ଗୁରୁକୁଳ ଆଶ୍ରମରେ ଶିକ୍ଷାର୍ଥୀଙ୍କ ବିଦ୍ୟା ଶିକ୍ଷା ଅବଧି ମଧ୍ୟରେ ସେମାନଙ୍କ ବ୍ୟକ୍ତିଗତ ମାନବିକ ମୂଲ୍ୟବୋଧ, ଚରିତ୍ରବତ୍ତା, ଶିକ୍ଷଣୀୟତା ତଥା ଶିକ୍ଷା ପ୍ରଦାନକାରୀ ସାମର୍ଥ୍ୟ ଉପରେ ଗୁରୁତ୍ୱାରୋପ କରାଯାଇ ବିଦ୍ୟାଶିକ୍ଷା ସମ୍ପୂର୍ଣ୍ଣ ହେବାପରେ ଯିଏ ଯେଉଁ କାର୍ଯ୍ୟ ପାଇଁ ଉପଯୁକ୍ତ ମନେ କରାଯାଉଥିଲା ତାକୁ ସେହି କାର୍ଯ୍ୟରେ ନିବେଶ କରାଯାଇ, ଶିକ୍ଷକତା କରିବା ଯୋଗ୍ୟ ବିବେଚିତ ଶିକ୍ଷାର୍ଥୀଙ୍କୁ ଆଶ୍ରମର ଶିକ୍ଷକ ଭାବେ ନିୟୋଜିତ କରୁଥିଲେ ଗୁରୁ । ଆଜି କିନ୍ତୁ ଆଉ ଗୁରୁକୁଳ ନାହିଁ କି ସେହି ଶିକ୍ଷା ବ୍ୟବସ୍ଥା ନାହିଁ ଆମ ଦେଶରେ । ପାଶ୍ଚାତ୍ୟର ଆଡ଼ମ୍ବରପୂର୍ଣ୍ଣ ଛନ୍ଦଭରା ଶିକ୍ଷା ବ୍ୟବସ୍ଥାରେ ସମଭୂଷିତ ଭାରତୀୟଙ୍କ ସ୍ଥିତି ଏକ ନିଆରା ଢଙ୍ଗରେ ଦେଖିବାକୁ ମିଳୁଛି । ଶିକ୍ଷାର ଅର୍ଥ ବିଭିନ୍ନ ସାମାଜିକ, ମାନବିକ ଚେତନା ଜ୍ଞାନ ଠାରୁ ଆରମ୍ଭ କରି ଯାନ୍ତ୍ରିକ ମନସ୍ତାତ୍ୱିକ କୌଶଳ ଭଳି ଅନେକ ବିଷୟକୁ ନେଇ ଗଠିତ ଗବେଷକଙ୍କ ଲିପିବଦ୍ଧ ଜ୍ଞାନ ଯାହା ସମାଜର ସାଧାରଣ ମଣିଷଙ୍କୁ ବିତରଣ କରି ସାମାଜିକ କର୍ମରେ ନିୟୋଜିତ କରାଯିବା ଲକ୍ଷ ରଖା ଯାଇଥାଏ । ଶିକ୍ଷା ମଣିଷକୁ କୌଣସି ଗୋଟିଏ ବିଷୟରେ ପାରଙ୍ଗମ କରି ସାମାଜିକ କର୍ମ କ୍ଷେତ୍ରରେ ନିୟୋଜିତ କରିବାରେ ସାହାଯ୍ୟ କରିଥାଏ । ଶିକ୍ଷାରୁ ଜ୍ଞାନ ଆହରଣ କରିବା ଏକ କଳା ଯାହା ସମସ୍ତଙ୍କ ଦ୍ୱାରା ସମ୍ଭବ ହୋଇନଥାଏ । ତଥାପି ସୀମିତ ଶୈଖିକ ବିଷୟକୁ ନେଇ ଜଣେ ଶିକ୍ଷାର୍ଥୀ ପରବ ର୍ତୀ ସମୟରେ କିଛି ସାମାଜିକ କର୍ମରେ ସାହାଯ୍ୟ ଯୋଗ୍ୟ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସହି ଶିକ୍ଷାର୍ଥୀଙ୍କ ଉପରେ ଭରସା କରି ହୁଏନି । କିନ୍ତୁ ଯିଏ ଶିକ୍ଷା ମାଧ୍ୟମରେ ନିଜସ୍ୱ ଜ୍ଞାନ ଅର୍ଜନ କରିବାରେ ସମର୍ଥ ହୋଇଥା’ନ୍ତି ସେମାନେ ସାମାଜିକ କ୍ଷେତ୍ରରେ ବିଭିନ୍ନ କର୍ମ କରି ସାମାଜିକ ଅଗ୍ରଗତିରେ ସହାୟକ ହୋଇ ପାରନ୍ତି । ଶିକ୍ଷା ଅର୍ଜନ ପରବର୍ତୀ ସେହି ଶିକ୍ଷା ମଧ୍ୟରେ ସୀମିତ ରହିଥିବା ଶିକ୍ଷାର୍ଥୀଙ୍କୁ କେବଳ ଶିକ୍ଷିତ ବୋଲି କୁହାଯାଇ ପାରିବ । କିନ୍ତୁ ସେମାନଙ୍କ ଠାରୁ ଅଧିକ କିଛି ଆଶା ରଖିବା ନିରର୍ଥକ । ଶିକ୍ଷା ନଥାଇ ନିଜସ୍ୱ ଜ୍ଞାନରେ ସାମାଜିକ ତତ୍ପରତା ଦେଖାଇ ବିଭିନ୍ନ କ୍ଷେତ୍ରରେ ସହଯୋଗ କରୁଥିବା ମଣିଷଙ୍କୁ ମଧ୍ୟ ଶିକ୍ଷାୟତ କରିଥିବା ଜଣେ ମଣିଷଙ୍କ ଠାରୁ ଅଧିକ ସମ୍ମାନ ପ୍ରଦର୍ଶନ କରାଯିବା ବିଧେୟ ଯାହା ଆମ ପୂର୍ବଜଙ୍କ ସ୍ଥିତି ଥିଲା । ସେତେବେଳ କୌଣସି ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ ଉତ୍ସ ନଥାଇ ମଧ୍ୟ ଯେଉଁ ପ୍ରଜ୍ଞାପୁରୁଷ ମାନେ ଯାହା ସବୁ ଲେଖଦେଇ ଯାଇଛନ୍ତି ସେଗୁଡିକୁ ଆଜିର ଉଚ୍ଚ ଶିକ୍ଷିତ ମଧ୍ୟ ହୃଦ୍ବୋଧ କରି ପାରୁନଥିବା ଦେଖିବାକୁ ମିଳୁଛି । କାରଣ ଶିକ୍ଷା ମଣିଷକୁ ଜ୍ଞାନ ଦେବାର କୌଣସି ନିଶ୍ଚିତ ପ୍ରାବଧାନ ରଖିନଥାଏ । ଜ୍ଞାନ କେବଳ ପ୍ରକୃତି ଦତ୍ତ ଯାହା ଜନ୍ମ ଲକ୍ଷଣ ଭାବେ ଦେଖିବାକୁ ମିଳେ କେତେକଙ୍କ କ୍ଷେତ୍ରରେ । ତଥାପି ଜନ୍ମ କଳା ସଂଯୁକ୍ତ ଜ୍ଞାନ ଶୂନ୍ୟ ମଣିଷଙ୍କୁ ମଧ୍ୟ ସାମାଜିକ ସ୍ତରରେ କେତେକାଂଶରେ ସମାନ୍ତରାଳ କରି ବଂଚିବା ପାଇଁ ସୁଯୋଗ ସୃଷ୍ଟି କରିବା ଉଦେଶ୍ୟରେ ସମାଜରେ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ ହୋଇ ଆସୁଅଛି । ଆଜି କିନ୍ତୁ ଶିକ୍ଷା ବ୍ୟବସ୍ଥାର ରୂପ ରେଖ କେବଳ ବ୍ୟବସାୟୀକ ଭିତ୍ତିରେ ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ଯାହାର ସଜ୍ଞା ଅତ୍ୟନ୍ତ ନିକୃଷ୍ଠ ହୋଇ ପଡିଛି ସମାଜରେ । ଶିକ୍ଷାଦାନ ପ୍ରଣାଳୀ ଠାରୁ ଆରମ୍ଭ କରି ଶିକ୍ଷା ପ୍ରାପ୍ତି ପରବର୍ତ୍ତୀ କର୍ମ କ୍ଷେତ୍ର ଗୁଡିକୁ ମଧ୍ୟ କେବଳ ବ୍ୟବସାୟୀକ ପଦ୍ଧତିରେ ପରିଚାଳିତ ଆମ ସମାଜର ରୂପରେଖ ବିଷୟରେ ବୁଝିବା ମଣିଷଙ୍କ ସଂଖ୍ୟା ଶୂନ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ । ଜଣେ ଶିକ୍ଷିତଙ୍କୁ ସାଧାରଣ ଲୋକେ ସର୍ବଜ୍ଞନି ବୋଲି ଭାବନ୍ତି ଯାହା କୌଣସି ଦିଗରୁ ଯୁକ୍ତି ସଂଗତ ନୁହେଁ । କାରଣ ଗୋଟିଏ ବିଷୟରେ ଶିକ୍ଷା ଅର୍ଜନ କରି ସେହି ବିଷୟକୁ ନେଇ ରୋଜଗାରକ୍ଷମ ହେବା ଲକ୍ଷ ରଥାନ୍ତି ଶିକ୍ଷାର୍ଥୀ ଯାହା ସେମାନଙ୍କୁ ସମାଜର ଅନ୍ୟାନ୍ୟ ବିଷୟ ଗୁଡିକ ଉପରେ ବିଶେଷଜ୍ଞ କରିବାର କୌଣସି ନିଶ୍ଚିତତା ନଥାଏ । ତଥାପି ଉଚ୍ଚ ଶିକ୍ଷିତଙ୍କ ସାମାଜିକ ମାନ୍ୟତା ଏକ ଭିନ୍ନ ରକମର ଦେଖିବାକୁ ମିଳେ ଆମ ସମାଜରେ ଯାହା ଅଯୌକ୍ତିକ । ପ୍ରାକୃତିକ ଜ୍ଞାନୀର ପରିଚୟ ବିହୀନ ଆଜିର ଏହି ସମାଜର ଅଧୋଗତିର କାରଣ କେବଳ ବ୍ୟବସାୟୀକ ଶିକ୍ଷା ପଦ୍ଧତିର ପ୍ରହେଳିକା ମାତ୍ର । ସାଧାରଣ ଲୋକେ କିନ୍ତୁ ତାହା ପ୍ରତି ଆଦୌ ସଚେତନ ନୁହନ୍ତି । କାରଣ ଏକ ଛଳନାତ୍ମକ ପରିବେଶରେ ବଂଚିବା ଶିଖିଛେ ଆମେ ଏଇ କେତେ ବର୍ଷ ହେଲା । ଶିକ୍ଷକ ଅର୍ଥାତ, ଶିକ୍ଷାକୁ ବ୍ୟାଖ୍ୟା, ସରଳୀକୃତ କରି ନୂତନ ପିଢିଙ୍କୁ ବିତରଣ କରୁଥିବା ମଣିଷ । ଶିକ୍ଷକ ସମାଜର ସବୁଠାରୁ ସମ୍ମାନସ୍ପଦ ପଦବାଚ୍ୟ ହୋଇ ରହିଥଲା ସମାଜରେ ଯେପର୍ଯ୍ୟନ୍ତ ଶିକ୍ଷାଦାନ ପଦ୍ଧତି ଏକ ଶାଶ୍ୱତ ପରିବେଷ୍ଟନୀରେ ପରିଚାଳିତ ରହିଥିଲା । ଆଜି କିନ୍ତୁ ଶିକ୍ଷକର ସାମାଜିକ ପରିଚୟ ଶୂନ୍ୟ । କାରଣ ଦେଶର ଲକ୍ଷ ଲକ୍ଷ ଶିକ୍ଷକଙ୍କ ମଧ୍ୟରେ କେତେକ ହାତ ଗଣତି ମଣିଷଙ୍କୁ ଛାଡି଼ ଦେଲେ ପ୍ରାୟତଃ ସମସ୍ତେ ଶିକ୍ଷାଦାନର ପ୍ରକୃତ ରୂପରେଖ ମଧ୍ୟ ବୁଝିବାରେ ଅସମର୍ଥ ହେବେ ଯାହାଙ୍କୁ ଆମ ସମାଜ ଆଜି ଶିକ୍ଷକ ଭାବେ ସ୍ୱୀକାର କରିଛି । ଏହିକଥା ସମସ୍ତଙ୍କୁ ଗୋଚର । ତଥାପି ଆମ ଶିକ୍ଷା ବ୍ୟବସ୍ଥା ଚାଲିଛି କେବଳ ବ୍ୟବସ୍ଥାକୁ ବଞ୍ଚାଇ ରଖିବା ପାଇଁ । ସମସ୍ତ ଶିକ୍ଷକଙ୍କୁ ଯଦି ଉପଯୁକ୍ତ ପରୀକ୍ଷା କରାଯିବ ତାହେଲେ ୧ ରୁ କମ୍ ଶିକ୍ଷକ ଉପଯୁକ୍ତତା ସାବ୍ୟସ୍ତ କରିବାରେ ସମର୍ଥ ହୋଇପାରିବେ ବୋଲି ଆମର ଅନୁମାନ । ବାକି ୯୯ ଶିକ୍ଷକ କେବଳ ଶିକ୍ଷାୟତ୍ତନକୁ ଶୋଭା ବର୍ଦ୍ଧିତ କରୁଥିବା ବେଳେ ଶିକ୍ଷାର୍ଥୀଙ୍କ ଶିକ୍ଷା ପଦ୍ଧତିରେ ସେମାନଙ୍କ ଭୂମିକା କ’ଣ ଶାସନ ବ୍ୟବସ୍ଥା ସହିତ ସାଧାରଣ ଲୋକେ ମଧ୍ୟ ଜାଣନ୍ତି । ଶିକ୍ଷକ ପଦବୀ ପାଇଁ ସମାଜର ସବୁଠାରୁ ନିମ୍ନ ମାନର ଶିକ୍ଷିତଙ୍କ ଭିଡ଼ ଲାଗୁଥିବା ଏବଂ ସେମାନଙ୍କ ମଧ୍ୟରୁ କିଂଚିତ ଉନ୍ନତ୍ତ ବ୍ୟକ୍ତିଙ୍କୁ ଶିକ୍ଷକ ଭାବେ ଗ୍ରହଣ କରାଯାଉଥିବା ବିଷୟ କ’ଣ କାହାକୁ ବୁଝୁନାହିଁ ? ଉତ୍ତମ ଶୈଖିକ ଜ୍ଞାନ ସଂଯୋଜିତ ଶିକ୍ଷାର୍ଥୀମାନେ ସମାଜର ବିଭିନ୍ନ ଉଚ୍ଚ ସ୍ଥାନ ଗ୍ରହଣ କରିବା ପାଇଁ ପ୍ରତିଯୋଗିତା କରୁଥିବା ବେଳେ ସରାସରି ଯାହା ଅବଶିଷ୍ଟାଂଶ ରହିଥା’ନ୍ତି ସେମାନେ ଶିକ୍ଷକତା କରିବା ପାଇଁ ବାଧ୍ୟ ହୋଇ ଶିକ୍ଷକ ରୂପେ ନିୟୋଜିତ ହେଉଥିବା ବିଷୟ କ’ଣ କେହି ଜାଣନ୍ତି ନାହିଁ ? ନା ତାହାହିଁ ସର୍ବଶ୍ରେଷ୍ଠ ବ୍ୟବସ୍ଥା ବୋଲି ଲୋକେ ଭାବୁଛନ୍ତି ?!! ନା ତା ନୁହେଁ ! ଲୋକଙ୍କୁ ଅସ୍ଥିର ମାନସିକତା ପ୍ରବଣ କରି ରଖି କେବଳ ଅର୍ଥ ଉପାର୍ଜନ ପାଇଁ ନିୟୋଜିତ କରି ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କଲେ କେବଳ ଶ୍ରମିକ ଶ୍ରେଣୀର ମଣିଷ ଗୁଡିଏ ଆସନ୍ତା ସମୟରେ ଜନ୍ମ ହୋଇ ବ୍ୟବସାୟୀଙ୍କୁ ଶ୍ରମ ଦାନ କରିବାରେ ସମର୍ଥ ହୋଇ ପାରିବେ ବୋଲି ବିଚାରି ଏହି ବ୍ୟବସ୍ଥା ଅନୁସରଣ କରାଯାଉଅଛି, ବିଚାର କରନ୍ତୁ ସାଧାରଣ ଲୋକେ । ଶିକ୍ଷକ ଆଉ ନାହାନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ଶିକ୍ଷାକୁ ଏତିକି ନିମ୍ନଗାମୀ କରିଦିଆଗଲାଣି ଯେ ଶିକ୍ଷା ଦାନ ପଦ୍ଧତିର ବିଷୟ ବୋଲି କିଛି ନାହିଁ । ସରକାରୀ ବିଦ୍ୟାଳୟ, ଘରୋଇ ବିଦ୍ୟାଳୟ ଇତ୍ୟାଦିର ପ୍ରତିଦ୍ୱନ୍ଦିତା ମଧ୍ୟରେ ସାଧାରଣ ଲୋକେ ଯେଉଁ ଦୌଡ ଲଗାଇଛନ୍ତି ସେସବୁ କେବଳ ମାୟା । ଶିକ୍ଷକ କହିଲେ ସେହି ଏକ ଯାହା ସରକାରୀ ବିଦ୍ୟାଳୟରେ ଦେଖିବାକୁ ମିଳନ୍ତି ଏବଂ ଘରୋଇ ବିଦ୍ୟାଳୟରେ ରହିଛନ୍ତି । କାରଣ ଶିକ୍ଷକ ହିଁ ସର୍ବ ନିମ୍ନ ସ୍ତରର ଶିକ୍ଷାର୍ଥୀଙ୍କ ଠାରୁ ଉଦ୍ଧୃତ ଯାହା ଘରୋଇ ବିଦ୍ୟାଳୟ ପାଇଁ କେଉଁ ଚନ୍ଦ୍ର ମଣ୍ଡଳରୁ ନଆସି ବରଂ ଏହି ଆମ ସମାଜର ସେହି ସ୍ତରରୁ ଆସିଥିବା ଜଣେ ମଣିଷ ନିଶ୍ଚୟ । କେବଳ ଆମର ଦେୟ କ୍ଷମତାକୁ ନେଇ ଆତ୍ମ ସନ୍ତୋଷ କରିବା ପାଇଁ ହୁଏତ ଘରୋଇ ବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କୁ ଅନୁପ୍ରବେଶ କରାଯାଇ ପାରେ, କିନ୍ତୁ ସରକାରୀ ବିଦ୍ୟାଳୟ ଠାରୁ ତାହା ଉତ୍ତମ ହୋଇଥାଏ କେମିତି ବିଶ୍ଳେଷଣ କରି ଦେଖନ୍ତି ନାହିଁ ଅଭିଭାବକ । କେବଳ ପ୍ରହେଳିକାରେ ନିମଗ୍ନ ନିଜର ସନ୍ତାନକୁ ଘରୋଇ ବିଦ୍ୟାଳୟରେ ଅନୁପ୍ରବେଶ କଲେ ତାହାର ଭବିଷ୍ୟତଟି ଉଜ୍ଜଳ ହେବା ଲକ୍ଷ ସମସ୍ତଙ୍କ ଯାହା ଏକ ଭାବନା ମାତ୍ର । କାରଣ ଶିକ୍ଷକ ସେହି ମାନଙ୍କ ମଧ୍ୟରେ ଜଣେ, କିଏ ଘରୋଇ ବିଦ୍ୟାଳୟରେ ତ ଆଉ କିଏ ସରକାରୀ ବିଦ୍ୟାଳୟରେ ନିୟୋଜିତ ଆମ ଦେଶର ବ୍ୟବସ୍ଥା ସାଧାରଣ ଲୋକଙ୍କୁ ଗୋଚର ନାହିଁ ! ଶିକ୍ଷକତା କରୁଥିବା ମଣିଷଙ୍କୁ ସାମାଜିକ ସମ୍ମାନ ନମିଳିବାର ମୁଖ୍ୟ କାରଣ ହେଲା ଯେ ସେମାନେ ପ୍ରକୃତରେ ଶିକ୍ଷକ ପଦବାଚ୍ୟ ହୋଇ ନାହାନ୍ତି ଆଜି ସମୟରେ ! ପୂର୍ବଭଳି ଜ୍ଞାନୀ ମଣିଷଙ୍କ ଶିକ୍ଷକତା ଆଉ ଦେଖିବାକୁ ମିଳୁନାହିଁ ଆମ ଦେଶରେ ! ଶିକ୍ଷକତା କରୁଥିବା ସମସ୍ତ ମଣିଷ ନିଜକୁ ନିଜେ ପଚାରି ବୁଝାନ୍ତୁ ଯେ ସେମାନେ କେତେ ଦୂର ଉପଯୁକ୍ତ ଶିକ୍ଷକତା କରିବା ପାଇଁ ?!! କେବଳ ଶିକ୍ଷକତା କରି କିଛି ମୋଟା ଅଙ୍କରେ ରୋଜଗାର କରିବା ଉଦ୍ଦେଶ୍ୟ ରଖିବା ଛଡା କେତେଦୂର ମନ ଲଗାଇ ଶିକ୍ଷକତା କରୁଛନ୍ତି ଆମ ଦେଶ ଶିକ୍ଷକ ନିଜକୁ ନିଜେ ପଚାରି ବୁଝନ୍ତୁ ! ପୂର୍ବରୁ ଶିକ୍ଷକତା କରୁଥିବା କୌଣସି ଶିକ୍ଷକଙ୍କ ଆଦର୍ଶ ବିଷୟ ବୁଝିବାକୁ ଗଲେ ଆଜିର ଶିକ୍ଷକ ସେମାନଙ୍କ ପାଦଧୂଳି ସହିତ ସମାନ ହେବେ ନାହିଁ ଯାହା ସେମାନେ ମଧ୍ୟ ଜାଣନ୍ତି, ସାଧାରଣ ଲୋକେ ମଧ୍ୟ ବୁଝୁଛନ୍ତି । କି’ନ୍ତୁ ପରିସ୍ଥିତି, ପରିବେଶକୁ ଅନୁଧ୍ୟାନ କରି କିଛି କରିବା ସାମର୍ଥ୍ୟ ବିହୀନ ସାଧାରଣ ଲୋକଙ୍କ ସମାଜ ଯେ କେଉଁ ଦିଗଗାମୀ ସମୟ କହିବ । ଆଜିର ପରିସ୍ଥିତିରେ ଶିକ୍ଷକତା ଏକ ଅତ୍ୟନ୍ତ ଶସ୍ତା ବ୍ୟବସାୟ ଭାବେ ଗ୍ରହଣୀୟ ହୋଇ ପଡିଛି ସମସ୍ତଙ୍କ ପାଖରେ । ସମାଜରେ କୌଣସି ସ୍ଥାନ ପାଇନଥିବା ମଣିଷଟି ଶିକ୍ଷକତା କରିବା ପାଇଁ ଆଗଭର ହେଉଥିବା ବେଳେ ସେଇଥିରେ ରୋଜଗାର ଆଖିଦୁରୁଷିଆ ବୋଲି ସମସ୍ତେ ଜାଣୁଛନ୍ତି । ତେଣୁ ଶିକ୍ଷକତା କରିବା ପାଇଁ କେବଳ ଦୁର୍ବଳ ସ୍ତରର ମଣିଷଙ୍କ ଭିଡ଼ କହିଲେ ନସରେ । ରୋଜଗାର କରିବା ଏକମାତ୍ର ଲକ୍ଷ ଛଡା ଶିକ୍ଷକତା କରିବାର ଯଦି କୋଣସି ଦିଗରୁ ତିଳେହେଲେ ଆଗ୍ରହ ରହିଥା’ନ୍ତା ତା ହେଲେ ଉପସ୍ଥିତ ସମୟର ଶିକ୍ଷକ ଗଣ ହୁଏତ ଆମ ସମାଜରେ ଅଦ୍ୟାବଧି ନଥା’ନ୍ତେ । କାରଣ ଶିକ୍ଷକତା କରିବା ସଂସାରର ସବୁଠାରୁ କଷ୍ଟକର କାର୍ଯ୍ୟ ଯଦ୍ୱାରା ଜଣେ ମଣିଷ ତିଆରି ହୁଏ । ମଣିଷକୁ ମଣିଷ ଭଳି ଗଢି ତୋଳିବା କୌଣସି ମାଟି ହାଣ୍ଡି ସଦୃଶ୍ୟ ନୁହେଁ ଯେ ଯିଏ ଚାହିଁଲେ କରିଦେବ । ସେହିଭଳି ଶିକ୍ଷକତା ଏକ ବ୍ୟାପକ ଅଧ୍ୟାୟ ଯାହା କରିବା ଏତେ ସହଜ ନୁହେଁ । ତଥାପି ଶିକ୍ଷକତା କରୁଥିବା ମଣିଷଙ୍କ କୌଣସି ବିଚାର ନାହିଁ କି ସେମାନଙ୍କୁ ନିୟୋଜିତ କରିବାରେ ବ୍ୟବସ୍ଥାରେ କୌଣସି ବଧକତା ନାହିଁ ଆମ ଦେଶରେ ଯାହା ଶିକ୍ଷାର୍ଥୀଙ୍କୁ କେଉଁଦିଗଗାମୀ କରୁଛି ସମୟ କହିବ । ଶିକ୍ଷକତାକୁ ଏତେ ସହଜରେ ଗ୍ରହଣ କରାଯିବା ରାଷ୍ଟ୍ରପ୍ରତି ଅତ୍ୟନ୍ତ ବିପଦମୁଖୀ ଚେତାବନୀ । ତେଣୁ ସରକାର ଶିକ୍ଷକ ମାନଙ୍କୁ ଉପଯୁକ୍ତ ମାର୍ଗରେ ବିବେଚିତ କରି ନିଯୁକ୍ତି ନକଲେ ଯେ ରାଷ୍ଟ୍ର ଅଧୋଗତି ବ୍ୟତୀତ ଉନ୍ନତ୍ତି ଅସମ୍ଭବ ଏକଥା କାହାକୁ ଦେଖାଯାଉନାହିଁ ବର୍ତମାନ ସମୟରେ । ତେଣୁ ସାଧାରଣ ମଣିଷସମାଜ ତାହାପ୍ରତି ସଜାଗ ନହେଲେ ଆମରି ଭବିଷ୍ୟ ପିଢ଼ି ହିଁ ନିମ୍ନଗାମୀ ହେବାରେ କେହି ଉଦ୍ଧାର କରିପାରିବେ ନାହିଁ ବୋଲି ଆମ ବିଚାରରେ ଆପଣଙ୍କ ମତ କ’ଣ…..??!!
ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.