ଛତ୍ରପୁର (ସମୃଦ୍ଧ ଓଡିଶା) ଟାଟା ପ୍ରକଳ୍ପର ପ୍ରଭାବିତ ଶ୍ରମିକ ସଂଘ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷାତ କରି ଟାଟା ପ୍ରକଳ୍ପ କାର୍ଯ୍ୟ ଚାଲୁ କରିବା ନିମନ୍ତେ ଶୁକ୍ରବାର ଦିନ ଏକ ଦାବିପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ସେହି ଦାବି ପତ୍ରରେ ଉଲ୍ଲେଖ ଅଛି ଯେ, ଚମାଖଣ୍ଡି, କାଳିପଲ୍ଲୀ, ବାସନାପୁଟି, ପଲ୍ଲୀପଦର, ରାମେୟାପଲ୍ଲୀ, ବଡପୁଟି, ପି.ଲକ୍ଷ୍ମୀପୁର, ଜଗନ୍ନାଥପୁର, ସୀତାରାମପୁର, ପାଇକପଡା, ମନସୁରକୋଟା ଓ ଶ୍ରୀରାମଚନ୍ଦ୍ରପୁର ଗାଁର ଶ୍ରମିକ ଓ କର୍ମଚାରୀମାନେ ବର୍ତ୍ତମାନ ଠିକାଦାର ମାନଙ୍କ ପାଖରେ ସ୍ୱଳ୍ପ ବେତନ ପାଇ କାର୍ଯ୍ୟରତ । କିନ୍ତୁ ୩୦ ଜୁଲାଇ ୨୦୧୯ ତାରିଖ ଦିନ ଠାରୁ ଟାଟା ପ୍ରକଳ୍ପ କାର୍ଯ୍ୟ କୌଣସି କାରଣ ବଶତଃ ବନ୍ଦ ଥିବା ଯୋଗୁଁ ଏଠାକାର ପରିବେଶ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି ଓ ଆମ୍ଭମାନଙ୍କୁ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଆମକୁ ନର୍ଯ୍ୟ ଅଧିକାରରୁ ବଞ୍ଚିତ କରାନଯାଉ ଏବଂ ତୁରନ୍ତ ଏହାକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ କରାଯାଉ । ଏହି ଅଞ୍ଚଳରେ ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ପ୍ରକାରର ଦାବୀ ନେଇ ବାରମ୍ବାର ପ୍ରକଳ୍ପର ମୁଖ୍ୟ ଫାଟକ ବନ୍ଦ ହେବା ଓ ଏକ ପ୍ରକାର ଅପ୍ରୀତିକାର ପରିସ୍ଥିତି ସୃଷ୍ଟି ହେବା ଦ୍ୱାରା ଏହି ଅଞ୍ଚଳରେ ଏକ କୋକୁଆଭୟ ସୃଷ୍ଟି କରୁଛି । ଏହି ପ୍ରକଳ୍ପରେ ଯେଉଁ ପୁଞ୍ଜିନିବେଶକାରୀ କମ୍ପାନୀଗୁଡିକ ଆସୁଛନ୍ତି ସେମାନଙ୍କ ସୁରକ୍ଷା ନେଇ ଏକ ପ୍ରଶ୍ନବାଚି ସୃଷ୍ଟି ହେଉଛି ଏବଂ ସେମାନେ ନିଜକୁ ସୁରକ୍ଷା ମଣୁ ନାହାନ୍ତି । ଶେଷରେ ନିରାଶ ହୋଇ ଫେରି ଯାଉଛନ୍ତି । ଯାହାଦ୍ୱାରା ଏହି ଅଞ୍ଚଳର ଅର୍ଥନୈତିକ ସମସ୍ୟା ଓ ବିଭିନ୍ନ ପ୍ରକାର ବିକାଶମୂଳକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ଟାଟା କର୍ତ୍ତୃପକ୍ଷ ମିଳିତ ଉଦ୍ୟମରେ ଏହାର ସ୍ଥାୟୀ ସମାଧାନ କରି ଖୁବଶୀଘ୍ର କାର୍ଯ୍ୟ ତ୍ୱରାନିତ କରନ୍ତୁ ବୋଲି ଦାବୀ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଶତାଧିକ ମହିଳା ଓ ପୁରୁଷ ପ୍ରଭାବିତ ଶ୍ରମିକ ସଂଘର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା