ଶୀତ ଆସିଲା

ଆମ ଗାଁ କୁ ଲୁଚି ଲୁଚିକି ଶୀତ ଆସିଲା ଭାଇ                 କେହି ନ ଦେଖୁଣୁ ନିଧି ଅଜା ଟା ଦେଇଛି ଦେଖି ଦେଇ,
ଶୀତ ସକାଳ ଶାନ୍ତ ଶୀତଳ                                      ଶୀତ ପ୍ରଭାବେ ଗାଁ ଚଞ୍ଚଳ
ଦିନକୁ ଦିନ ଦିନ କମୁଛି                                          ରାତି ବଢୁଛି ବୁଢ଼ୀ ଆଈ ଟା ପାରୁନି ସହି
ଖୋଜୁଛି ମୋର କମ୍ବଳ କାହିଁ                                    ଖୋଜ ବେଗି ଆଲୋ ନାତୁଣୀ
ଧାଡ଼ିକି ଧାଡି ଥୁନଟା ବୁରୁକ୍ଷ                                     କାହାରି ଦେହେ ନାହିଁ ପତର
ହେଲେ କି ହେଲା                                                ଅଭାବ ନାହିଁ ସବୁଜ ପନିପରିବା
ଧରଣୀ ଦିଶେ ପାଣ୍ଡୁର ବର୍ଣ୍ଣ                                     ଶିଶିର ସ୍ନାତ ପ୍ରାତଃ ସକାଳ
ସବୁଠୁ ମନୋରମ                                               ଶୀତରେ ସିନା ମଧୁ ଭାଇନା
ଥରି ଥରିକି କମ୍ବଳ ଖୋଜେ                                   କାଠି କୁଟାକୁ ସାଇତି ରଖେ ରାତିକା ପାଇଁ
ମନ ହରଷେ ସଦା କାକା                                      ବିଲକୁ ଯାଏ ପାଚିଲା ଧାନ
ପକାଏ କାଟି                                                     ବାଧେନା ଖରା
ଖଳା ରେ ରଖେ ପାଚିଲା ଧାନ                                ଖୁଡି ଖୁସିରେ ଅମାରେ ଦିଏ ସାଇତି
ଖୋଲା ଆକାଶ ଗହୀର ବିଲ                                ସବୁଠୁ ମୋତେ ଲାଗଇ ଭଲ
ଶୀତ ରଜନୀ ଶୀତଳତର                                     ପାଖରେ ଥିଲେ କମ୍ବଳ ଶେଯ
                             ଶୀତ ଟା ଲାଗେ ଭାରି ମଉଜ।       

ଲେଖକ : ତପସ୍ୱିନୀ ଦାଶ,ବାରିପଦା,ମୟୁରଭଞ୍ଜ

ତାକୁ କେହି ଉଠାଅନା ଭାଇ

ଅନେକ ଦିନର ଯନ୍ତ୍ରଣା ବିଦଗ୍ଧ ଶରୀର ଟା ନେଇ
କେମିତି ଯେ ଲୋକଟା ଟିକେ ପାରିନାହିଁ ଶୋଇ
ତମେ କି ଜାଣିବ
ଶାନ୍ତିର ମନ୍ତ୍ର ଗାଇ ଲୋକଟା ଯାଇଛି ଶୋଇ
ଘଣ୍ଟ ଘଣ୍ଟା ହରିବୋଲ ସଂକୀର୍ତ୍ତନ କରି
ରାମନାମ ସତ୍ୟ ହେ
ହରିନାମ ସତ୍ୟ ହେ ର ଦ୍ୱାହି ଦେଇ
ତାକୁ କେହି ଉଠାଅନା ଭାଇ
ଶାନ୍ତିରେ ତାକୁ ଟିକେ ଶୋଇବାକୁ ଦିଅ,
ତମେ କୁହ ସେ କୁଆଡେ ଚାଲି ଗଲେ
ଆମକୁ ଏକା କରି ଆରପାରି
କେମିତିକା କଥା ଇଏ ମୁଁ ବୁଝି ପାରୁ ନାହିଁ,
ଉତ୍କଳ ସାହିତ୍ୟ ଆକାଶେ ଯିଏ ଥିଲେ ଦିନେ ଧ୍ରୁବତାରା
ତାର କିବା ଅସ୍ତ ଅଛି,
ଭାଷା ସଂସ୍କୃତି ଗବେଷକ
ମା ମାଟି ଥିଲା ପ୍ରାଣ
ପର ଦୁଃଖେ କାନ୍ଦୁଥିଲା
ସଦା ଯାର ଶାନ୍ତପ୍ରାଣ
ତାଙ୍କରି କୃତି କୁ ନେଇ ଆମେ ବାଟ ଚାଲୁ
ମଥା ଉଚ୍ଚା କରି
କେମିତି ଶାନ୍ତିରେ ପାରିବେ
ଆମ ହାତ ଅଦିନେ ଛାଡି
ମୃତ୍ୟୁ ର ଶୀତଳ ଛାଇ
କେମିତି ପାରିବ ନେଇ
ଆମ ପାଖରୁ ଆମ ପ୍ରଶାନ୍ତ ଭାଇ
ମିଛସତ ଖରାଛାଇ
ଆମରି ହୃଦୟେ ଜୀଇଁ
ନେବେ ଆମକୁ ବାଟ କଢାଇ
ଏତିକି ବିଶ୍ବାସ ନେଇ
ତାଙ୍କୁ ତ ଟିକେ ଶୋଇବାକୁ ଦିଅ
ଖୋଜିବ ଯାଅ ଜଗନ୍ନାଥ ପାଦପଦ୍ମରେ
ଝଟକୁ ଥିବେ ନିଶ୍ଚେ ମୁକ୍ତା ବିନ୍ଦୁଟିଏ ହୋଇ
ଶାନ୍ତିରେ ଶାନ୍ତପ୍ରାଣ ଟା ଶୋଇଛି ଯଦି ଟିକେ
ତାଙ୍କୁ କେହି ଉଠାଅନା ଭାଇ।

ଲେଖକ : ତପସ୍ୱିନୀ ଦାଶ,ବାରିପଦା

କାମନା

ଜଣେ ସାଧୁ ଙ୍କର ଦୁଇ ଶିଷ୍ୟ ଥିଲେ । ସୁଧୀର ଓ ଅଧିର ।ସେମାନଙ୍କ ଶିକ୍ଷା ସମାପ୍ତି ପରେ ଗୁରୁ ଙ୍କ ଠାରୁ ବିଦାୟ ନେଇ ଘରକୁ ଫେରୁ ଥାଆନ୍ତି ।ବାଟରେ ନଈ ଟିଏ ପଡିଲା। ଦୁହେଁ ନଈ ପାରି ହେବାକୁ ଉଦ୍ୟତ ହେଉ ଥାଆନ୍ତି। ଦୂରରୁ ଦେଖିଲେ ଜଣେ ସ୍ତ୍ରୀ ଲୋକ ଅସହାୟ ଭାବେ ଚିତ୍କାର କରି ସାହାଯ୍ୟ ପାଇଁ ହାତ ବଢ଼ାଉ ଥାଆନ୍ତି।ବିକଳ ସ୍ୱର ରେ ଉଦ୍ଧାର କରିବାକୁ କହୁଥାନ୍ତି।ପ୍ରଥମ ଶିଷ୍ୟ ସୁଧୀର କହିଲା ଭାଇ ମହିଳା ଜଣକ ବୁଡି ଯାଉଛି।ଗୁରୁ କହିଥିଲେ ଯିଏ ବିପଦରେ ସାହାଯ୍ୟ ମାଗୁଥିବି ତାକୁ ଅଣହେଳା କରିବ ନାହିଁ । ଦ୍ଵିତୀୟ ଶିଷ୍ୟ ଅଧିର କହିଲା ନାଇ ନାଇଁ ଗୁରୁ କହିଥିଲେ ନାରୀ , ନିଆଁ, ନଈ ଏକା କଥା ।ତାଙ୍କ ମାୟା ଠୁ ସର୍ବଦା ଦୁରେଇ ରହିବ। ଏ ମାୟା ରେ ଥରେ ପଡିଲେ ଉଦ୍ଧାର ହେବା ଭାରି କଷ୍ଟ। ଆଦୌ ଛୁଉଁନା ସେ ଝିଅ କୁ। ପୋଡିଯିବୁ ।ଏହା ଗୁରୁଙ୍କ ଶିକ୍ଷାର ଅବମାନନା । ଦଣ୍ଡେ ଚିନ୍ତା କଲା। ମହିଳା ର ଅସହାୟତା ତାକୁ ବ୍ୟତିବ୍ୟସ୍ତ କଲା ।ତା ଭିତର ର ମଣିଷ ପଣିଆ ତାକୁ ବ୍ୟଥିତ କଲା। ଏକା ଲମ୍ଫ ରେ ପାଣି ଭିତରକୁ ଯାଇ ଅଥଳ ପାଣିରୁ ସ୍ତ୍ରୀ ଲୋକ ଟିକୁ ଉଦ୍ଧାର କରି ଆଣିଲା କୂଳ କୁ।ଚକିତ ହୋଇଗଲା ଅଧିର ତା ରୂପ ଲାବଣ୍ୟରେ।କ୍ଷଣେ ଚାହିଁ ରହିଲା ଟା ରୂପ ଯୌବନକୁ। ତାକୁ ଉଦ୍ଧାର କରି ସାରି ଦୁଇ ଜଣ ଆଗେଇଲେ।କିନ୍ତୁ ରାସ୍ତାସାରା ଅଧିର ବାରମ୍ବାର ସେ ଝିଅ ର ରୂପ ଲାବଣ୍ୟ କଥା ଆଲୋଚନା କରି କରି ଆଶ୍ରମ ଯାକେ ପହଞ୍ଚିଲେ ।ଶେଷରେ ଅଧିର କହିଲା ଦେଖ ଭାଇ ଏତେ ସୁନ୍ଦରୀ ଝିଅ କୁ ତୋର ଛୁଇଁବା ଉଚିତ ହୋଇ ନାହିଁ। ଏଥିରେ ତୋର ଗୁରୁ ଶିକ୍ଷା ଦୀକ୍ଷାର କୌଣସି ମୂଲ୍ୟ ରହିଲା ନାହିଁ। ଚୁପ ହୋଇ ଶୁଣୁଥିଲା ସୁଧୀର । ପଦୁଟିଏ ବି ଉତ୍ତର ଦେବା ଯଥାର୍ଥ ମାନି ନ ଥିଲା ସୁଧୀର । ଶେଷକୁ ବ୍ୟତିବ୍ୟସ୍ତ ହୋଇ ଅଧିର ଗୁରୁ ଙ୍କ କାନ କୁ କଥାଟା ପହଂଚାଇଲା। ମୂଳରୁ ଶେଷ ପର୍ଯ୍ୟନ୍ତ କଥାଟାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଥରକୁ ଥର କଥାରେ ସେ ଝିଅ ର ପ୍ରତ୍ୟେକ ଅଙ୍ଗ ସହ ଉପମା ବିଶ୍ଲେଷଣ ଯୋଡି କଥାଟାକୁ ଏମିତି ଫିଲିମ ଷ୍ଟାଇଲ ରେ କହି ଚାଲି ଥାଏ ଯେ କେହିବି ଆକର୍ଷିତ ହେବ ।ଗୁରୁ ସବୁ ଶୁଣି ଶୁଣି ପରିଶେଷରେ କହିଲେ ଦେଖ ନାରୀ ଟିକୁ ଛୁଇଁ ଉଦ୍ଧାର କରିବା ରେ ଯେତିକି ସ୍ପର୍ଶ ନ ଥିଲା, ପାପ ନ ଥିଲା ତା ଠାରୁ ଢେର ଅଧିକ ତୁମେ ତା ସ୍ପର୍ଶ ର କାମନା ରେ ଘାଣ୍ଟି ହେଲଣି। ପାପ ସ୍ପର୍ଶ ରେ ନ ଥାଏ ।ଥାଏ ମନ ରେ ଭାବ ରେ ଯାହା ସୁଧୀର ଠାରୁ ତୁମେ ଢେର ଅଧିକ କଲଣି। ସେ ତ ତାକୁ ବିପଦରୁ ଖାଲି ଉଦ୍ଧାର କରିଛି ତା ମନରେ ସେତେ ବେଳେ କାମନା ନ ଥିଲା ଯେତେ ନ ଛୁଇଁ ବି ତୁମ ମନରେ ଅଛି। ଲଜ୍ଜାରେ ମୁହଁ ତଳକୁ କଲା ଅଧୀର।

ଲେଖକ : ତପସ୍ୱିନୀ ଦାଶ,ବାରିପଦା,ଭଂଜପୁର,ମୟୁରଭଞ୍ଜ,

ମୁଁ ଆଉ ବୃଦ୍ଧାଶ୍ରମ

ମୁଁ ନିଃସର୍ତ୍ତ ମାନି ନେଇଛି
ବର୍ତ୍ତମାନ ପରିସ୍ଥିତିରେ
ଏବେ ମୋର ଯାହା ଘଟିଗଲେ ସୁଦ୍ଧା
ମୁଁ ଆଉ ବିସ୍ମିତ ହେବିନି,
ସ୍ଥୂଳ ଜଗତ ଟା ଧୂଆଁ ହୋଇ ଗଲେ
ତେଣିକି ତାହା ଯାହା ଆକୃତି ନେବ ନେଉ
ମୋର କଅଣ ଯାଏ କହିଲ,
ମୋର ଆତ୍ମୀୟ ସ୍ୱଜନ ଙ୍କ ଆକର୍ଷଣ
ନାତିନାତୁଣୀ ଙ୍କ ମୋହ
ମୋ ପ୍ରିୟ ଓଉ ପେନଥି ପେନଥି କଲମୀ ଆମ୍ବ
ମୋ ଘର ବାଡ଼ି ପଟ ରୁ ପରିଷ୍କାର ଦିଶୁଥିବା ପାହାଡ଼
ଯେଉଁଠି ସୂର୍ଯ୍ୟ ଉଇଁବା ଆଗରୁ ମୁଁ ନୋଟାଏ
ଜଳ ଧରି ଛିଡା ହୋଇଥାଏ
ପଶ୍ଚିମରେ ଶାଳ ବଣ
ଓସାର ଦାଣ୍ଡର ଏ ମୁଣ୍ଡେ ମନ୍ଦିର
ସେ ମୁଣ୍ଡେ ମନ୍ଦିର
ମୋ ପ୍ରିୟ ପରିଜନ ର ସୁହୃଦ ଦକ୍ଷିଣା ପବନ
ଆଷାଢ଼ ର ଅସରା ଅସରା ମେଘ
ସବୁ ମୋଅରି ଅଗଣାରେ
ଯୋଉଠି ଗୋଟାଏ ଅଦୃଶ୍ୟ ରକ୍ତ ନାଳୀ
ଯୋଡି ଯାଇଥିଲା ସେ ଭୂଇଁ ସାଙ୍ଗରେ
ଲାଗୁଥିଲା ସେଇଟା ଛିଡି ଗଲେ
ମୁଁ ବଂଚି ପାରିବିନି ଶାନ୍ତିରେ
ଭାବୁଛନା! କେମିତି ଆପଣେଇ ନେଲି ଏ ନୂଆ ଦୁନିଆ
ଦିନେ ମୋର କିଏ ନିଜର ଥିଲା
ଆଜି କା’ପାଇଁ ମୁଁ ଅଲୋଡ଼ା
ପରିସ୍ଥିତି ର ଦାସ ତୁମେ’ ମୁଁ’ ସେମାନେ’
ସତକୁ ସତ ବିଭୋର ମୁଁ ମୋ ନୂଆ ଦୁନିଆରେ
କାହିଁକି ମୁଁ ବିଭୋର ମୋତେ ପଚାରନ୍ତୁନି
କାରଣ ମୁଁ ଜାଣିନାହିଁ
ସବୁଠୁ ଶୁନ୍ୟରେ ୟା ଠାରୁ ହୁଏତ
ଅଧିକ ବିଚିତ୍ର ଆକର୍ଷଣ ଥିବ
ଏ ଅନୁଭୂତି ମୁଁ ପାଇଁ ସାରିଲିଣି ଏଠାରେ।

ଲେଖକ: ତପସ୍ୱିନୀ ଦାଶ,ବୁଢ଼ୀଖମାରି ଶାସନ,ଭଂଜପୁର,ବାରିପଦା