ଶ୍ରମ ବିଭାଗର ଶ୍ରମିକ ଶୋଷଣ ନୀତିର ପ୍ରତିବାଦରେ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ…

ଛତ୍ରପୁର (ସମୃଦ୍ଧ ଓଡିଶା) ନିର୍ମାଣ ଶ୍ରମିକ ଓ ଅସଂଗଠିତ ଶ୍ରମିକ ୟୁନିଅନ ସମନ୍ୱୟ ସମିତି ଗଞ୍ଜାମ ଜିଲ୍ଲା ପକ୍ଷରୁ ପ୍ରବଳ ବର୍ଷା ସତ୍ତ୍ଵେ ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ଶ୍ରମ ବିଭାଗର ଶ୍ରମିକ ଶୋଷଣ, କଲ୍ୟାଣ ପାଣ୍ଠିର ହରିଲୁଟ ଓ ପ୍ରିୟାପ୍ରୀତୀ ନୀତିର ସ୍ଥାୟୀ ସମାଧାନ କରିବା ପାଇଁ ୧୨ ଦଫା ଦାବିରେ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ସୂଚନା ଅନୁଯାୟୀ ଶ୍ରମ ଅଧିକାରୀମାନଙ୍କ ୟୁନିଅନ ବିରୋଧୀ ଅଭିମୁଖୀ, ମନୋମୁଖୀ ଓ ସ୍ୱେଚ୍ଛାଚାରିତା ନୀତି ଯୋଗୁଁ ହଜାର ହଜାର ନିରୀହ ଶ୍ରମିକ ବହୁ ଆର୍ଥିକ ଓ ଶ୍ରମ ଶୋଷଣର ଶିକାର ହେଉଛନ୍ତି । ଏ ସମସ୍ତ ସମସ୍ତ ଶ୍ରମିକ ମାରଣନୀତି ଓ ୟୁନିଅନ ବିରୋଧୀ ଆଭିମୁଖ୍ୟ ଶ୍ରମିକ ଶକ୍ତି, ଜାତି, ବର୍ଣ୍ଣ, ଦଳରେ ଭାଗ ଭାଗ କରି କର୍ପୋରେଟ ସପକ୍ଷରେ ଶ୍ରମିକଙ୍କ ଅଖଣ୍ଡ ଏକତାକୁ ଧ୍ୱଂସ କରିବା ଷଡଯନ୍ତ୍ର ହେଉଅଛି । ଭୁଆଁବୁଲା ଓ ଟାଳଟୁଳ ନାତି ଆପଣାଇ ଶ୍ରମିକଙ୍କ ପ୍ରକୃତ ଅଧିକାରରୁ ବଞ୍ଚିତ କରାଯାଉଛି । ହଜାର ହଜାର କମ୍ପାନୀ ବନ୍ଦ ହୋଇ ଶ୍ରମିକ ମାନସିକ ଅବସାଦ ବଳୟ ଭିତରକୁ ଆସୁଥିବା ସମୟରେ କେନ୍ଦ୍ର ସରକାର ଶ୍ରମନୀତିରେ ସଂସ୍କାର କରି ବହୁ ଲଢେଇରେ ହାସଲ ହୋଇଥିବା ୪୪ ଟି ଶ୍ରମ ଆଇନକୁ ୪ଟି ଶ୍ରମକୋଡରେ ପରିଣତ କରି ଶ୍ରମିକଙ୍କ ଅବସ୍ଥା ଦୟନୀୟ କରି କର୍ପୋରେଟ କମ୍ପାନୀର କ୍ରିତଦାସ ହେବା ପାଇଁ ରାସ୍ତା ଉନ୍ମୁକ୍ତ କରୁଛି । ଏହି ସଂସ୍କାର ଫଳରେ ଅସଂଗଠିତ ଶ୍ରମିକଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଭୁଶୁଡି ପଡିବ । ଏପରି ଘଡିସନ୍ଧି ମୁହୂର୍ତ୍ତରେ ଶ୍ରମ ବିଭାଗର ଶ୍ରମିକ ମାରଣ ନୀତି ଓ ଶ୍ରମ ସଂସ୍କାର ନୀତିକୁ ପ୍ରତିରୋଧ କରିବା ପାଇଁ ଟି.ୟୁ.ସି.ଆଇ, ଆଇଫଟିୟୁ, ଏଆଇଟିୟୁସି, ଏଚଏମଏସ, ବିଏମଏସ, ଆଇଏନଟିୟୁସି ସମେତ ସମସ୍ତ ପଞ୍ଜିକୃତ ଶ୍ରମିକ ସଂଗଠନ ସାମିଲ ହୋଇ ହଜାର ହଜାର ଶ୍ରମିକଙ୍କ ଶୋଭାଯାତ୍ରା କରି ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏ ନରେଗା ଶ୍ରମିକଙ୍କୁ ବ୍ଲକରେ କ୍ୟାମ୍ପ ମୋଡରେ ପଞ୍ଜିକରଣ କରାଯାଉଥିବା ବେଳେ ସେ ବ୍ଲକର ଅନ୍ୟ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣକୁ ଉପେକ୍ଷା କରାଯିବା ଓ ୩ ବର୍ଷରୁ ବାର୍ଷିକ ଦେୟ ଜମା କରି ନଥିବା ଶ୍ରମିକମାନଙ୍କ ନବୀକରଣ ଜମା କରିବା ପାଇଁ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସମସ୍ୟା ସହ ୧୨ ଦଫା ଦାବୀ ସମ୍ବଳିତ ଦାବୀ ପତ୍ର ଶ୍ରମ କମିଶନରଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଏ ଦାବୀ ଗୁଡିକ ମଧ୍ୟରେ ଭୂମି ହୀନ ନିର୍ମାଣ ଶ୍ରମିକଙ୍କୁ ଜାଗା ଓ ଆବାସ ଯୋଗାଇବା, ନିର୍ମାଣ ଓ ଅସଂଗଠିତ ଶ୍ରମିକଙ୍କ ପଞ୍ଜିକରଣ ଓ ସହାୟତା ପ୍ରଦାନ କରାଯିବ ନାହିଁ ବୋଲି ଯେଉଁ ନିର୍ଦ୍ଧେଶନାମା ହୋଇଛି ଏହାର ତୁରନ୍ତ ପ୍ରତ୍ୟାହାର, ପଞ୍ଜିକୃତ ନିର୍ମାଣ ଶ୍ରମିକ ପାଇଁ ୧୦ ବର୍ଷ ବାର୍ଷିକ ନବୀକରଣ ଦେୟ ଦାଖଲ କରିଥିଲେ ପେନସନ ଦିଆଯିବ ବୋଲି ଯେଉଁ ନିର୍ଦ୍ଦେଶନାମା ଦିଆଯାଇଛି ତାହା ପ୍ରତ୍ୟାହାର କରି ପୂର୍ବ ନିର୍ଦ୍ଦେଶ ୫ ବର୍ଷ ନବୀକରଣକୁ କାର୍ଯ୍ୟକାରୀ କରିବା ଓ ସର୍ବନିମ୍ନ ମାସିକ ୩୦୦୦ଟଙ୍କା ପେନସନକୁ ବୃଦ୍ଧି, ଵ୍ୟାକଲଗ ଫର୍ମକୁ ତୁରନ୍ତ ସହାୟତା ପ୍ରଦାନ କରି ପଞ୍ଜିକରଣ ଧାରାରେ ଅପଲୋଡ଼ କରି ସହାୟତା ପ୍ରଦାନ କରିବା ଓ ବାରମ୍ବାର ନୂଆ ନୂଆ ନିୟମ ବାହାର କରି ପୁରୁଣା ଆବେଦନ ପତ୍ର ଗୁଡିକୁ ରିଜେକ୍ଟ କରି ବ୍ୟାପକ ଶ୍ରମିକଙ୍କୁ ଅଯଥା ହଇରାଣ ଓ ଖର୍ଚ୍ଚାନ୍ତକୁ ବନ୍ଦ କରିବା, ୩୨ ଗୋଟି ଶ୍ରମ କାର୍ଯ୍ୟାଳୟରେ ଭିନ୍ନ ଭିନ୍ନ ନିୟମ ନ କରି ସାରା ରାଜ୍ୟରେ ଏକ ପ୍ରକାର ଓ ସରଳୀକରଣ କରିବା । ସାଇକେଲ, କାମ କରିବା ଯନ୍ତ୍ରପାତି ଓ ନିରାପତ୍ତା ଉପକରଣ ପ୍ରଦାନ ପାଇଁ କଲ୍ୟାଣବୋର୍ଡର ଯେଉଁ ନିର୍ଦ୍ଧେଶନାମା ଅଛି ତାକୁ ଖୋଲାଖୋଲି ଉଲଘଂନ କରି ନିଜସ୍ୱ ଢଙ୍ଗରେ ବଞ୍ଚିବା ଓ ଘୋଟଳା କରି ଜିଲ୍ଲା ଶ୍ରମ ଅଧିକାରୀମାନେ କଲ୍ୟାଣ ପାଣ୍ଠିର ଅର୍ଥ ହଡପ କରିବା ସହ ନିରୀହ ଶ୍ରମିକଙ୍କୁ ନିମ୍ନମାନର ସାମଗ୍ରୀ ଦେଇ ଠକି ଚାଲିଛନ୍ତି ଏଥିପାଇଁ ବୋର୍ଡର ନିର୍ଦ୍ଦେଶକୁ ଉଲଘଂନ କରିଥିବା ଅଧିକାରୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଅର୍ଥ ଫେରସ୍ତ, ଶ୍ରମ କାର୍ଯ୍ୟାଳୟରେ ପର୍ଯ୍ୟାପ୍ତ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି, କେନ୍ଦ୍ର ସରକାରଙ୍କ ଶ୍ରମ ସଂସ୍କାର ନୀତିକୁ ପତ୍ୟାହାର, ଶତକଡା ୮୦ ପ୍ରତିଶତ ଶେଷ ସଂପୃକ୍ତ ଜିଲ୍ଲାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ, ଗୃହ ନିର୍ମାଣ ସହାୟତା ଜଟିଳତା ବନ୍ଦ କରିବା, ବ୍ଲକ ଓ ପଞ୍ଚାୟତ ସ୍ତରରେ ରାଜନୀତି ଯୋଗୁଁ ଆବସାରୁ ବଞ୍ଚିତ ହେଉଥିବା ନିର୍ମାଣ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା, ଏଆଇଟିୟୁସିର ପ୍ରବୀଣ ଦାସ, ଟି.ୟୁ.ସି.ଆଇର ଶଙ୍କର ସାହୁ, ଆଇଏଫଟିୟୁର, ପ୍ରତାପ ପ୍ରଧାନ, ଏଚଏମଏସର ରାଜେନ୍ଦ୍ର ଦାସ, ମମତା ନାୟକ, ଶ୍ରୀକାନ୍ତ ପଣ୍ଡା, ସତ୍ୟନାରାୟଣ ତ୍ରିପାଠୀ, ଓଡିଶା ନିର୍ମାଣ ଶ୍ରମିକ ୟୁନିୟନର ରାମଚନ୍ଦ୍ର ବାଡ଼ତ୍ୟା, ବିଏମଏସର ରାଜେନ୍ଦ୍ର ନାୟକ ଆଦିଙ୍କ ନେତୃତ୍ୱରେ ଲକ୍ଷ୍ମଣ ଭବନ ଠାରୁ ଶୋଭାଯାତ୍ରା ବାହାରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ସଭା ଓ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା