ଶେରଗଡ଼ (ସମୃଦ୍ଧ ଓଡିଶା) ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ସାଢ଼େ ୫ ବର୍ଷ ଧରି ବାଦବିବାଦ ଘେରରେ ରହିଥିବା ଶେରଗଡ଼ ବସ୍ ଷ୍ଟାଣ୍ଡ ଆରମ୍ଭ ପାଇଁ ପଥ ପରିଷ୍କାର ହୋଇଛି । ବସ୍ ଷ୍ଟାଣ୍ଡ ନିର୍ମାଣ ସକାଶେ ୩ କୋଟି ୫୨ ଲକ୍ଷ ୪୫ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ପୂର୍ତ୍ତ ବିଭାଗ ତତ୍ୱବିଧାନରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି । ଆଜି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୋମନାଥ ହୋତା ଏବଂ ସହକାରୀ ଯନ୍ତ୍ରୀ ବନୋଜ କୁମାର ସେଠୀ ପ୍ରମୁଖ ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ସହ ଆଲୋଚନା କରିଥିଲେ । ଟେଣ୍ଡର ପକ୍ରିୟା ସରିବା ପରେ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସୂଚନା ଥାଉକି ଶେରଗଡ଼ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ୨୦୧୫ ମସିହା ଜାନୁୟାରୀ ୨୧ ତାରିଖରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କିନ୍ତୁ ଜାଗା ଓ ଆଇନଗତ ବିବାଦ ଯୋଗୁଁ ୫ ବର୍ଷ ଧରି କାର୍ଯ୍ୟ ଆରମ୍ଭ ହୋଇପାରୁ ନଥିଲାଗତ ଫେବ୍ରୁଆରୀ ୧୪ ତାରିଖରେ ସରକାର ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ଲଷ୍ମୀନାରାୟଣ ମହାପ୍ରଭୁଙ୍କ ୨.୨୦୦ ଏକର ଜମିକୁ ୨୨ ଲକ୍ଷ ୧୦ ହଜାର ୫୦୦ ଟଙ୍କାରେ କିଣିବା ପରେ ଆଶା ଉଜ୍ଜ୍ୱଳ ହୋଇଥିଲା । ବର୍ତ୍ତମାନ ଅର୍ଥ ମଞ୍ଜୁର ହୋଇଥିବା କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ରିପୋର୍ଟ : ବିପ୍ଳବ ସେଠୀ