ଶିବସେନାର ଆମରଣ ଅନଶନ ଲିଖିତ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଶିବସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଆମରଣ ଅନଶନ ଗତକାଲି ସନ୍ଧ୍ୟାରେ ଲିଖିତ ପ୍ରତିଶ୍ରୁତି ଦେବାପରେ ପ୍ରତ୍ୟାହୃତ ହୋଇଛି । ଛତ୍ରପୁର ବ୍ଲକ କାଲିପଲ୍ଲୀ ପଞ୍ଚାୟତ ଅଧୀନ ବଡପୁଟି ଗାଁର ଲୋକମାନେ ଦୂଷିତ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବାରୁ ଏହାର ପ୍ରତିକାର ଦାବି ନେଇ ଅନଶନ ଜାରି ରହିଥିଲା । ଗ୍ରାମବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ସହ ଆକ୍ରାନ୍ତ ଲୋକମାନଙ୍କର ଚିକିତ୍ସା କରାଯିବା ଦାବି ନେଇ ପୂର୍ବରୁ ଶିବସେନା ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହା ସତ୍ୱେ ଜିଲ୍ଲା ପ୍ରଶାସନ ଏହା ଉପରେ କୌଣସି ପଦକ୍ଷେପ ନ ନେବାରୁ ଆମରଣ ଅନଶନ ଆରମ୍ଭ କରାଯାଇଥିବା ଶିବସେନା ବ୍ଲକ ପ୍ରମୁଖ ରାଜେଶ ମହାରଣା କହିଛନ୍ତି । ସନ୍ଧ୍ୟାରେ ଅନଶନରତ ରାଜେଶଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିବାରୁ ଡାକ୍ତର ଦଳ ସେଠାରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହା ସହିତ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଏବଂ ପାନୀୟ ଜଳ ବିଭଗର ଅଧିକାରୀମାନେ ଅନଶନ ସ୍ଥଳରେ ପହଞ୍ଚି ଅନଶନକାରୀଙ୍କୁ ଗ୍ରାମରେ ପାଣି ଟାଙ୍କି ସ୍ଥାପନ କରାଯିବ, ଗ୍ରାମକୁ ପ୍ରତିଦିନ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବା ସହ ଗ୍ରାମକୁ ଏକ ମେଡିକାଲ ଟିମ ଯାଇ ଲୋକଙ୍କ ଚିକିତ୍ସା କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଅନଶନରୁ ଓହରି ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା