ଶେଷ ହେଲା ୨ୟ ପର୍ଯ୍ୟାୟ ପ୍ରଚାର, ୨୦ରେ ମତଦାନ, ୩୦୫ ପ୍ରାର୍ଥୀଙ୍କ ସମେତ ନବୀନଙ୍କ ଦୁଇଟି ସ୍ଥାନର ମଧ୍ୟ ଭାଗ୍ୟ ପରୀକ୍ଷା ହେବ

ଭୁବନେଶ୍ୱର (ସମୃଦ୍ଧଓଡିଶା) ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ମଣ୍ଡଳୀ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏହା ଅନ୍ତର୍ଗତ ସମସ୍ତ ୩୫ଟି ବିଧାନସଭା ଆସନରେ ଦିନକ ପରେ ଅର୍ଥାତ୍ ସୋମବାର କୋଡିଏ ତାରିଖରେ ଭୋଟଗ୍ରହଣ ହେବ। ଏହି ଅଂଚଳର ମୋଟ ୨୬୫ଜଣ ବିଧାୟକ ପ୍ରାର୍ଥୀ ଓ ୪୦ଜଣ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ୭୯ଲକ୍ଷ ୬୯ହଜାର ୮୮୭ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରି ନିର୍ଦ୍ଧାରଣ କରିବେ । ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ୧୦୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛି । ଚଳିତ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ହିଞ୍ଜିଳି ଓ କଂଟାବାଞ୍ଜି ବିଧାନସଭା ଆସନରେ ବି ମତଦାନ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୫ଟି ଲୋକସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ରରେ ମୋଟ ୭୯.୬୯ଲକ୍ଷ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରେ ୪୦.୩୪ ପୁରୁଷ, ୩୯.୩୫ ମହିଳା ଓ୮୫୧ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ଏହି ଭୋଟରଙ୍କ ମଧ୍ୟରେ ୨.୧୩ଲକ୍ଷ ଭୋଟର ପ୍ରଥମଥର ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ ଏବଂ ପ୍ରାୟ ୧୬.୯୮ଲକ୍ଷ ଯୁବ ଭୋଟର ବି ମତଦାନ କରିବେ । ଏହି ପର୍ଯ୍ୟାୟରେ ସହରାଂଚଳରେ ୧୦୯୦ଟି ଓ ଗ୍ରାମାଂଚଳରେ ୮୦୮୫ଟି ମତଦାନ କେନ୍ଦ୍ର ମାଧ୍ୟମରେ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିରୁ ୧୦୪୧ଟି ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ । ସେହିପରି ୨୫ଟି ସମ୍ପୂର୍ଣ୍ଣ ଭାବେ ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ । ୧୫୪୧ଟି ମଡେଲ ବୁଥ ସ୍ଥାପନ କରାଯାଇଛି । ଏହି ପର୍ଯ୍ୟାୟରେ ପ୍ରାୟ ୬୦ହଜାରରୁ ଅଧିକ ପୁଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ନିର୍ବାଚନ ରଣାଙ୍ଗନରେ ମୋଟ ୩୦୫ଜଣ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪୦ଜଣ ଲୋକସଭା ପ୍ରାର୍ଥୀ(୩୪ ପୁରୁଷ, ୬ ମହିଳା) ଏବଂ ୨୬୫ଜଣ ବିଧାୟକ ପ୍ରାର୍ଥୀ(୨୨୪ ପୁରୁଷ ଓ ୪୧ ମହିଳା) ପ୍ରାର୍ଥୀ ରହିଛନ୍ତି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ଆବଶ୍ୟକ ପରିମାଣର ସୁରକ୍ଷାବଳ ମୁତୟନ କରାଯାଇଛି । ଏହି ୫ଟି ସଂସଦୀୟ କ୍ଷେତ୍ରରେ ୧୦୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଥିବାବେଳେ ଓଡ଼ିଶା ପୁଲିସ ମଧ୍ୟ ଶାନ୍ତିଶୃଙ୍ଖଳା ଦାୟିତ୍ୱ ତୁଲାଇବ ବୋଲି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ରିପୋର୍ଟ : ରଜତ ମହାପାତ୍ର