ଶିଶୁଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଅପରିହାର୍ଯ୍ୟ: ଜାତୀୟ କର୍ମଶାଳାରେ ମତପ୍ରକାଶ

ଭୁବନେଶ୍ୱର (ସମୃଦ୍ଧ ଓଡିଶା)ଉତ୍ତମ ନାଗରିକ ହେବାକୁ ଶିଶୁଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଦରକାର । ସବୁ ଅଞ୍ଚଳରେ ସମାନ ପ୍ରକାର ଶିକ୍ଷାଦାନ ବ୍ୟବସ୍ଥା ପ୍ରଚଳନ ଦ୍ୱାରା ଶିକ୍ଷା ଅଧିକାର ଆଇନକୁ ମଜଭୁତ କରାଯାଇପାରିବ । ଶିଶୁଙ୍କ ଭବିଷ୍ୟତ ପାଇଁ ନିରାପଦ ପରିବେଶ ଓ ଗୁଣାତ୍ମକ ଶିକ୍ଷା ଅପରିହାର୍ଯ୍ୟ ବାଲି ଏଠାରେ ଅନୁଷ୍ଠିତ ଏକ ଜାତୀୟ କର୍ମଶାଳାରେ ମତପ୍ରକାଶ ପାଇଛି ।ଶିଶୁ ବିରୋଧୀ ହିଂସା ବିଲୋପ ପାଇଁ ନ୍ୟାସନାଲ ଆକ୍ସନ ଓ କୋଅର୍ଡ଼ିନେସନ ଗ୍ରୁପ (ଏନଏସିଜି-ଇଭିଏସି) ସହଯୋଗରେ ଏବଂ ପିପୁଲ୍ସ କଲଚରାଲ ସେଣ୍ଟର(ପିକକ୍‍), ଓଡ଼ିଶା ଶାଖା ଏନଏସିଜି-ଇଭିଏସି, ଓଡ଼ିଶା ଆଲିଆନ୍ସ ଫର ଚାଇଲ୍ଡ ରାଇଟ୍ସର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କର୍ମଶାଳାକୁ ଉଦ୍‍ଘାଟନ କରି ‘ସାଇଭାକ’ର ଡାଇରେକ୍ଟର ଜେନେରାଲ ଡ.ରିନ୍‍ଚେନ ଚୋପେଲ କହିଥିଲେ ଯେ ଭଲ ନାଗରିକ ହେବାକୁ ହେଲେ ଉତ୍ତମ ଶିକ୍ଷାର ଆବଶ୍ୟକତା ରହିଛି ।ବିଦ୍ୟାଳୟରେ ଶିକ୍ଷକ, ଘରେ ପିତାମାତାଙ୍କ ପ୍ରତି ପିଲାଙ୍କ ଭିତରେ ଭୟ ରହୁଛି । ଏହା ଦୂର କରିବାକୁ ହେଲେ ସେମାନଙ୍କୁ ନିରାପଦ ପରିବେଶ ଯୋଗାଇଦେବାର ଆବଶ୍ୟକତା ରହିଛି । ଶିକ୍ଷା ଅଧିକାର ଆଇନକୁ ସୁନିଶ୍ଚିତ ଓ ମଜଭୁତ କରିବାକୁ ହେଲେ ସବୁ ଅଞ୍ଚଳରେ ଏକପ୍ରକାର ଓ ସାର୍ବଜନୀନ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରାଯିବା ଉଚିତ । ଗୁଣାତ୍ମକ ଶିକ୍ଷା ପାଇଁ ମିଳିତ ସଂଗ୍ରାମର ଆବଶ୍ୟକତା ରହିଛି ।ଏନଏସିଜି-ଇଭିଏସର ଅଧ୍ୟକ୍ଷ ଡ.ଚିରଞ୍ଜୀବ କାକୋଟି କହିଥିଲେ ଯେ ଶିକ୍ଷକ ଓ ପିଲାମାନଙ୍କ ସମସ୍ୟା ଦୂର କରିବାରେ ବିଦ୍ୟାଳୟ ପରିଚଳନା କମିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ହେଲେ ଗୁଣାତ୍ମକ ଶିକ୍ଷକ ନିଯୁକ୍ତି କରାଯିବାର ଆବଶ୍ୟକତା ରହିଛି । ବିଦ୍ୟାଳୟରେ ଶିଶୁଙ୍କ ପାଇଁ ନିରାପଦ ଓ ଅନୁକୂଳ ପରିବେଶ ସୃଷ୍ଟି କରିବା କ୍ଷେତ୍ରରେ ବିଦ୍ୟାଳୟ ପରିଚାଳନା କମିଟି ସହିତ ଅଭିଭାବକଙ୍କର ବି ଗୁରୁଦାୟିତ୍ୱ ରହିଛି ।ସଙ୍ଗଠନର ଉପାଧ୍ୟକ୍ଷ ମିଖାଏଲ ପ୍ରଧାନ କହିଥିଲେ ଯେ ବିଦ୍ୟାଳୟଗୁଡ଼ିକରେ ଶିକ୍ଷା ଅଧିକାର ଆଇନରେ ଥିବା ନିରାପତ୍ତା ସର୍ତ୍ତାବଳି ଠିକଣା ଭାବେ କାର୍ଯ୍ୟକାରୀ ହେଉନାହିଁ । ବିଦ୍ୟାଳୟରେ ପିଲାଙ୍କ ଭିତରୁ ପ୍ରାୟ ଅର୍ଦ୍ଧାଧିକ ନିଜ ଉପରେ ହେଉଥିବା ନିର୍ଯାତନା ବିଷୟରେ କହିପାରୁଛନ୍ତି ଓ ଏହାଠୁ ଅଧିକ ନିଜ ଲୋକଙ୍କ ଦ୍ୱାରା ଅସୁବିଧାରେ ପଡ଼ୁଛନ୍ତି । ପିଲାଙ୍କ ନିରାପତ୍ତା ଆମ ସମସ୍ତଙ୍କର ଦାୟିତ୍ୱ ।କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖି ପିକକର ସମ୍ପାଦକ, ଓଏସିଆର ଅଧ୍ୟକ୍ଷ ଏବଂ ଏନଏସିଜି-ଇଭିଏସି ଓଡ଼ିଶା ଆବାହକ ରଞ୍ଜନ କୁମାର ମହାନ୍ତି କହିଥିଲେ ଯେ ଶିଶୁ ଅଧିକାର ସୁନିଶ୍ଚିତ କରିବା, ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହିତ ପରିବାର, ଗୋଷ୍ଠୀ ବା ବିଦ୍ୟାଳୟରେ ସେମାନଙ୍କ ନିରାପତ୍ତା ପ୍ରତି ଦୃଷ୍ଟି ଦେବା ଆମ ସମସ୍ତଙ୍କର ଦାୟିତ୍ୱ ।କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପିକକର ନିର୍ଦେଶକ ଏବଂ ସୋଆ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଲ’ର ଡିନ୍‍ ପ୍ରଫେସର ପ୍ରବୀର ପଟ୍ଟନାୟକ କହିଥିଲେ ଯେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ହେଲେ ପ୍ରଥମେ ଗୁଣାତ୍ମକ ଶିକ୍ଷକ ନିଯୁକ୍ତି କରିବାକୁ ହେବ । ଗଛ ତଳେ, ବାରଣ୍ଡାରେ ଖୋଲାପଡ଼ିଆରେ ପଢ଼ୁଥିବା ପିଲା ବିଷୟରେ ଆମେ କେହି ଚିନ୍ତା କରୁନେ । ପିଲାଙ୍କ ନିରାପତ୍ତା ପାଇଁ ଅଭିଭାବକ, ନାଗରିକ ସମାଜ, ପଞ୍ଚାୟତ ଓ ପୁଲିସ ମିଳିତ ଭାବେ ସହଯୋଗ କରିବା ଦରକାର ।ଏହି ଅବସରରେ ମୋ ସ୍କୁଲ ଅଭିଯାନର ଓଏସଡ଼ି ରଶ୍ମିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଆଲୋଚନାଚକ୍ରରେ ପୂର୍ବତନ ଭିନ୍ନକ୍ଷମ କମିଶନର କସ୍ତୁରୀ ମହାପାତ୍ର, ଶିକ୍ଷା ଆନ୍ଦୋଳନର ଜାତୀୟ ଆବାହକ ଅମିୟକୁମାର ମହାନ୍ତି, ସିଏସିଏଲର ଜାତୀୟ ଆବାହକ ପି.ଯୋଶେଫ ଭିକ୍ଟର ରାଜ, ଏନଏସିଜି-ଇଭାଗର ସଦସ୍ୟ ସଞ୍ଜୟ ଗୁପ୍ତା ପ୍ରମୁଖ ଯୋଗଦେଇଥିଲେ ।ସାଧାରଣ ବିଦ୍ୟାଳୟରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିୟମାବଳି ଅନୁସାରେ ର୍ୟାମ୍ପ, ଶୌଚାଳୟ ଓ ଆନୁଷଙ୍ଗିକ ଭିତ୍ତିଭୂମି ନଥିବାରୁ ପିଲାମାନଙ୍କ ଡ୍ରପ ଆଉଟ ହାର ବଢ଼ୁଛି ଓ ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି । ଏ ଦିଗରେ ପ୍ରତି ସରକାର ଓ ନାଗରିକ ସମାଜ ସଜାଗ ରହିବାର ଆବଶ୍ୟକତା ରହିଛି ବୋଲି ସେମାନେ ମତ ରଖିଥିଲେ । ଗୁଣାତ୍ମକ ଶିକ୍ଷା ଦାନ ନିମନ୍ତେ ଦକ୍ଷ ଶିକ୍ଷକ ନିଯୁକ୍ତି ନିମନ୍ତେ ବଜେଟରେ ଅଧିକ ଅର୍ଥ ବରାଦର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏନଏସିଜି-ଇଭାକ ଓଡ଼ିଶା ପକ୍ଷରୁ ଉଭୟ ଅଧିବେଶନରେ ପୃଥକ ଭାବେ ପ୍ରକାଶ ରଥ ଓ କ୍ଷମାକର ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।
ରିପୋର୍ଟ: ଆକାଶ ମିଶ୍ର