ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଲାଠି ଗ୍ରାମରେ ଦେଶୀ ମଦ ଦୋକାନ ବନ୍ଦ କରିବା ଦାବି ନେଇ ଶିବସେନା ମହିଳା ସେନା ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଜରିଆରେ ଗଞ୍ଜାମ ଜିଲ୍ଲାପାଳ, ଅବକାରୀ ବିଭାଗ ଓ କୁକୁଡ଼ାଖଣ୍ଡି ତହସିଲଦାରଙ୍କ ଉଦ୍ଦ୍ୟେଶରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଲାଠି ଗ୍ରାମରେ ସରକାରୀ ସ୍ୱୀକୃତିପ୍ରାପ୍ତ ଦେଶୀମଦ ଦୋକାନ ରହିଥିବା ବେଳେ ଏହା ଦ୍ୱାରା ଗ୍ରାମର ଲୋକେ ମଦ୍ୟପାନ କରି ସର୍ବସ୍ୱାନ୍ତ ହେବା ସହ ନିଶାଶକ୍ତ ଅବସ୍ଥାରେ ମହିଳାମାନଙ୍କୁ ମାଡ଼ ମାରୁଥିବା ସହ ଅତ୍ୟାଚାର ଘଟଣା ବୃଦ୍ଧି ପାଉଛି, ଗଣ୍ଡଗୋଳ ବୃଦ୍ଧି ପାଇବା ସହ ଯୁବକମାନେ ନିଶାଶକ୍ତ ଅବସ୍ଥାରେ ଆଇନ ହାତକୁ ନେଉଥିବା ବେଳେ ବହୁ ଲୋକ ମୃତ୍ୟୁର ଶିକାର ହୋଇଥିବା ମହିଳା ସେନା ପକ୍ଷରୁ ଅଭିଯୋଗ ହୋଇଛି । ତେଣୁ ଗ୍ରାମରେ ସାହି ନିକଟରେ ଥିବା ଦେଶୀ ମଦ ଦୋକାନକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବୀ କରିଛନ୍ତି । ଯଦି ଦାବି ପୂରଣ ନ କରାଯାଏ ତେବେ ୭ ଦିନ ପରେ ମହିଳା ସେନା ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ମହିଳା ସେନା ପ୍ରମୁଖ ସୌଦାମିନୀ ନନ୍ଦ, ଉପପ୍ରମୁଖ ମିନତୀ ପାତ୍ର, ଉପପ୍ରମୁଖ ମାମାଲି ମହାରଣା, ମହାନଗର ପ୍ରମୁଖ ରିଙ୍କି ଚୌଧୁରୀ, କୁକୁଡ଼ାଖଣ୍ଡି ବ୍ଲକ୍ ପ୍ରମୁଖ ସବିତା ଦାସ, ସୁମିତ୍ରା ବେହେରା, ପୂଜା ସଭାସୁନ୍ଦର, ରାଜ୍ୟ ଉପପ୍ରମୁଖ ବଳରାମ ବାବା, ସିମାଂଚଳ ପାଢ଼ୀ ପ୍ରମୁଖ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା