ଶିଳାନ୍ୟାସକୁ ବର୍ଷେ ପୂର୍ତ୍ତି ହେବ ନିର୍ମାଣ ହୋଇନାହିଁ ବିଶ୍ରାମଗାର:ଖରାରେ ସଢୁଛନ୍ତି ଯାତ୍ରୀ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ପୁଞ୍ଜିକୟାଁ ଛକ ଠାରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ ପାଇଁ କରାଯାଇଥିବା ଶିଳାନ୍ୟାସକୁ ଆଉ ମାତ୍ର ୧୮ ଦିନ ପରେ ଏକ ବର୍ଷ ପୂର୍ତ୍ତି ହେବ । ସେପଟେ ଏହାର ନିର୍ମାଣ କାର୍ଯ୍ୟ ପାଇଁ ଇଟା ଖଣ୍ଟିଏ ମଧ୍ୟ ନପଡିବା ଏବେ ପରିତାପର ବିଷୟ ସୃଷ୍ଟି କରିଛି । ସେପଟେ ଯାତ୍ରୀ ବିଶ୍ରାମଗାରଟିଏ ନଥିବାରୁ ଖରାରେ ଯାତ୍ରୀ ମାନେ ସଢୁଥିବା ବେଳେ ଏଣେତେଣେ ଆଶ୍ରୟ ଖୋଜି ରହୁଥିବା ଦେଖିବାକୁ ମିଳିଛି । ଜନଅସନ୍ତୋଷ ବୃଦ୍ଧି ପାଉଥିଲେ ହେଁ କୌଣସି ପ୍ରକାର ଫଳପ୍ରଦ ପଡୁନଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ, ବିଶ୍ୱବ୍ୟାଙ୍କ ରାସ୍ତା ନିର୍ମାଣ ପ୍ରକଳ୍ପରେ ପୁଞ୍ଜିକୟାଁ ଛକର ଚିକିଟି ରାସ୍ତାରେ ଏକ ଯାତ୍ରୀ ବିଶ୍ରାମଗାର ରହିଥିଲା । ପରେ ପୁଞ୍ଜିକୟାଁ ଚାରିଛକଟି ସମ୍ପ୍ରସାରଣ ହେବା ଯୋଗୁଁ ୪ ବର୍ଷ ପୂର୍ବେ ଉକ୍ତ ବିଶ୍ରାମଗାରଟିକୁ ଭାଙ୍ଗିଦିଆଯାଇଥିଲା । ବିଶ୍ରାମଗାରଟିକୁ ଭାଙ୍ଗିଦେବା ପରେ ଆଉ ଏକ ସ୍ଥାନ ଚିହ୍ନଟ କରାଯାଇ ସେଠାରେ ନୂତନ ଏକ ବିଶ୍ରାମଗାର ନିର୍ମାଣ କରିବା ପାଇଁ ନିର୍ଦ୍ଦେଶନାମା ରହିଥିଲା । ପରବର୍ତ୍ତୀ ସମୟରେ ପୂର୍ତ୍ତ ବିଭାଗ ପକ୍ଷରୁ ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ପ୍ରସ୍ତାବ ଗୃହିତ ହେବା ପରେ ଗତ ୨୦୧୮ ମସିହା ଜୁନ୍ ୧୮ ତାରିଖରେ ତକ୍ରାଳୀନ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏବଂ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ କରକମଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇ ଶୁଭ ଦିଆଯାଇଥିଲା । ହେଲେ ଏହାକୁ ଏବେ ବର୍ଷେ ପୂର୍ତ୍ତି ହେଉଥିବା ବେଳେ ବିଶ୍ରାମଗାର ନିର୍ମାଣ ପାଇଁ ଇଟା ଖଣ୍ଡିଏ ମଧ୍ୟ ପଡିନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି ବୋଲି ଆଇନଜିବୀ ଲକ୍ଷ୍ମୀନାରାୟଣ ପାଢୀ, ବିଜେପି ଜିଲା ଉପସଭାପତି ଶୁଭେନ୍ଦୁ ପାଢୀ, ଗଦାଧର ସ୍ୱାଇଁ ପ୍ରମୁଖ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଶିଳାନ୍ୟାସ ଦିଆଯାଇଥିବା ସ୍ଥାନଟି ସମ୍ପ୍ରତ୍ତି ବ୍ୟବସାୟୀ ମାନଙ୍କ କବ୍ଚାରେ ରହିଛି । ଦିନକୁ ଦିନ ଉକ୍ତ ସ୍ଥାନରେ ପଥ ବିକ୍ରେତା ଓ ଉଠାଦୋକାନୀ ମାନଙ୍କ କବ୍ଚାରେ ରହିଯାଉଥିବା ବେଳେ ଏନଏସି କର୍ତ୍ତୃପକ୍ଷ ସେମାନଙ୍କ ଠାରୁ ନିୟମିତ କର ଆଦାୟ କରୁଥିବା ଜାଣିବାକୁ ମିଳିଛି । ଯାତ୍ରୀ ବିଶ୍ରାମଗାର ନିର୍ମାଣରେ ବିଳମ୍ବ ହେଲେ ହୁଏତ ପୂର୍ତ୍ତ ବିଭାଗ ପୁନଶ୍ଚ ଏକ ସରକାରୀ ଜାଗା ଚିହ୍ନଟ କରି ସେଠାରେ ବିଶ୍ରାମଗାର ନିର୍ମାଣ ପ୍ରକ୍ରିୟା କରିବା ବେଳକୁ ସମୟ ସାପେକ୍ଷ ହେବାର ଆଶଙ୍କା ଦେଖାଦେଇଛି । ସେହିପରି ୨୦୧୮ ମସିହାରେ ଏଷ୍ଟିମେଟ୍ ମେରମେଣ୍ଟ ଅନୁସାରେ ସମ୍ପ୍ରତ୍ତି ସମସ୍ତ ଦ୍ରବ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ପାଇଥିବା ବେଳେ ଉକ୍ତ ଏଷ୍ଟିମେଟ୍ ପ୍ରକାରେ କିଭଳି ନିର୍ମାଣ କାର୍ଯ୍ୟ ହେବ ସେଥିନେଇ ମଧ୍ୟ ନାନା ପ୍ରଶ୍ନ ସୃଷ୍ଟି ହେଉଛି । ଏନେଇ ପୂର୍ତ୍ତବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ବାବୁଲିଚାନ୍ଦ ଗୌଡଙ୍କୁ ପଚରାଯିବାରେ କହିଛନ୍ତି ଯେ, ଆଦର୍ଶ ନିର୍ବାଚନ ଆଚରଣ ବିଧି ନିର୍ମାଣ କାର୍ଯ୍ୟ ହୋଇପାରିନଥିଲା, ଖୁବ୍ ଶୀଘ୍ର ବିଶ୍ରାମଗାର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା