ଶୃଙ୍ଖଳିତ ନିର୍ବାଚନ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୨୦୧୯ ସାଧାରଣ ନିର୍ବାଚନ ନେଇ ସବୁ ଦଳ ମଧ୍ୟରେ ଚାଲିଛି ଜୋରଦାର କସରତ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ପ୍ରାର୍ଥୀଙ୍କ ପାଇଁ ଆଡ୍‌ଭାଇଜାରୀ ସହ ପବ୍ଲିକ୍ ମିଟିଂ, ରାଲି ଓ ରୋଡ୍‌ ସୋ ପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ସେହିପରି ଶିଶୁ, ପଶୁ ଓ ସ୍କୁଲ ଡ୍ରେସ୍‌ରେ ଥିବା ପିଲାଙ୍କୁ ପ୍ରଚାରରେ ସାମିଲ ନ କରିବାକୁ ନିର୍ଦ୍ଦେଶ । ନିୟମ ଉଲ୍ଲଂଘନ କଲେ ପ୍ରାର୍ଥୀଙ୍କଠାରୁ ଫାଇନ ଆଦାୟ ସହ ମାମଲା ରୁଜୁ କରାଯିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି । ଗାଇଡ୍‌ ଲାଇନ୍‌ ଗୁଡିକ ହେଲା –

୧: ପ୍ରାର୍ଥୀଙ୍କ ଶୋଭାଯାତ୍ରା ଟ୍ରାଫିକ ସମସ୍ୟା ସୃଷ୍ଟି କରିବନି ।

୨: ଶୋଭାଯାତ୍ରା ରୁଟ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ ।

୩: କୌଣସି ବ୍ୟକ୍ତିଙ୍କ ଘର ବାହାରେ ବିରୋଧ କିମ୍ବା ପିକେଟିଂ କରିବା ଉପରେ କଟକଣା ରହିବ ।

୩: ଅନ୍ୟ ପ୍ରାର୍ଥୀଙ୍କ ସାଧାରଣ ସଭା କିମ୍ବା ଶୋଭାଯାତ୍ରାକୁ ବାଧା ନଉପୁଜାଇବା ପାଇଁ ନିର୍ଦ୍ଦେଶ ।

୪: ଗୋଟିଏ ରାଜନୈତିକ ଦଳର ସଭା ଚାଲିଥିବା ବେଳେ ସେହି ପାଖଦେଇ ଅନ୍ୟ ରାଜନୈତିକ ଦଳର ଶୋଭାଯାତ୍ରା ଯାଇପାରିବ ନାହିଁ ।

୫: ଶୋଭାଯାତ୍ରା ବେଳେ ମାରଣାସ୍ତ୍ର କିମ୍ବା ମାରଣାସ୍ତ୍ର ଭଳି ସାମଗ୍ରୀ ଉପରେ କଟକଣା ଜାରି କରାଯାଇଛି ।

୬: ରାତି ୧୦ଟା ପରେ କିମ୍ବା ସକାଳ ୬ ପୂର୍ବରୁ ମାଇକ୍‌ ବ୍ୟବହାର ଉପରେ କଟକଣା ଜାରି ।

୭: ବଡ଼ବଡ଼ ହସ୍ପିଟାଲ, ଟ୍ରମା କେୟାର ସେଣ୍ଟର, ବ୍ଲଡ ବ୍ୟାଙ୍କ କିମ୍ବା ଜନଗହଳିପୂର୍ଣ୍ଣ ରାସ୍ତା ଦେଇ କୌଣସି ପ୍ରାର୍ଥୀ ଶୋଭାଯାତ୍ରା କରିପାରିବେ ନାହିଁ ।

୮: ପ୍ରଚାର ବେଳେ କେତେ ଲୋକ ଓ କେତେ ଯାନବାହାନ ରହିବ, ସେନେଇ ପ୍ରାର୍ଥୀ ପୂର୍ବରୁ ସୂଚନା ଦେବେ ।

୯: ଚାରି ଚକିଆ, ଅଟୋ ଓ ବାଇକକୁ ମିଶାଇ ରୋଡ୍ ଶୋ’ ବେଳେ ୧୦ଟି ଗାଡ଼ି ରହିବ । ଏହାଠାରୁ ଅଧିକ ଗାଡ଼ି ବ୍ୟବହାର ହେଲେ ପ୍ରତି ୧୦ଟି ଗାଡ଼ିଠାରୁ ୧୦୦ ମିଟର ଦୂରରେ ଅନ୍ୟ ଗାଡ଼ି ରହିବ ।

୧୦: ରୋଡ ଶୋ’ ବେଳେ ବାଣ କିମ୍ବା ବନ୍ଧୁକର ବ୍ୟବହାର ଉପରେ କଟକଣା ଲଗାଯାଇଛି ।

୧୧: ପଶୁ, ଶିଶୁ ବିଶେଷକରି ସ୍କୁଲ ଯୁନିଫର୍ମରେ ଥିବା ପିଲାଙ୍କୁ ପ୍ରଚାର ପାଇଁ ବ୍ୟବହାର ନକରିବାକୁ କୁହାଯାଇଛି ।

୧୨: ବ୍ୟାନର ସାଇଜ ୬ ଫୁଟରେ ୪ଫୁଟ ମଧ୍ୟରେ ସୀମିତ ରଖିବାକୁ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ବାଇକରେ ଲଗାଇବା ପାଇଁ ୧ ଫୁଟରୁ ଦେଢ ଫୁଟ ମଧ୍ୟରେ ବ୍ୟାନର ତିଆରି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମଡେଲ କୋଡ ଅଫ୍ କଣ୍ଡକ୍ଟକୁ ନ ମାନିଲେ ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ।