ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବୁଧବାର ଦିନ ଗଞ୍ଜାମ, ଗଜପତି, ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାର ଶିଳ୍ପାଞ୍ଚଳ ଅଭିବୃଦ୍ଧି ସକାଶେ ଶିଳ୍ପର ଯତ୍ନ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମାଞ୍ଚଳ ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଯୋଗଦାନ କରି ଜଣାଇଥିଲେ ଯେ, ଓଡ଼ିଶାରେ ଶିଳ୍ପର ଅଭିବୃଦ୍ଧି ଦିଗରେ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀଙ୍କର ପ୍ରୟାସ ଜାରି ରହିଛି । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠାର ଆବଶ୍ୟକତା ରହିଛି, ଯାହାରି ଫଳରେ ଶିଳ୍ପାଞ୍ଚଳ ଗୁଡିକର ବିକାଶ ସହିତ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହେବା ସହିତ ଜିଡିପି ବୃଦ୍ଧି ହେବ ଏବଂ କର୍ମ ନିଯୁକ୍ତିର ବାଟ ସୁଗମ ହୋଇପାରିବ । ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ କରାଯାଉଥିବା ଶିଳ୍ପ ଯୋଜନାରେ ପୁଞ୍ଜି ନିବେଶକାରୀ ଏବଂ ସରକାରୀ କଳର ସହଭାଗିତା ଦିଗରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ଶିଳ୍ପର ଯତ୍ନ କାର୍ଯ୍ୟକ୍ରମ ଜରିଆରେ ସମାଧାନ ହୋଇ ପାରିବ । ଏଥିପୂର୍ବରୁ ଓଡ଼ିଶାର ଅନେକ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଦିଗରେ ଦେଖାଯାଇଥିବା ପ୍ରତିବନ୍ଧକ ଗୁଡିକ ତିନିଗୋଟି ଶିଳ୍ପର ଯତ୍ନ କାର୍ଯ୍ୟକ୍ରମରେ ସମାଧାନ ହୋଇପାରିଛି । ବର୍ତ୍ତମାନ ଗଞ୍ଜାମରେ ଅନୁଷ୍ଠିତ ଏହା ଚତୁର୍ଥ କାର୍ଯ୍ୟକ୍ରମ । ଅଞ୍ଚଳ ଗସ୍ତ କରି ସେହିଠାରେ ଗଢି ଉଠୁଥିବା ଶିଳ୍ପ ଏବଂ ଗଢିବାକୁ ଥିବା ଶିଳ୍ପର ସମସ୍ୟାମାନ ଏହି ବୈଠକରେ ଆଲୋଚନା କରାଯାଇ ଏହାର ସମାଧାନର ବାଟ ବାହାରି ପାରିଛି । ଗୋଟିଏ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେହି କାର୍ଯ୍ୟକ୍ରମ ଶେଷ କରିବାକୁ ଏବଂ ଏହାର ଉତ୍ତରଦାୟିତ୍ୱ ଦିଆଯାଇଛି । (ଫାଇଭ) 5ଟି ଆଧାରରେ ସମସ୍ୟାର ସମାଧାନ ହୋଇ ବୃହତ୍ତର ଶିଳ୍ପ ପ୍ରତିଷ୍ଠା ହୋଇପାରିବ । ଓଡ଼ିଶାରେ ଅନେକ କଞ୍ଚାମାଲ ଉପଲବ୍ଧ ରହିଛି, ସେହିଭଳି ଓଡ଼ିଶାର ପ୍ରଚ୍ଛନ୍ନ ପ୍ରାକୃତିକ ବିଭବ ମାନ ରହିଛି । ଭିତ୍ତିଭୂମିର ବିକାଶ ସହିତ ଅଣ କୁଶଳୀଙ୍କୁ କୁଶଳୀରେ ପରିବର୍ତ୍ତନ କରାଯାଇ ପାରିବ, ଶିଳ୍ପସଂସ୍ଥା ସ୍ଥାପନ, ପର୍ଯ୍ୟଟନର ବିକାଶ ହୋଇପାରିଲେ ଓଡ଼ିଶାର ଆର୍ଥିକ ମାନଦଣ୍ଡ ସୁଦୃଢ ହେବା ସାଥେସାଥେ ଓଡିଶା ଭାରତ ବର୍ଷରେ ପରିଚିତ ଲାଭ କରିବ । ଆସନ୍ତାକାଲି ଆଗତ ବୈଠକରେ ଅନୁ କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଦେଖା ଯାଇଥିବା ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରାଯିବ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଶିଳ୍ପ ନିମନ୍ତେ ସମ୍ପୃକ୍ତ ଜିଲ୍ଲାପାଳ ଗଣ ଏଣିକି ଜିଲ୍ଲା ଉନ୍ନୟନର ପୁରୋଧା ସାଜିବେ । ଆଜିର ବୈଠକରେ ବୃହତ ଶିଳ୍ପର ପ୍ରତିନିଧିଗଣ ଉପସ୍ଥିତ ରହି ସେମାନଙ୍କର ସମସ୍ୟା ସମ୍ପର୍କରେ ବୈଠକ ଉପସ୍ଥାପନା କରିଥିଲେ । ବିଶେଷକରି ଜିଲ୍ଲା ପ୍ରଶାସନ, ଇଡ଼କୋ, ଶକ୍ତି ବିଭାଗ, ଜମିଜମା ସମ୍ପର୍କିତ, ପରିବେଶ ମଞ୍ଜୁରୀ, ରାସ୍ତାଘାଟର ଉନ୍ନତି ଇତ୍ୟାଦି ସମ୍ପର୍କିତ ସମସ୍ୟା ଉପସ୍ଥାପନ କରିଥିଲେ ଏବଂ ଏହାର ଆଶୁ ସମାଧାନ ଦିଗରେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ପ୍ରଧାନ କରାଯାଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେହିସବୁ ସମସ୍ୟାର ସମାଧାନ କରିବାକୁ କୁହାଯାଇଥିଲା । ଶିଳ୍ପ ବିଭାଗୀୟ ପ୍ରମୁଖ ଶାସନ ସଚ୍ଚିବ ହେମନ୍ତ ଶର୍ମା ସମସ୍ତ ଶିଳ୍ପର ପ୍ରତିନିଧି ମାନଙ୍କ ସହିତ ସବିଶେଷ ଆଲୋଚନା କରି ଏହାର ସମାଧାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଇପିକଲର ପରିଚାଳନା ନିର୍ଦ୍ଧେଶକ ବି.ଏସ .ପୁନିଆ ଆଗାମୀ ଦିନରେ ରାଜ୍ୟର ୩୦ ଗୋଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଜିଲ୍ଲା ପୁଞ୍ଜିବିନିଯୋଗ ଉନ୍ନୟନ ଏଜେନ୍ସି (ଡିଆଇପିଏ) କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଅଣୁକ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତ ରହି ଏମଏସଏମଇ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ପାଠ ପରିସ୍କାର କରିଥିଲେ । ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ୱାଗତ ଭାଷଣ ଉପସ୍ଥାପନ କରିବା ସହ ଗଞ୍ଜାମ ଜିଲ୍ଲାର ଶିଳ୍ପ ପ୍ରତିଷ୍ଠାନ ଗୁଡିକର ସମସ୍ୟା ସମାଧାନ ଦିଗରେ ସବିଶେଷ ଆଲୋଚନା କରିଥିଲେ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉପସ୍ଥିତ ରହି ଗଜପତି ଜିଲ୍ଲାର ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଦେଖାଯାଇଥିବା ସମସ୍ୟା ଗୁଡିକ ସମାଧାନ ଦିଗରେ ଆଲୋକପାତ କରିଥିଲେ । ଟାଟା ଏସଇଜେଡର ସମସ୍ତ ଶିଳ୍ପ, ଜଗନ୍ନାଥ ପ୍ରସାଦ ବ୍ଲକରେ ୧୭୫.୪୦୩ ଏକର ପରିମିତ ଜମିରେ ହେବାକୁ ଥିବା ଏନଏଚପିସିର ସୋଲାର ପାୱାର ପ୍ଲାଣ୍ଟ, କୋଷ୍ଟାଲ ବାୟୋଟେକ ପ୍ରାଇଭେଟ ଲିମିଟେଡ଼, ଗ୍ରାସୀମ ଇଣ୍ଡଷ୍ଟ୍ରି ଲିମିଟେଡ଼, ସ୍ୱସ୍ତି ଭେକେସନ୍ସର କ୍ଳବ ପ୍ରାଇଭେଟ ଲିମିଟେଡ଼, ଆଇଆରଇ ଲିମିଟେଡ଼, ସ୍ମାର୍ଟକେମ ଟେକ୍ନୋଲୋଜି ଲିମିଟେଡ଼, ଟାଟା କଂଜୁମର ପ୍ରଡକ୍ଟସ ଲିମିଟେଡ଼, ଚିଲିକା ଡିଷ୍ଟଲିରିଜ ପ୍ରାଇଭେଟ ଲିମିଟେଡ଼, ଟାଟା ଫେରୋକ୍ରୋମ, ଶ୍ରୀନିବାସଲୁ ରିଅଲ ଇଷ୍ଟେଟ କନଷ୍ଟ୍ରକସନ ଲିମିଟେଡ଼, ଜେମିନି ଇଡେବିଲ ଆଣ୍ଡ ଫ୍ୟାନ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼, ଆଇ. ଓ.ସି.ଏଲ ଏବଂ ଗେଲ ଶିଳ୍ପ ସଂସ୍ଥାର ସମସ୍ୟାମାନ ଉପସ୍ଥାପନ କରାଯାଇଥିଲା । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରୟ ଭାଉ ସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ କୀର୍ତ୍ତି ୱାସନ ପ୍ରମୁଖ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା