଲେଜ ରହିଛି । ସେଗୁଡିକରେ ସଠିକ୍ ଭାବେ ଶିକ୍ଷାଦାନ କରାଯାଉନଥିବାରୁ ଅଧିକାଂଶ ସମୟରେ ପିଲା ମାନେ କୋଚିଂ ସେଣ୍ଟର ଉପରେ ନିର୍ଭରଶୀଳ ହେଉଛନ୍ତି । ବିକଳ୍ପ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ପିଲା ମାନେ ନିର୍ଦ୍ଦିଷ୍ଟ ହାତ ଗଣତି କିଛି କୋଚିଂ ସେଣ୍ଟରରେ ଶିକ୍ଷା ଗ୍ରହଣ କରୁଛନ୍ତି । ଗୋଟିଏ ବ୍ୟାଚ୍ରେ ୪୦ ଜଣ ପିଲା ରହିବାକୁ ବାଧ୍ୟତା ରହୁଥିବା ବେଳେ କୋଚିଂ ସେଣ୍ଟର ମାନଙ୍କରେ ୮୦ ରୁ ୧୦୦ ପିଲା ଗୋଟିଏ ଲେଖାଏଁ ବ୍ୟାଚ୍ରେ ରହୁଥିବା ବେଳେ ସେମାନଙ୍କୁ ପ୍ରୋଜେକ୍ଟର ଓ ମାଇକ୍ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି ।

ବିଜୟ ଅମୃତା କୁଲାଙ୍ଗେ, ଜିଲାପାଳ, ଗଞ୍ଜାମ – ଘରୋଇ କୋଚିଂ ସେଣ୍ଟର ମାନଙ୍କ ଉପରେ ନିୟନ୍ତ୍ରଣ କରିବା ଏବଂ ସେମାନଙ୍କର ସ୍ଥିତି ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ୱତନ୍ତ୍ର ଟିମ୍ ରହିଛି । ସମ୍ପ୍ରତ୍ତି ଉଚ୍ଚ ଶିକ୍ଷା ବିଭାଗର ଆଡ୍ମିଶନ୍ ପ୍ରକ୍ରିୟା ଆରମ୍ଭ ହେବା ପରେ ବେଆଇନ କୋଚିଂ ସେଣ୍ଟର ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ ଶିକ୍ଷକ ଓ ଅଧ୍ୟାପକ ମାନେ ଶିକ୍ଷାଦାନ କରୁଥିବା ପ୍ରମାଣ ସାବ୍ୟସ୍ତ ହେଲେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା